ହାରିଗଲେ ଲଢୁଆ ସୁର ! ହାତ ନୁହେଁ ଶଙ୍ଖ ଧରିଲେ ସୁରଙ୍କ ସୁପୁତ୍ର ମନ୍ମଥ…

ମନ୍ମଥଙ୍କ ପାଖରେ କାମ କଲାନି ସୁରଙ୍କ ମ୍ୟାଜିକ୍ । ଏଇଠୁ ସ୍ପଷ୍ଟ ଯେ, କଂଗ୍ରେସର ଗଡ ଜଟଣୀ ଏବେ ନିଶ୍ଚିତ କଂଗ୍ରେସଛଡା ହେବ । କେଉଁ ଦଳରୁ ଲଢିବେ ସୁରଙ୍କ ଉତ୍ତରାଧିକାରୀ ମନ୍ମଥ ରାଉତରାୟ ? ଶେଷରେ ଏହି ଘଟଣାରେ ପଡିଛି ପୂର୍ଣ୍ଣଚ୍ଛେଦ । ବାପାଙ୍କ ଟାଣ ଏବେ ପୁଅର ଜିଦ୍ ଆଗରେ ଫିକା ପଡିଛି । କଂଗ୍ରେସର ମହାଦ୍ରୁମ ବୋଲାଉଥିବା ସୁର ଆଜି ନିଜ ଦଳକୁ ବଞ୍ଚାଇବାକୁ ଅକ୍ଷମ ହୋଇଛନ୍ତି । କଂଗ୍ରେସର ଟାଣୁଆ ନେତା ସୁର ଦିନେ କହୁଥିଲେ ଯେ, ମନ୍ମଥ ରାଉତରାୟ ଯଦି କଂଗ୍ରେସ ଛଡ଼ା ଅନ୍ୟ କୌଣସି ଦଳରୁ ପ୍ରାର୍ଥୀ ହେବେ ତାଙ୍କ ପାଇଁ ପ୍ରଚାର ତ ଦୂରର କଥା ଭୋଟ୍ ଖଣ୍ଡେ ମଧ୍ୟ ଦେବିନି । ହେଲେ ଏବେ କିନ୍ତୁ ସ୍ୱର ବଦଳାଇଛନ୍ତି ସୁର ।
ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଆଜି ବିଧିବଦ୍ଧ ଭାବେ ଶଙ୍ଖ ଧରିଛନ୍ତି । ହଜାର ହଜାର ଦଳୀୟ ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ମନ୍ମଥ । ସାଂସଦ ମାନସ ମଙ୍ଗରାଜ, ସାଂସଦ ସସ୍ମିତ ପାତ୍ର ଓ ବିଜେଡି ନେତା ବିଭୂତି ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି କ୍ୟାପଟେନ ମନ୍ମଥ ରାଉତରାୟ । ବିଜେଡିରେ ମିଶିବା ପୂର୍ବରୁ ମନ୍ମଥ ଭୁବନେଶ୍ୱର ମାଉସୀମା ମନ୍ଦିର ଛକରୁ ନିଜ କର୍ମୀମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା କରି ଶଙ୍ଖ ଭବନ ଅଭିମୁଖେ ଆସିଥିଲେ । ସୁର ନିଜ ପୁଅର ଏହି ବିରାଟ ଶୋଭାଯାତ୍ରାରେ ସାମିଲ ହୋଇ ନଥିଲେ । ହେଲେ ସେ ନିଜ ପୁଅ ମନ୍ମଥଙ୍କୁ ଜିତାଇବାକୁ ନିଜର କର୍ମୀମାନଙ୍କୁ ଆହ୍ୱାନ କରିଥିଲେ । ସେ କହିଥିଲେ, ମନ୍ମଥ ଯେଉଁ ଦଳକୁ ଯାଉନା କାହିଁକି ସେ ମୋ ପୁଅ । ତାକୁ ଆମେ ଜିତାଇବା ।
ସାଧାରଣ ନିର୍ବାଚନ ପୂର୍ବରୁ ସୁର ନିଜ ପୁଅକୁ ସମ୍ଭାଳି ନପାରିବା ଘଟଣା ଏବେ ଜଟଣୀରେ ରାଜନୈତିକ ଉଷ୍ମତାକୁ ବଢାଇ ଦେଇଛି । ଜୀବନ ଥିବା ଯାଏଁ କଂଗ୍ରେସରେ ରହିବି ଏବଂ ଦଳ ଯାହା କାମ ଦେବ କରିବି ବୋଲି କହିବା ସହିତ ବିବେକ ଦୃଷ୍ଟିରୁ ସମସ୍ତ କମିଟିରୁ ଇସ୍ତଫା ଦେଉଥିବା କହିଛନ୍ତି ସୁର ରାଉତରାୟ । ତେବେ ସମସ୍ତ କମିଟିରୁ ଇସ୍ତଫା ଦେଲେ ମଧ୍ୟ ଦଳରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ସୁର । ଏବଂ ତାଙ୍କ ଭୋଟ କେବଳ କଂଗ୍ରେସ ପାଇଁ ରହିଛି ବୋଲି କହିଛନ୍ତି ସୁର ।