ବେସାହାରା ନିଶାଗ୍ରସ୍ତ ଯୁବକଙ୍କ ସାହାଭରସା ସମାଜସେବୀ…

ଢେଙ୍କାନାଳ, (ସୁଜିତ୍ କୁମାର ବେହେରା) : ଯେଉଁଠି ପରିବାର ଲୋକ ହାର ମାନିଗଲେ, ସେଠାରେ ସହାୟ ହେଲେ ସମାଜସେବୀ । ଜଣେ ନିଶାଗ୍ରସ୍ତ ଯୁବକଙ୍କୁ କିଭଳି ବାଟକୁ ଅଣାଯିବ ତାର ବ୍ୟବସ୍ଥା ମଧ୍ୟ କରାଇଲେ । ବର୍ତମାନ ସମାଜରେ ନିଶା ଏକ ସାମାଜିକ ବ୍ୟଧି ହୋଇ ମୁଣ୍ଡ ଟେକିଛି । ଏପରିକି ନିଶାଗ୍ରସ୍ତ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ନିଜର ହିତାହିତ ଜ୍ଞାନ ଭୁଲି ସମାଜକୁ ପଥଭ୍ରାନ୍ତ କରାଉଛନ୍ତି ।
ସୂଚନା ଅନୁସାରେ, ମୋ ଗାଁ ମୋ ସମ୍ମାନ ଅଭିଯାନ ମାଧ୍ୟମରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ “ଜନ ମଙ୍ଗଳ’ ରାସୋଳ ତରଫରୁ ଜଣେ ପଥଭ୍ରଷ୍ଟ ବ୍ୟକ୍ତିଙ୍କୁ ସହାୟ କରାଯାଇଛି । ସେହି ବ୍ୟକ୍ତି ଜଣକ ହେଉଛନ୍ତି ଅମୀୟ । ଅମୀୟ ଘର ଘର ବୁଲି ନିଜକୁ ରକ୍ତ କର୍କଟ ରୋଗୀର ପରିଚୟ ଦେଇ ଆର୍ଥôକ ସହାୟତା ରାଶି ଭିକ୍ଷା ଯାଚନା କରନ୍ତି । ଏହିଭଳି ବିକଳ ଦୃଶ୍ୟ ଜନ ମଙ୍ଗଳ (ରାସୋଳ) ସଂଗଠନର ପ୍ରତିଷ୍ଠାତା ବିଭୁ ଶତପଥୀଙ୍କର ନଜରକୁ ଆସିବା ପରେ ସେ ତାକୁ ଆଶ୍ୱାସନା ପ୍ରଦାନ ପୂର୍ବକ ଜଳଖିଆ ଦେଇ ପରିସ୍ଥିତି ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥିଲେ । ତେବେ ଅମୀୟ ସହ କଥାବର୍ତ୍ତା ପରେ ସେ ଜାଣଇବାକୁ ପାଇଲେ ଯେ ଅମୀୟଙ୍କ ପିତୃ ବିୟୋଗ ହୋଇସାରିଥିବାବେଳେ ତାଙ୍କର ବିଧବା ମା ପର ଘରେ ବାସନ ମାଜି ଜୀବନ ଅତିବାହିତ କରନ୍ତି । ତାଙ୍କର ଏକମାତ୍ର ଭଉଣୀଙ୍କର ମଧ୍ୟ ବାହାଘର ହୋଇସାରିଛି । ଏପରିକି ଅମୀୟ ନିଜେ ବିଭା ହେବା ସହ ତାଙ୍କର ଏକ କନ୍ୟା ସନ୍ତାନ ରହିଛନ୍ତି । ପରିବାର ସମ୍ପନ୍ନ ଜଣେ ବ୍ୟକ୍ତି ନିଜ ଚିକିତ୍ସା ପାଇଁ ଅର୍ଥ ମାଗିବା ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସଂଗଠନର ପ୍ରତିଷ୍ଠାତା ବିଭୁ ଶତପଥୀ ଓ ସଂଗଠନର ସେବକ ପ୍ରଶାନ୍ତ ଦାସ ନିଜ ମଟର ସାଇକେଲ ଯୋଗେ ରାଜମୋହନପୁର ସ୍ଥିତ ଅମୀୟଙ୍କ ଭଉଣୀ ଘରକୁ ଯାଇଥିଲେ ।
ସେଠାରୁ ପଚାରିବାରୁ ଜଣାପଡିଲା ଯେ ଅମୀୟ ହେଉଛନ୍ତି ଜଣେ ଅଭ୍ୟାସଗତ ନିଶାଖୋର ମଦ୍ୟପ ବ୍ୟକ୍ତି । ଏପରିକି ନିଶା କାରଣରୁ ଅମୀୟଙ୍କ ସ୍ତ୍ରୀ ଏବଂ ଝିଅ ତାଙ୍କୁ ଛାଡି ନିଜ ବାପା ଘରେ ରହୁଛନ୍ତି । ଅମୀୟଙ୍କ ପରିବାର ଲୋକେ ତାଙ୍କୁ ବହୁ ବୁଝାସୁଝା କରିବା ପରେ ମଧ୍ୟ ସେ ନିଶା ନ ଛାଡିବାରୁ ସେମାନେ ମଧ୍ୟ ତାଙ୍କୁ ପର କରିଦେଇଥିବା ଜଣାପଡିଥିଲା । ତେଣୁ ନିଶାର ଖୋରାକ ପାଇଁ ଅମୀୟ ଗାଁ ଗାଁ ବୁଲି ନିଜେ ରକ୍ତକର୍କଟ ରୋଗୀ ଭାବେ ମିଥ୍ୟା ପରିଚୟ ଦେଇ ଭିକ୍ଷା ବୃତ୍ତିି କରି ଅଧାରୁ ଅଧିକ ଟଙ୍କାର ମଦ୍ୟପାନ କରୁଥିବା ଜଣା ପଡିଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ସଂଗଠନର ପ୍ରତିଷ୍ଠାତା ଏବଂ ସଂଗଠନର ସେବକ ପ୍ରଥମେ ଅମୀୟଙ୍କୁ ହିନେ୍ଦାଳ ଉପଖଣ୍ଡସ୍ତରୀୟ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଡାକ୍ତରଙ୍କ ପରାମର୍ଶକ୍ରମେ ଆବଶ୍ୟକୀୟ ରକ୍ତ ପରୀକ୍ଷା କରି ତାଙ୍କୁ ମାଗଣା ଔଷଧ ପ୍ରଦାନ କରିଛନ୍ତି ।
ଏହାସହ ବିଭୁ ଶତପଥୀ ନିଜେ ଅମୀୟଙ୍କୁ ‘ଆଗେଇବା’ ପରିବାରର ପଣ୍ଡିତ ନୀଳକଣ୍ଠ ସ୍ୱାସ୍ଥ୍ୟ ସେବା ଯାନରେ ନିଶୁଳ୍କ ସେବା ପ୍ରଦାନ ପୂର୍ବକ ଅନୁଗୋଳ ସ୍ଥିତ ଲକି ଆଇଆରସିଏ ନିଶା ମୁକ୍ତି କେନ୍ଦ୍ର ସହ ଅନୁଗୋଳର ସମାଜ ସେବିକା ଚିନ୍ମୟୀ ଦାସଙ୍କ ମାଧ୍ୟମରେ ଯୋଗାଯୋଗ କରି ସେଠାକୁ ସ୍ଥାନାନ୍ତରିତ କରିଛନ୍ତି । ଏହି ଅବସରରେ ବିଭୁ ଶତପଥୀଙ୍କ ସମେତ ନିଶା ମୁକ୍ତି କେନ୍ଦ୍ର କର୍ମଚାରୀ ଦେବାନନ୍ଦ ମହାରଣା ଉପସ୍ଥିତ ରହି ସେବା କାର୍ଯ୍ୟ ସମ୍ପାଦିତ କରିବା ସହିତ ତାଙ୍କ ତରଫରୁ ଖାଇବା ପାଇଁ ଏକ ଟ୍ରେ ପ୍ରଦାନ କରିଥିବାବେଳେ ସଂଗଠନ ତରଫରୁ ବ୍ୟବହାର ଯୋଗ୍ୟ ପୋଷାକ, ଗାମୁଛା, କମ୍ବଳ ଓ କିଛି ଅର୍ଥ ରାଶି ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଅମୀୟ ଜଣେ ନିଶାଗ୍ରସ୍ତ ଯୁବକରୁ ଭଲ ମଣିଷ ହୋଇ ଆଗେଇବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ସମାଜସେବୀ ।