ତିଳ ତିଳ ହୋଇ ମରୁଛି ପୁଅ; ବାପା ସମ୍ଭାଳୁଛି କୋହ…

ଓଡାପଡା : ମା ଛେଉଣ୍ଡ ଅଭିଆଡ଼ି ଭେଣ୍ଡିଆ ପୁଅ । ଭାଇ ଭଗାରିଆ ସମାଜରେ ସାହାରା କହିଲେ ବୁଢ଼ା ବାପାଟିଏ । ନାଁ ତାଙ୍କର ଆଗକୁ କିଏ -ନାଁ ପଛକୁ କିଏ ଅଛି । ଖଟିଖିଆ ମଳି ମୁଣ୍ଡିଆ ଲୋକ ଏମାନେ । ପର ପାଖରେ ମୂଲ ଲାଗିଲେ ଘରେ ଚୁଲୀ ଜଳୁଥିଲା । ଆଉ ବୁଢ଼ା ବାପା ପେଟରେ ଦାନା ପଶୁଥିଲା । ହେଲେ ଏବେ ବାପା ମନ ଆଉ ବୁଝୁନି । କାରଣ ବାପା ଜାଣିଛି ଘରର ମା ଛେଉଣ୍ଡ ଅଭିଆଡି ଭେଣ୍ଡିଆ ପୁଆଟା ଏବେ ଜୀବନ ମରଣର ଦୋ ଛକିରେ ମୃତ୍ୟୁ ସହ ଲଢେଇ କରୁଛି । କ୍ୟାନ୍ସର ଭଳି ଦୂରାରୋଗ୍ୟରେ ପୀଡିତ ପୁଅ । ଭଲ କରିବା ପାଇଁ ବହେ ସମ୍ବଳ ଦରକାର । ଡାକ୍ତର କହୁଛନ୍ତି ଲକ୍ଷାଧିକ ଟଙ୍କାର ଆବଶ୍ୟକ ପଡିବ । ଲେଜର ସ୍କାନିଂ ହବ, ବଡ଼ ଅପରେସନ ହେବ । ସେଥିପାଇଁ ବେଶୀ ପଇସା ଆବଶ୍ୟକ । ହେଲେ ବୁଢ଼ା ବାପାଟା ଏହି ପରିଣତ ବୟସରେ କରିବ ବା କଣ । ଶେଷରେ ସବୁ ଆଶା ଆଉ ଭରଷାକୁ ମାଟିରେ ମିଶେଇ ପୁଅର ଶେଷ ସମୟକୁ ଅନେଇ ବସିଛି ବାପା । କାରଣ ପର ପାଖରେ ମୁଲ ଲାଗି ଘରକୁ ଟଙ୍କା ଯୋଗାଉଥିବା ମଣିଷଟା ଆଜି ଟଙ୍କା ଅଭାବ ପାଇଁ ମୃତ୍ୟୁ ଶେଯରେ ।
ଏ କଥା ଭାବି ଭାବି ବାପା ଆଖିରୁ ବି ଲୁହ ଶୁଖୁନି । ଏ ହୃଦୟ ବିଦାରକ ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକବଦାଳୋ ଗ୍ରାମପଂଚାୟତ ଅନ୍ତର୍ଗତ ଘୋଡ଼ାଡ଼ିଆଁ ଗ୍ରାମର । ସୂଚନା ଅନୁସାରେ, ଘୋଡାଡିଆଁ ଗ୍ରାମର ଧିର ପରିଡାଙ୍କ ପୁଅ ପ୍ରଶାନ୍ତ ପରିଡା ବୃତିରେ ଜଣେ ରାଜମିସ୍ତ୍ରୀ ଥିଲେ ।ରାଜମିସ୍ତ୍ରୀ କାମ କରି ଯାହାଯେତିକିରୋଜଗାର ହେଉଥିଲାସେତିକିରେ ବାପା- ପୁଅ ଚଳୁଥିଲେ । ହେଲେ ଗତ ଛ ମାସ ହେବ ପ୍ରଶାନ୍ତ କ୍ୟାନସର ରୋଗରେ ପୀଡିତ ହୋଇ ମରଣ ସହ ଲଢେଇ କରୁଛନ୍ତି ।
