ଦୁଃଖ ସାଗରରେ ସୀମିତା; କୁତ୍ରିମ ଗୋଡ ସହ ଭିର୍ଣ୍ଣକ୍ଷମ ଭତ୍ତା ପାଇଁ ଆକୁଳ ନିବେଦନ…

ଜଗତସିଂହପୁର, ୧୦/୧ (ରୀତା ସାହୁ) : କିଏ ଶୁଣିବ ସୀମିତାଙ୍କ କରୁଣ କାହାଣୀ । ରୋଷେଇ କଲା ବେଳେ ଜଳିଗଲା ଗୋଡ଼ । ଆଉ ଅସ୍ତ୍ରୋପଚାର ପରେ ଗୋଟିଏ ଗୋଡ ହରାଇଲେ ସୀମିତା । ଏବେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଗୋଡ଼ ହରାଇଥିବା ସୀମିତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଅନୁରୋଧ । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ତାରିକୁନ୍ଦ ଗ୍ରାମର ସୀମିତା ସିଂ । ବୟସ ୨୨ ବର୍ଷ । ଆଜିକୁ ଠିକ ଏକ ବର୍ଷ ତଳେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିଲେ ସୀମିତା । ବାପା ଓ ମା ଦିନ ମଜୁରିଆ । ସକାଳ ହେଲେ କାମକୁ ବାହାରି ଯାଆନ୍ତି । ସୀମିତା ନିଜ ଘରେ ରୋଷେଇ କରୁଥିବା ସମୟରେ ମୁଣ୍ଡ ବୁଲାଇ ଦେବାରୁ ଚେତା ହରାଇ ପଡି ଯାଇଥିଲେ । ଏହି ସମୟରେ ତାଙ୍କର ଡାହାଣ ଗୋଡ଼ଟି ଚୁଲି ଭିରତକୁ ପଶିଯିବା ସହିତ ପୋଡି ଯାଇଥିଲା । ଘରେ କେହି ନ ଥିବରୁ ଗୋଡଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା । ଦୀର୍ଘ ସମୟ ପରେ ପରିବାର ଲୋକ ଦେଖି ତାଙ୍କୁ ଉଦ୍ଧାର କରିବା ସହିତ ଚିକିତ୍ସା ପାଇଁ ପ୍ରଥମେ ଜଗତସିଂହପୁର ଓ ପରେ କଟକ ମେଡ଼ିକାଲ ନେଇଯାଇଥିଲା । ଦୀର୍ଘ ୬ ମାସ ଚିକିତ୍ସା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସବୁଦିନ ପାଇଁ ଗୋଡ ହରାଇବାକୁ ପଡିଲା ସୀମିତାଙ୍କୁ । ଏବେ ସେ ଭିର୍ଣ୍ଣକ୍ଷମ ହୋଇ ଘରେ ବସି ରହିଛନ୍ତି । ପରିବାର କହିଲେ ପାଂଚ ପ୍ରାଣୀ କୁଟୁମ୍ବ । ବାପା ମାଆ ଭାଇ ଭଉଣୀ ଓ ବୁଢ଼ୀ ମାଆ । ସୀମିତାଙ୍କ ଭାଇ ଲକ୍ଷ୍ମ୍ମୀଧର ସିଂ ମଧ୍ୟ ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ ।
ଅପରପକ୍ଷେ ବାପାମାଆ ଦିନ ମଜୁରିଆ । ମୂଲ ଲାଗି ପରିବାର ପ୍ରତିପୋଷଣ କରନ୍ତି । ସୀମିତାଙ୍କ ପାଇଁ ପରିବାର ଲୋକେ ପ୍ରାୟ ଦୁଇ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ଏବେ ସର୍ବସାନ୍ତ ହୋଇ ପଡିଲେଣି । ଏହି ପରିବାର ଏବେ ଅତି ଦୟନୀୟ ଅବସ୍ଥାରେ ଚଳୁଛନ୍ତି । ତେଣୁ ସରକାରୀ ସାହାଯ୍ୟ ହେଉ ଅବା ଭିର୍ଣ୍ଣକ୍ଷମ ଭତା ପାଇଁ ଚାହିଁ ବସିଛନ୍ତି ପରିବାର ଲୋକ ।
ପରିବାରର ଏଭଳି ଦୁଃଖ ଦେଖି ଗ୍ରାମବାସୀମାନେ କିଛି ସାହାଯ୍ୟ ମଧ୍ୟ କରିଛନ୍ତି । ଯାହାକି ସମୁଦ୍ରକୁ ଶଙ୍ଖେ । ଡାକ୍ତରଙ୍କ କହିବା ଅନୁଯାୟୀ ଓଲଟପୁର ନେଇ କୁତ୍ରିମ ଗୋଡ଼ ଲଗାଇବାକୁ ପଡିବ । ଏଥିପାଇଁ ଅର୍ଥର ଆବଶ୍ୟକତା ରହିଛି । ଏଭଳି ସ୍ଥଳେ ସରକାରଙ୍କ ପକ୍ଷରୁ ସୀମିତାଙ୍କୁ ଟ୍ରାଇ ସାଇକେଲ ଖଣ୍ଡେ ମଧ୍ୟ ମିଳିପାରିଲା ନାହିଁ । ଦଶମ ଶ୍ରେଣୀରେ ପଢ଼ୁଥିବା ସୀମିତାଙ୍କ ପାଠରେ ଏବେ ଡୋରି ବନ୍ଧା ହୋଇ ଯାଇଥିବା ବେଳେ ଭବିଷ୍ୟତ ଅନିଶ୍ଚିତ । ଏଭଳି ସ୍ଥିତିରେ ସହାୟତା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ । ଏ ସମ୍ପର୍କରେ ସ୍ଥାନୀୟ ସରପଂଚଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏ ସମ୍ପର୍କରେ ଅବଗତ ଥିବା କହିବା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କର ଭତା ଓ ଟ୍ରାଇ ସାଇକେଲ ତୁରନ୍ତ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସୀମିତାଙ୍କର ଲିଭି ଯାଇଥିବା ସ୍ୱପ୍ନ ସାକାର କରିବା ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି ।