ଚିତ୍ରୋତ୍ପଳାନଦୀରେ ଗଢି ଉଠିବ ସମ୍ପର୍କର ସେତୁ…

ନିଶ୍ଚିନ୍ତକୋଇଲି : କଟକ ସଦର ନିର୍ବାଚନ ମଣ୍ଡଳୀର ଜନାର୍ଦ୍ଦନପୁର ପଂଚାୟତ ଶନିଶ୍ଚରପୀଠଠାରୁ ଚିତ୍ରୋତ୍ପଳା ନଦୀରେ ଏକ ସ୍ଥାୟୀ ସେତୁ ନିର୍ମାଣ ନିମନ୍ତେ ଏହାର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜନାର୍ଦ୍ଦନପୁର ଶନିଶ୍ଚର ପୀଠରେ ଆୟୋଜିତ ଶିଳାନ୍ୟାସ ସମାରୋହରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେଇ କହିଥିଲେ ଯେ,ଏହି ସେତୁ ଏକ ସମ୍ପର୍କର ସେତୁ ହେବ । କଟକ ସଦର ସହିତ ମାହାଙ୍ଗାକୁ ଯୋଡିବାର ଏହା ଏକ ନିବିଡ଼ ପ୍ରୟାସ । ଆୟୋଜିତ ଉତ୍ସବରେ ଅଧ୍ୟକ୍ଷତା କରି ପ୍ରାକ୍ତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା କହିଥିଲେ ଯେ, ଏଠାରେ ସେତୁ ଓ ସାମ୍ପ୍ରସାରିତ ରାସ୍ତା ହେବାଦ୍ୱରା ଏ ଅଂଚଳର ବକାଶ ତ୍ୱରାନ୍ୱିତ ହେବ ।ଏହି ସେତୁର ଲମ୍ବ ୯୦୦ମିଟର ହେଉଥିବା ବେଳେ, ଏଥିପାଇଁ ପ୍ରାରମ୍ଭିକ ବ୍ୟୟ ଅଟକଳ ୬୩ କୋଟି ହୋଇଥିବା ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଥିଲେ । ଏହି ସେତୁ କଟକ ସଦରର ଜନାର୍ଦ୍ଦନପୁର ସହ ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୋଲଣପୁର ପଂଚାୟତର କୁଳିଆକୁ ସଂଯୋଗ କରିବ । ସେତୁ ନିର୍ମାଣ ହେବାଦ୍ୱାରା କଟକ ସଦର, ମାହାଙ୍ଗା, ସାଲେପୁର, ନିଶ୍ଚିନ୍ତକୋଇଲି ବ୍ଲକ ସହ ଯୋଗାଯୋଗ ସୁଗମ ହୋଇପାରିବ । ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ବିଳାସ ଭୋଇ, ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକ, କଳମିଶ୍ରି ସରପଂଚ ଅନନ୍ତ କର, ସରପଂଚ ବିଶ୍ୱ ଭୂଷଣ ନାୟକ, ସମିତି ସଭ୍ୟ ରଞ୍ଜନ ବେହେରା, ପ୍ରାକ୍ତନ ସରପଂଚ ପ୍ରଦୀପ୍ତ ଷଡ଼ଙ୍ଗୀ,ବିଜେଡିନେତା ଅଚ୍ୟୁତାନନ୍ଦ ଦାସ, ବିଶ୍ୱଜିତ ପରିଡା ପ୍ରମୁଖ ଉଦବୋଧନ ଦେଇଥିଲେ । ଏହି ଅବସରରେ ହିତାଧିକାରୀଙ୍କୁ ଜମି ପଟ୍ଟା, ଭତା ଆଦି ପ୍ରଦାନ କରାଯାଇଥିଲା ।