ପ୍ରଶାନ୍ତଙ୍କର ଏ ରୋଗ ବାବଦରେ ପରିବାର ଲୋକ ଜାଣିବା ପରେ ତାଙ୍କୁ ଭଲ କରିବା ପାଇଁ କଟକସ୍ଥିତ କ୍ୟାନ୍ସର ମେଡିକାଲକୁ ନେଇଥିଲେ । ମେଡିକାଲରେ ମାସ ମାସ ଧରି ପ୍ରଶାନ୍ତଙ୍କର ଚିକିତ୍ସା ହେଲା ହେଲେ କିଛି ସୁଫଳ ହେଲାନି । ଡାକ୍ତର କହିଲେ ଭଲ ହେବା ପାଇଁ ଆହୁରି ବଡ଼ ଡାକ୍ତରଖାନାକୁ ଯିବାକୁ ପଡିବ ଏବଂ ଏଥିପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି । ଯେଉଁଠି ନିଜ ପେଟକୁ ଦାନା ଯୋଗାଡ କରିବା କଷ୍ଟକର ସେଠାରେ ଲକ୍ଷାଧିକ ଟଙ୍କା କେଉଁଠୁ ଆଣିବେ ସେ ଚିନ୍ତାରେ ବୁଢ଼ା ବାପା । ଏଭଳିସ୍ଥଳେ ବାଧ୍ୟ ହୋଇ ସେ ପୁଅକୁ କ୍ୟାନ୍ସର ହସ୍ପିଟାଲରୁ ଫେରାଇ ଆଣି ଘରେ ରଖିଛନ୍ତି । ଆଉ ନୀରବରେ ପୁଅର ମଥାକୁ ଆଉଁସି ଅନେକ ଭାବନାକୁ ଜଳାଞ୍ଜଳି ଦେଉଛନ୍ତି । ଏ ଦୃଶ୍ୟ ଦେଖି ସତରେ ଆମେ ମଧ୍ୟ କିଛି କ୍ଷଣ ପାଇଁ ସ୍ତବ୍ଧ ହୋଇଯାଇଥିଲୁ । କାରଣ ବାପାଟିଏ ଆଜି ପଇସାର ଅଭାବ ପାଇଁ ନିଜ ପୁଅର ମରଣକୁ ନିଜ ଆଖି ଆଗରେ ଦେଖି ସହିଯାଉଛି ।
କ୍ୟାନ୍ସର ଭଳି ଦୂରାରୋଗ୍ୟ ପାଇଁ ଅନେକ ନିରାକରଣ ବାହାରିଛି । ଏପରିକି କଟକସ୍ଥିତ ଆଚାର୍ଯ୍ୟ ହରିହର ହସ୍ପିଟାଲ ମଧ୍ୟ ରହିଛି । ଆଗାମୀ ଦିନରେ ରାଜ୍ୟରେ ଆହୁରୀ ଅନେକ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ହେଉଛି । ତେବେ କ୍ୟାନ୍ସର ପୀଡିତଙ୍କ ପାଇଁ କେବଳ ଯେ ଚିକିତ୍ସା ଆବଶ୍ୟକ ତାହା ନୁହେଁ । ଏଭଳି ସ୍ଥଳେ ପରିବାର ଲୋକ ଏବଂ ପୀଡିତଙ୍କୁ ହତୋତ୍ସାହିତ କରିବା ଭଳି ବ୍ୟବହାର ସେମାନଙ୍କର ବଂଚିବା ଆଶାକୁ କ୍ଷୀଣ କରିଦିଏ । ଯଦି ସରକାର ଏ ଦିଗରେ ଧ୍ୟାନ ଦିଅନ୍ତେ ତେବେ ହୁଏତ ଅନେକ କ୍ୟାନ୍ସର ପୀଡିତ ଏ ଲଢେଇରେ ଆଉ କିଛି ଦିନ ଆଗେଇପାରନ୍ତେ ।