ଗୋଷ୍ଠୀ ଧାନଖଳା ଏବେ ମଦୁଆଙ୍କ ମେଲା ପଡିଆ….

ପଡୁନି ପୋଲିସର ଛାଟ୍ । ବେଆଇନ ମଦ ବେପାରୀଙ୍କୁ ଗିରଫ କରିବାକୁ ଦାବି କଲେ ଅଞ୍ଚଳବାସୀ ।
ହିନ୍ଦୋଳ : ମଦୁଆଙ୍କ ଆଡ୍ଡାସ୍ଥଳ ଗୋଷ୍ଠୀ ଧାନଖଳା । ହିନ୍ଦୋଳ ଉପଖଣ୍ଡ ବାଉଁଶପୋଖରୀ ପଞ୍ଚାୟତଠାରୁ ନୂଆକୋଟ ଡିହସାହି ସଂଯୋଗୀକରଣ ରାସ୍ତାର ଡିହସାହି ଗାଁ ମୁଣ୍ଡରେ ରହିଥିବା ଗୋଷ୍ଠୀ ଧାନଖଳା ଏବେ ମଦ୍ୟପ ତଥା ଅସାମାଜିକଙ୍କ ପାଇଁ ଆଡ୍ଡା ସ୍ଥଳରେ ପରିଣତ ହୋଇଛି । ଯାହାକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ଏ ନେଇ ପୂର୍ବରୁ ପଞ୍ଚାୟତର ବନ୍ଧାଭୂଇଁ ଗ୍ରାମ୍ୟ କମିଟି ପକ୍ଷରୁ ସର୍ବସାଧାରଣ ବୈଠକରେ ବେଆଇନ ମଦ କାରବାର ଓ ନିଶା ସେବନ ବିରୋଧର ସ୍ବର ଉତ୍ତୋଳନ କରାଯାଇ ସରପଞ୍ଚଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏପରିକି ବାରମ୍ବାର ଅଭିଯୋଗ ପରେ ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବେଆଇନ ମଦ ବେପାରୀଙ୍କୁ ଗିରଫ କରାଯାଇଥିଲା । ତେବେ କୋହଳ ଆଇନ ଯୋଗୁଁ ଗିରଫ ଅଭିଯୁକ୍ତମାନେ ମାନ୍ୟବର ଅଦାଲତରୁ ବେଲ୍ ପାଇ ପୁଣି ନିଜ ଧନ୍ଦା ଆରମ୍ଭ କରି ଦେଇଥିବାରୁ ଗୋଷ୍ଠୀ ଖଳାଟି ଏବେ ପୁନର୍ବାର ମଦ୍ୟପ ଓ ଅସାମାଜିକଙ୍କ ଆଡ୍ଡା ସ୍ଥଳରେ ପରିଣତ ହୋଇଛି ।
ତଥ୍ୟ ଅନୁସାରେ, ଉକ୍ତ ସ୍ଥାନଟି ପଞ୍ଚାୟତ ସୁନ୍ଦରାପାଳ ଉଚ୍ଚ ବିଦ୍ୟାଳୟଠାରୁ ମାତ୍ର ୨୦୦ମିଟର ଦୂରତା ମଧ୍ୟରେ ରହି ଥିବାବେଳେ ପଞ୍ଚାୟତର ପଡୋଶୀ କନ୍ତାମିଲା ପଞ୍ଚାୟତର ମୁଖ୍ୟ ପ୍ରବେଶ ଦ୍ଵାର । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ୭/୮ଟି ଗ୍ରାମର ଛାତ୍ରଛାତ୍ରୀ, ମହିଳା ଓ ସର୍ବ ସାଧାରଣ ଯାତାୟାତ କରିଥାଆନ୍ତି । ବହୁଳ ବେଆଇନ ଖୁଚୁରା ମଦ ପାଉଚ ମଦ ବିକ୍ରୟ ହେଉଥିବାରୁ ଏବଂ ପୋଲସର ଛାଟ ନ ପଡିବାରୁ ମଦ୍ୟପମାନେ ନିର୍ଦ୍ବନ୍ଦରେ ପାଉଚ ମଦ ପିଇ ନିଶାଶକ୍ତ ଅବସ୍ଥାରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିବା ନେଇ ଆଭିଯୋଗ ହୋଇ ଆସୁଛି । ଅପରପକ୍ଷେ ଗଣମାଧ୍ୟମରେ ଏ ନେଇ ବାରମ୍ବାର ଖବର ପ୍ରସାରିତ ହୋଇ ଆସୁଥିଲେ ହେଁ ଏହାକୁ ଚପାଇବା ପାଇଁ ଉଦ୍ୟମ କରାଯାଉଛି । ଉଭୟ ପଞ୍ଚାୟତର ସର୍ବସାଧାରଣ ସ୍ଥାନମାନଙ୍କରେ ଏହିଭଳି ଅସାମାଜିକ କାର୍ଯ୍ୟ କଳାପକୁ ଅଞ୍ଚଳର ଶିକ୍ଷିତ, ପାଠୁଆ ଛାତ୍ରଛାତ୍ରୀ ଏବଂ ବୁଦ୍ଧିଜୀବୀମାନେ ଘୋର ନିନ୍ଦା କରିଛନ୍ତି । ଏହାସହ ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବାକୁ ଦୃଢ ଦାବି ଉଠିଛି ।