ଅସହାୟଙ୍କ ଦୁଃଖ ବୁଝିଲେ ସମାଜସେବୀ…

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ବରକନ୍ଦା ପଞ୍ଚାୟତ ସାଠିଏବାଟି ଗ୍ରାମର ଅସହାୟ ଗରିବ ନିରୀହ ବୃଦ୍ଧବୃଦ୍ଧାଙ୍କୁ ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟର ରାଜ୍ୟ ଉପ ଅଧ୍ୟକ୍ଷା ପ୍ରଜ୍ଞାପରମିତା ପ୍ରଧାନ ଏବଂ ଅଧ୍ୟକ୍ଷ ତଥା AICWC ର ରାଜ୍ୟ ଉପସଭାପତି କୁନା ଦିଗାଲଙ୍କ ମିଳିତ ସହଯୋଗରେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଛି l ଦୀର୍ଘ ଦିନ ଧରି ଯୋଗ୍ୟ ହିତାଧିକାରୀ ହୋଇ ମଧ୍ୟ ଭତ୍ତା, ଆବାସ ଗୃହ, ବିଜୁ ପକ୍କାଘର ଭଳି ସରକାରୀ ଯୋଜନାରୁ ବଞ୍ଚିତ ଥିଲେ ଏହି ବୃଦ୍ଧବୃଦ୍ଧା l ସରକାରୀ ସହାୟତା କହିଲେ କେବଳ ମାସକୁ ପାଞ୍ଚ କିଲୋ ଲେଖାଏଁ ଦୁହିଁଙ୍କର ଦଶକିଲୋ ଚାଉଳରେ ବଡ଼ ଦୁଃଖ କଷ୍ଟରେ ଚଳୁଥିଲେ । ଏପରିକି ପାଖରେ ନିଜର ବୋଲି ଦେଖାଶୁଣା କରିବା ନିମନ୍ତେ କେହି ନାହାନ୍ତି l କିଛି ଦିନ ପୂର୍ବରୁ ଉକ୍ତ ଗ୍ରାମର ସମାଜସେବୀ ନିର୍ମଳ ଏହି ବୃଦ୍ଧବୃଦ୍ଧାଙ୍କ ନିକଟକୁ କୌଣସି କାମରେ ଯାଇଥିଲେ l ସେଠାରେ ତାଙ୍କ ଦୁଃଖ ଦେଖି ସହ୍ୟ କରି ନ ପାରି ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟର ରାଜ୍ୟ ଉପାଧ୍ୟକ୍ଷା ପ୍ରଜ୍ଞାପରମିତା ପ୍ରଧାନଙ୍କୁ ଜଣେଇ ଥିଲେ l ଖବର ପାଇ ଶ୍ରୀମତି ପ୍ରଧାନ ଏବଂ କୁନା ଦିଗାଲ ମିଳିତ ଭାବେ ଆଲୋଚନା କରି ସମସ୍ତ ଦସ୍ତାବିଜ ସହିତ କେନ୍ଦ୍ରାପଡ଼ା ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଏବଂ ବ୍ଲକ୍ ସମାଜ ସୁରକ୍ଷା ଅଧିକାରୀ ଦୀପକ ରଞ୍ଜନ ପରିଡ଼ାଙ୍କୁ ଦେଖା କରି ବୃଦ୍ଧାବୃଦ୍ଧଙ୍କ ନାମରେ ବାର୍ଦ୍ଧକ୍ୟ ଭତ୍ତା କରିବା ନିମନ୍ତେ ଆଲୋଚନା କରିଥିଲେ l
ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଧିକାରୀ ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରି ଦୁଇ ଅସହାୟ ବୃଦ୍ଧବୃଦ୍ଧାଙ୍କ ନାମରେ ଭତ୍ତା ପ୍ରଦାନ କରିଥିବା ଜଣାପଡିଛି । ତେବେ ଜଣେ ସଚ୍ଚୋଟ ସରକାରୀ ଅଧିକାରୀ ଭାବେ ସେ ତାଙ୍କ କାର୍ଯ୍ୟକୁ ସଠିକ୍ ଢଙ୍ଗରେ କରିବାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି । ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟର ରାଜ୍ୟ ଉପାଧ୍ୟକ୍ଷା ପ୍ରଜ୍ଞାପରମିତା ଅସହାୟ ବୃଦ୍ଧବୃଦ୍ଧାଙ୍କୁ ନିଜ ଅର୍ଥରାଶିରୁ କିଛି ଅର୍ଥ ପ୍ରଦାନ କରିବା ସହ ତାଙ୍କ ଚଳିବା ପାଇଁ ରାସନ ସାମଗ୍ରୀ ଦେଇ ସହଯୋଗ କରିଥିଲେ l ଦୀର୍ଘ ଦିନର ଅପେକ୍ଷା ପରେ ଭତ୍ତା ପାଇବାର ଆଶା ଛାଡ଼ିଦେଇଥିବା ବୃଦ୍ଧବୃଦ୍ଧା ଦୁହେଁ ଭତ୍ତା ପାଇ ନିଜର ଖୁସି ଜାହିର କରିବା ସହ ପ୍ରଜ୍ଞାପରମିତା ପ୍ରଧାନ ଏବଂ ଶ୍ରୀ ଦିଗାଲଙ୍କ ଏଭଳି ସହଯୋଗ ପାଇଁ ତାଙ୍କୁ ସାଧୁବାଦ ଜଣାଇଛନ୍ତି ।