ରାସ୍ତା ପାଇଁ ଗାଁରେ ପହଁଚି ପାରିଲାନି ଆମ୍ବୁଲାନ୍ସ, ଘରେ ପ୍ରସବ କଲେ ମହିଳା…

ଗଜପତି, ୧୨/୨୪ (ବିବେକାନନ୍ଦ ବେହେରା) : ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା ଦୁଃଖ । ଗାଁକୁ ରାସ୍ତା ନଥିବାରୁ ପହଁଚି ପାରିଲାନି ଆମ୍ବୁଲାନ୍ସ । ସେପଟେ ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ମହିଳା ଜଣକ ଘରେ ପ୍ରସବ କଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର୍. ଉଦୟଗିରି ବ୍ଳକ ଅନ୍ତର୍ଗତ ଡାବରାଗୁଡା ପଂଚାୟତର ମୁଣ୍ଡାମା ଗାଁରେ । ସୂଚନା ଅନୁସାରେ ଗାଁର ସରୋଜିନୀ ପଟାମାଝିଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆର୍. ଉଦୟଗିରି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ କର୍ମଚାରୀ ତୁରନ୍ତ ବାହାରି ଥିଲେ ମାଣ୍ଡାମା ଗ୍ରାମକୁ । ହେଲେ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଗାଁଠାରୁ ୬ କିଲୋମିଟର ଦୂରରେ ଥିବା ଟୁଙ୍ଗୁରୁ ଗାଁରେ ରହିଯାଇଥିଲା । ଶେଷରେ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ସୁମିତ ବାରିକ, ଡ୍ରାଇଭର ସରୋଜ ପଟ୍ଟନାୟକ ଓ ସହଯୋଗୀ କରୁଣା ଦଳବେହେରା ଏବଂ ଗ୍ରାମବାସୀ, ଆଶା ଦିଦି ମାଣ୍ଡମା ଗାଁକୁ ଚାଲି ଚାଲି ଯାଇଥିଲେ । ଅପରପକ୍ଷେ ଆମ୍ବୁଲାନ୍ସ କର୍ମଚାରୀ ଗାଁରେ ପହଁଚିବା ବେଳକୁ ମହିଳା ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇ ସାରିଥିଲେ । ତେବେ ଘଟଣା ସ୍ଥଳରେ ଉଭୟ ମା ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ତୁରନ୍ତ ଆମ୍ବୁଲାନ୍ସ କର୍ମଚାରୀ ଉଭୟ ମା ଓ ଶିଶୁକୁ ଷ୍ଟ୍ରେଚରରେ ୬ କିମି ବୋହି ସେଠାରୁ ଆମ୍ବୁଲାନ୍ସ ଯୋଗେ ଆର. ଉଦୟଗିରି ମେଡିକାଲରେ ଭର୍ତି କରିଥିଲେ । ବର୍ତମାନ ମା ଓ ନବଜାତ ଶିଶୁ ସୁସ୍ଥ ଥିବା ଜଣାପଡିଛି । ତେବେ ସରକାର ଗାଁକୁ ରାସ୍ତା ଭଳି ଉନ୍ନତ ମାନର ଯୋଜନା ପ୍ରଣୟନ କରିଥିବାବେଳେ ଏଭଳି ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି ।