କିଏ ହେବ ବିଜେଡି ବିଧାୟକ ପ୍ରାର୍ଥୀ ? ଯତି ନାଏକ ନା ମମତାଞ୍ଜଳୀ ବେହେରା !

ଢେଙ୍କାନାଳ, ୨୧/୧ (ସୁଜିତ୍ କୁମାର ବେହେରା) : ୨୦୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳରେ ