ପଦ୍ମ ଛାଡିଲେ ସୁକାନ୍ତ । ଜୋର ଧରିଲା ଘରବାହୁଡିବା ଚର୍ଚ୍ଚା…

ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲାଣି ଦଳ ଡିଆଁ ପର୍ବ । ଆଜି ବିଜେପି ଛାଡିଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ । ରାଜ୍ୟ ବିଜେପି ସଭାପତିଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ୨୦୧୯ରେ ବିଜେପି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁକାନ୍ତ । ଏହାପୂର୍ବରୁ ୨୦୧୪ରେ ବିଜେଡି ଟିକେଟରୁ ମଧ୍ୟ ବିଧାୟକ ହୋଇଥିଲେ ସୁକାନ୍ତ । କିନ୍ତୁ ୨୦୧୯ରେ ଦଳ ଟିକେଟ ନ ଦେବାରୁ ବିଜେପିରେ ସାମିଲ ହୋଇ ଲଢିବା ସହ ବିଧାୟକ ହୋଇଥିଲେ ।
ତେବେ ବିଜେପି ଛାଡିବା ପରେ ସୁକାନ୍ତ କୁମାର ନାୟକ ପୁଣି ନିଜ ଘର ବିଜେଡିକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି । ନିଜ ସମର୍ଥକଙ୍କ ସହିତ ଆଲୋଚନା କଲା ପରେ ସେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି । ତେବେ ବିଜେଡି ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନୀଳଗିରି ନାହିଁ । ତେଣୁ ସୁକାନ୍ତ ଶଙ୍ଘ ଧରିଲେ ହୁଏତ ବିଜେଡି ନିଜ ଘରବାହୁଡା ସଦସ୍ୟଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି । ସେପଟେ ଆଜି ବିଜେପିରୁ କଟକ ଜିଲ୍ଲା ସଭାପତି ଥିବା ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଇସ୍ତଫା ଦେଇଛନ୍ତି । ସେ ମଧ୍ୟ ଶଙ୍ଖ ଘରିବେ ବୋଲି ଚର୍ଚ୍ଚା ଜୋର ଧରିଛି ।