ତୃତୀୟ ସପ୍ତାହରେ “ତ୍ରିକନ୍ୟା”…

ଭୁବନେଶ୍ୱର, ୨୨/୩ : ଅମୀୟ ପଟ୍ଟନାୟକ ପ୍ରଡକସନ୍ସ ଓ ଟେକ୍ନୋ ଆର୍ଟ୍ସ ବ୍ୟାନରରେ ନିଦେ୍ର୍ଦଶକ ଅନୁପମ ପଟ୍ଟନାୟକ ନିର୍ମାଣ କରିଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର “ତ୍ରିକନ୍ୟା” ବିଶ୍ୱ ମହିଳା ଦିବସ ରେ ମୁକ୍ତିଲାଭ କରିଥିବା ବେଳେ ସଫଳତାର ସହ ୩ ସପ୍ତାହରେ ପହଁଚିସାରିଛି । ନିଦେ୍ର୍ଦଶକ ଅନୁପମ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଭିନ୍ନ ଭିନ୍ନ କାହାଣୀକୁ ନେଇ ଓଡ଼ିଆ ଦର୍ଶକଙ୍କ ରୁଚିକୁ ଆଖିରେ ରଖି ସିନେମା ନିର୍ମାଣ କରିଚାଲିଛନ୍ତି । ତ୍ରିକନ୍ୟାର କାହାଣୀ ସମ୍ପୂର୍ଣ୍ଣ ନିଆରା । ଭିନ୍ନ ଭିନ୍ନ ପରିସ୍ଥିତି ଆଉ ପରିବେଶ ରୁ ଆସିଥିବା ତିନି ଜଣ ମହିଳା କିପରି ବିଭିନ୍ନ ପ୍ରକାରର କଠିନ ସମସ୍ୟାର ସମାଧାନ କରୁଛନ୍ତି ତାହାକୁ ନେଇ ତ୍ରିକନ୍ୟା ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି । ଅଭିନୟରେ ବର୍ଷା ପଟ୍ଟନାୟକ, ମନୋଜ ମିଶ୍ର, ସୁକାନ୍ତ ରଥ, ପାର୍ଥ ସାରଥୀ, ଅମନ, ଶ୍ରଦ୍ଧା ପାଣିଗ୍ରାହୀ, ନିଶାନ୍ତ ମାଜିଥିଆ, ନିଭି ଓ ସିଜନ ମହାପାତ୍ର, ଶକ୍ତି ବରାଳ ଓ ତୃପ୍ତି ସିହ୍ନା ପ୍ରମୁଖ ଅଛନ୍ତି ।
କାହାଣୀ ଓ ଲେଖକ ମାନସ ପଢ଼ିଆରୀ, ଗୀତ ରଚନା କରିଛନ୍ତି କପିଳେଶ୍ୱର ରାଉତ, ସ୍ଥିତ ପଟ୍ଟନାୟକ ଓ ସୁମିତ ପଣ୍ଡା । ଶ୍ରୀକାନ୍ତ ପଣ୍ଡାଙ୍କ ସହିତ ମିଳିତ ଭାବେ ଅନୁରାଗ ପଟ୍ଟନାୟକ ସଙ୍ଗୀତ ନିଦେ୍ର୍ଦଶନା ଦେଇଛନ୍ତି । ଚିତ୍ରତୋଳନ କରିଛନ୍ତି ଦୀପକ କୁମାର, ରଶ୍ମି ରଞ୍ଜନ ଦାସ ସମ୍ପାଦନା ଏବଂ ଶକ୍ତି ସ୍ୱରୂପ ଦ୍ୱିବେଦୀ ସାଉଣ୍ଡ ଡିଜାଇନିଂ କରିଛନ୍ତି । ତ୍ରିକନ୍ୟାରେ ତିନିଟି ଗୀତ ଅଛି । ସେଥିରେ କଣ୍ଠଦାନ କରିଛନ୍ତି କୁଲଦୀପ ପଟ୍ଟନାୟକ, ଡ଼ି. ଅଭିଷେକ, ସଂଚିତା, ଅବିନାଶ ଦାଶ ଓ ଅନ୍ତରା ଚକ୍ରବର୍ତୀ ।
ଅମୀୟ ପଟ୍ଟନାୟକ ପ୍ରଦକସନ୍ସ ଠାରୁ ଆରମ୍ଭ କରି ଅନୁପମ ପଟ୍ଟନାୟକଙ୍କ ଟେକ୍ନୋ ଆର୍ଟ୍ସ ପର୍ଯ୍ୟନ୍ତ, ରାଜାରାଣୀ ଠାରୁ ଆରମ୍ଭ କରି ତ୍ରିକନ୍ୟା ପର୍ଯ୍ୟନ୍ତ ଜଣେ ନିଷ୍ଠାପର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଗୋପାଳ ଚନ୍ଦ୍ର ଘଡ଼ାଇ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି । ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ପାଇଥିବା ଅନୁପମଙ୍କ ପୂର୍ବ ଚଳଚ୍ଚିତ୍ର ପ୍ରତୀକ୍ଷା ଜରିଆରେ ସାମାଜିକ ପ୍ରସଙ୍ଗ ସମ୍ବନ୍ଧୀୟ ସିନେମା ପ୍ରତି ସେ ନିଜର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି । ବିଶ୍ୱ ମହିଳା ଦିବସରେ ମୁକ୍ତିଲାଭ କରିଥିବା ତ୍ରିକନ୍ୟା ୩ ସପ୍ତାହ ହେଲା ବେଶ ଦର୍ଶାକାଦୃତ ହେଉଛି ଏବଂ ତ୍ରିକନ୍ୟା ୫୦ ଦିନ ସଫଳତାର ସହ ପ୍ରେକ୍ଷାଳୟରେ ଚାଲିବ ବୋଲି ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଥିବା ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ପ୍ରକାଶ କରିଛନ୍ତି ।