ପାଣି ଏବଂ ଅନ୍ୟାନ୍ୟ ସୁବିଧା ପାଇଁ ରାସ୍ତାରୋକ ଓ ଭୋଟ ବର୍ଜନ ଚେତାବନୀ…

ନୂଆପଡ଼ା : ଜଳ ହିଁ ଜୀବନ । ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ରାଜ୍ୟ ସରକାର ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଏ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ପ୍ରତ୍ୟେକ ଅଞ୍ଚଳରେ ବଡ ବଡ ୱାଟର ଟ୍ୟାଙ୍କ ନିର୍ମାଣ ହେବା ସହ ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ଷ୍ଟାଣ୍ଡପୋଷ୍ଟ ମଧ୍ୟ ନିର୍ମାଣ ସରିଛି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଡ଼ମଝର ପଞ୍ଚାୟତ ଅନ୍ତର୍ଗତ ରୁଣିବସା ଗାଁରେ । ଉକ୍ତ ଗାଁକୁ ପାଇପ ଯୋଗେ ଜଳ ଯୋଗାଣ କରିବା ପାଇଁ ପାଇପ ପୋତା ଯାଇ ଷ୍ଟାଣ୍ଡପୋଷ୍ଟ ନିର୍ମାଣ ସରିଛି । ହେଲେ ଲୋକମାନଙ୍କୁ ବୁନ୍ଦାଏ ମଧ୍ୟ ପାଣି ମିଳୁନାହିଁ । ସୂଚନା ମୁତାବକ, ଗତ ଦୁଇ ବର୍ଷ ତଳେ ଡମଝର ଗାଁରୁ ରୁଣିବସା ଗାଁକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରହିଛି । ରୁଣିବସାଠାରେ ସରକାରଙ୍କ ତରଫରୁ ଗୋଟିଏ ଓଭରର୍ହେଡ ଟ୍ୟାଙ୍କ ନିର୍ମାଣ ସରିଛି । ତେବେ ଓଭରହେଡ ଟ୍ୟାଙ୍କ ନିର୍ମାଣ ହେବା ଦିନଠାରୁ ସେଥିରୁ ମୁନ୍ଦାଏ ପାଣି ପାଇନାହାନ୍ତି ସାଧାରଣ ଜନତା । ଫଳରେ ଲକ୍ଷ ଲକ୍ଷ ଟଙ୍କା ଖତ ଖାଉଛି ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଏ ନେଇ ଗାଁର ମହିଳାମାନେ ଗାଁ ରାସ୍ତା ଉପରେ ମାଠିଆ, ଗରା, ବାଲଟି ଧରି ରାସ୍ତା ଅବରୋଧ କରିଥିଲେ ।
ସୂଚନା ଅନୁସାରେ, ଗାଁରେ ନଳକୂପ ପାଣିର କଥା ନ କହିବା ଭଲ । ଗାଁର ମହିଳାମାନେ ଦୁଇ କିଲୋମିଟର ଦୂର ନଦୀକୁ ଯାଇ ଟାଣ ଖରାରେ ପିଇବା ପାଣି ଆଣୁଥିବା ଅଭିଯୋଗ କରିଛନ୍ତି । ସଂପୃକ୍ତ ପାଇପ ପୋତାଯାଇଥିବା ଠିକାଦାରଙ୍କୁ ଏ ବିଷୟରେ ପଚାରିବାରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କର୍ଲାକୋଟଠାରୁ ରୁଣିବସା, ଡମଝରରୁ ପଲସଦା ଛକରେ ସଂଯୋଗ ହୋଇଛି । ରାସ୍ତା କାମ ଠିକାଦାରଙ୍କ ମେସିନରେ କାମ କରିଥିବାରୁ ପାଇପ ଗୁଡ଼ିକ ବାରମ୍ବାର ନଷ୍ଟ ହୋଇଥିବାରୁ ମରାମତି ମଧ୍ୟ କରାଯାଉଛି ବୋଲି ସଂପୃକ୍ତ ଠିକାଦାର ପ୍ରକାଶ କରିଥିଲେ । ଗ୍ରାମବାସୀଙ୍କ କହିବା ଅନୁସାରେ ଦୀର୍ଘ ଦୁଇ ବର୍ଷ ହେଲା ୬ ମାସରେ ଦୁଇଥର ପାଣି ଆସୁଛି । ଗାଁରୁ ନିକଟସ୍ଥ ଘରଧରା ନଦୀକୂଳରେ ଏକ ଗଭୀର କୂଅ ଖୋଲି ସ୍ଵତନ୍ତ୍ର ବ୍ୟବସ୍ଥା କରି ପାଣି ଯୋଗାଣ କରାଗଲେ ପାଣି ପାଇପାରିବୁ ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ । ଗାଁରେ ଜନସଂଖ୍ୟା ପ୍ରାୟ ଏକ ହଜାର ରହିଥିବା ବେଳେ ଗୋଟିଏ ୱାର୍ଡ ରହିଛି । ସେଠାରେ ଏକ ପ୍ରାଥମିକ ବିଦ୍ୟାଳୟ ଅଛି, ହେଲେ ମଧ୍ୟାହ୍ନ ଭୋଜନ ପାଇଁ ରାନ୍ଧିବା କଷ୍ଟକର ହେଉଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ଅସୁବିଧା ଭୋଗି ଆସୁଛନ୍ତି । ଏ ସଂପର୍କରେ ସ୍ଥାନୀୟ ସରପଞ୍ଚ ସଦାଶିବ ବେହେରାଙ୍କୁ ପଚାରିବାରୁ, ସମ୍ପୃକ୍ତ ଠିକାଦାର ଓ ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଛି, ତେବେ ଖୁବଶୀଘ୍ର ଜଳ ଯୋଗାଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।
ଅପରପକ୍ଷେ ପାଣି ଯୋଗାଣ କରାନଗଲେ, ୨୦୨୪ ନିର୍ବାଚନ ପାଇଁ ଗାଁ ବିଦ୍ୟାଳୟରେ ମତଦାନ କେନ୍ଦ୍ର କରାନଗଲେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ନାଏବ ସରପଞ୍ଚ ସସ୍ମିତା ବେହେରା, ୱାର୍ଡ ମେମ୍ବର ସେବନି ବେହେରାଙ୍କ ସହ ସମସ୍ତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ନୂଆପଡାରୁ କୀର୍ତ୍ତି ଚନ୍ଦ୍ର ନାଗ