ଅଖିଳ ଭାରତୀୟ ହୃଦ୍ ବକ୍ଷ ଶଲ୍ୟ ଚିକିତ୍ସକ ସଂଘର ବାର୍ଷିକ ସମ୍ମିଳନୀ ଉଦଯାପିତ…

ଭୁବନେଶ୍ୱର, ୧୨/୨୪ (ଅଭିଜିତ୍ ସିଂ) : ଅଖିଳ ଭାରତୀୟ ହୃଦ୍ ବକ୍ଷ ଶଲ୍ୟ ଚିକିତ୍ସକ ସଂଘର ୭୦ ତମ ବାର୍ଷିକ ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ସମ୍ମିଳନୀରେ ସର୍ବଭାରତୀୟସ୍ତରରେ ୧୫୦୦ ରୁ ଅଧିକ ହୃଦ୍ ବକ୍ଷ ଶଲ୍ୟ ବିଶେଷଜ୍ଞଙ୍କ ସହ ପ୍ରାୟ ୧୫ଟି ଦେଶର ୩୦ ଜଣ ବିଦେଶାଗତ ପ୍ରସିଦ୍ଧ ଡାକ୍ତର ଯୋଗ ଦେଇଥିଲେ । କିଛିବର୍ଷ ତଳେ ଛୋଟ ବଡ ହାର୍ଟ ଅପରେସନ୍ ପାଇଁ ଓଡ଼ିଶାରୁ ରୋଗୀମାନଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡୁଥିବା ବେଳେ ଆଜି ଓଡ଼ିଶାରେ ପ୍ରାୟ ୩୫ ଜଣ ହାର୍ଟ ସର୍ଜନ କାର୍ଯ୍ୟରତ ରହିଛନ୍ତି ଏବଂ ମାସକୁ ୩୦୦ରୁ ଅଧିକ ଓପନ୍ ହାର୍ଟ ସର୍ଜରୀ ହୋଇପାରୁଛି ।
ଏହି ପରିପ୍ରେକ୍ଷୀରେ ଏପରି ଏକ ସମ୍ମିଳନୀ ଜ୍ଞାନର ଆଦାନପ୍ରଦାନ ସହ ଓଡ଼ିଶାରେ ହୃଦ୍ ଶଲ୍ୟ ଚିକିତ୍ସାକୁ ଆହୁରି ସଫଳ ଏବଂ ସକ୍ଷମ କରିବାରେ ସହାୟକ ହେବ । ୪ ଦିନଧରି ଆୟୋଜିତ ସମ୍ମିଳନୀରେ ହୃଦ୍ ବକ୍ଷ ସର୍ଜରୀ ସମୟରେ ୨୩୦ରୁ ଅଧିକ ସନ୍ଦର୍ଭ ସହ ବିଭିନ୍ନ ସର୍ଜିକାଲ ମଡେଲ୍ ଏବଂ ପ୍ରାକ୍ଟିକାଲ୍ ଟ୍ରେନିଂର ମଧ୍ୟ ଆୟୋଜନ କରାଯାଇଥିଲା । ସମ୍ମିଳନୀର ୨ୟ ଏବଂ ୩ୟ ସଂଧ୍ୟାରେ ପରିବେସିତ ପାରମ୍ପରିକ ଓଡ଼ିଆ ନୃତ୍ୟଗୀତ ଏବଂ ଓଡ଼ିଆ ଖାଦ୍ୟ ଦେଶ ବିଦେଶାଗତ ଅତିଥିମାନଙ୍କ ଦ୍ୱାରା ବିଶେଷ ଆଦୃତ ହୋଇଥିଲା ।