ବେଆଇନ କ୍ରସର ବିରୋଧରେ ଅଭିଯୋଗ ନେଲେନି ତହସିଲଦାର…

ଉପଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କଲେ ଅଂଚଳବାସୀ
ଢେଙ୍କାନାଳ : ବେଆଇନ କ୍ରସର୍ ୟୁନିଟ୍ ବନ୍ଦ ନହେଲେ ଗ୍ରାମବାସୀଙ୍କ ପକ୍ଷରୁ ଭୋଟ ବର୍ଜନ ନିଷ୍ପତି । କ୍ରସର ଧୂଳି ଧୂଆଁରେ ଅସ୍ତ ବ୍ୟସ୍ତ ମାନିଆନାଳି ଗ୍ରାମବାସୀ । କ୍ରସର୍ ଗୁଣ୍ଡ ଯୋଗୁଁ ପୋଖରୀ ଓ ପିଇବା ପାଣି ପ୍ରଦୂଷିତ ହେଉଥିବା ଅଭିଯୋଗ । ଗ୍ରାମର ଅଧିକାଂଶ ବ୍ୟକ୍ତି କିଡିନ ରୋଗରେ ଆକ୍ରାନ୍ତ । ପ୍ରଶାସନିକ ସ୍ଥାଣୁତା ବିରୋଧରେ ଗ୍ରାମର ମହିଳାମାନେ ଏକଜୁଟ । ହିନେ୍ଦାଳ ଉପଖଣ୍ଡ କାରନ୍ଦା ଗ୍ରାମପଂଚାୟତର ମାନିଆନାଳି ଗ୍ରାମ ନିକଟରେ ଅବସ୍ଥାପିତ କ୍ରସର୍ ୟୁନିଟଗୁଡ଼ିକରୁ ନିର୍ଗତ ଦୂଷିତ ଧୂଳି ଧୂଆଁ ଓ ଗୁଣ୍ଡ ଯୋଗୁଁ ଗ୍ରାମବାସୀ ଅତିଷ୍ଠ ହୋଇ ପଡ଼ି ଥିବାରୁ ସେଗୁଡ଼ିକୁ ବନ୍ଦ ଦାବି କରି ଗ୍ରାମର ଶତାଧିକ ମହିଳା ହିନ୍ଦୋଳ ଉପଜିଲ୍ଲାପାଳଙ୍କୁ ଜନ ଅଭିଯୋଗ ଶୁଣାଣୀ ଶିବିରରେ ଭେଟି ଲିଖିତ ଭାବେ ଗୁହାରି କରିଛନ୍ତି ।
ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ପ୍ରଥମେ ମହିଳାମାନେ ଉପସ୍ଥିତ ତହସିଲଦାର ଦିଲ୍ଲୀପ କୁମାର ସେଠୀଙ୍କୁ ଲିଖିତ ଭାବେ ଜଣାଇବାରେ ସେ ଗ୍ରାମ ମହିଳାଙ୍କଠାରୁ ଅଭିଯୋଗ ଫର୍ଦ୍ଦ ଗ୍ରହଣ ନକରି ଉପଜିଲ୍ଲାପାଳଙ୍କୁ ଜଣାଇବାକୁ କହି ଥିଲେ । ଏଥିରୁ ସ୍ପଷ୍ଟ ବାରି ହେଉଛ୍ ଯେ, ପ୍ରଶାସନିକ ସ୍ତରରେ ଗ୍ରାମ ନିକଟରେ ଏବଂ ବିଭିନ୍ନ ଅଂଚଳରେ ଚାଲୁ ରହିଥିବା କ୍ରସର୍ ୟୁନିଟ୍ କେତେ ନିୟମ ଅନୁସାରେ ଚାଲୁ ରହିଛି ଓ କେତେ ବେଆଇନ ଭାବେ ଗଢି ଉଠିଛି । ସାଧାରଣ ଲୋକଙ୍କ ଅଭିଯୋଗ ମୁତାବକ ତଦନ୍ତ କରି ନ୍ୟାୟ ଦେବା ପରିବର୍ତେ ଯଦି ଉପରିସ୍ଥ ଅଧିକାରୀମାନେ ସାଲା ସୁତୁରାରେ କାର୍ଯ୍ୟ କରନ୍ତି ତେବେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ ସେ ନେଇ ମାନିଆନାଳି ଗ୍ରାମର ମହିଳା ମାନେ ତହସିଲଦାରଙ୍କୁ ବାରମ୍ବାର ପ୍ରଶ୍ନ କରି ଘାଇଲା କରି ଦେଇଥିଲେ । ସେମାନଙ୍କ ଅଭିଯୋଗ ମୁତାବକ ଗ୍ରାମରେ ୫ଶହରୁ ଅଧିକ ଲୋକ ବସବାସ କରୁଥିବା ବେଳେ ଦିନ ରାତି କ୍ରସରରୁ ନିର୍ଗତ ଗୁଣ୍ଡ ଧୂଳି ଧୂଆଁ ଯୋଗୁଁ ସେମାନଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ସେହିଭଳି ଗାଧେଇବା ପାଣି ଦୂଷିତ ହୋଇ ପଡ଼ିଥିବା ବେଳେ ଖୋଲା କୂଅର ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରି ଅନେକ ପରିବାରର ସଦସ୍ୟ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏଥିରୁ ମୁକ୍ତି ପାଇଁ ଗ୍ରାମବାସୀଙ୍କ ବାରମ୍ବାର ବିରୋଧ ସତ୍ୱେ ବହୁ କ୍ରସର ୟୁନିଟ୍ ନିର୍ମାଣ ହୋଇଛି ।
ହିନ୍ଦୋଳ – ଗୁଡ଼ିଆକାଟେନି ମୁଖ୍ୟ ରାସ୍ତାର ବଲିମୀ ଛକଠାରୁ ଗୁଡ଼ିଆକାଟେନି ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଦୀର୍ଘ ବର୍ଷ ଧରି ବହୁ କ୍ରସର ଚାଲୁ ରହିଥିବାରୁ ଦିନ ଦ୍ୱିପ୍ରହରରେ ଉକ୍ତ ରାସ୍ତା ଦେଇ ଯାନବାହନ ଚଳାଚଳ କରିବାରେ ବାଧା ପ୍ରାପ୍ତ ହେଉଛି । ବହୁ ମାତ୍ରାରେ ନିର୍ଗତ ଧୂଳି ଧୂଆଁ ଯୋଗୁଁ ଯାତ୍ରୀ ଓ ସାଧାରଣ ଲୋକେ ଅତିଷ୍ଠ ହୋଇ ପଡୁଛନ୍ତି । ବିଭିନ୍ନ ସମୟରେ ଏ ବାବଦରେ ବିରୋଧ କରାଯାଇଥିଲେ ମଧ୍ୟ କ୍ରସର ମାଲିକଙ୍କ ପ୍ରତି ପ୍ରଶାସନିକ ସହଯୋଗ ଥିବାରୁ ସମସ୍ୟା ପୂର୍ବ ଭଳି ଜାରି ରହିଛି । ଯଦି ଏଗୁଡ଼ିକର ସମାଧାନ କରା ନଯାଏ ତେବେ ଗ୍ରାମର ମହିଳାମାନେ ରାଜ ରାସ୍ତା ଅବରୋଧ କରିବା ସହିତ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ।
ଅଭିଯୋଗପତ୍ର ପ୍ରଦାନ ସମୟରେ ଗ୍ରାମ ପକ୍ଷରୁ ସୁଲୋଚନା ବେହେରା, କୁନ୍ତଳା ବେହେରା, ରଶ୍ମିତା ବେହେରା, ସସ୍ମିତା ସାହୁ, ଲିଲା ବେହେରା, ସୁକାନ୍ତି ବେହେରା, ଲବଙ୍ଗ ବେହେରା, ମାମି ସାହୁ, ଗୋଲାପ ବେହେରା, ଶଶି ରାଉତ, ନାବନ୍ ସାହୁ, ରୋଜାଲିନ ମହାଭୋଇ, ମୀତାରାଣୀ ରାଉତ ପ୍ରମୁଖ ଶତାଧିକ ମହିଳା ଉପସ୍ଥିତ ରହିଥିଲେ ।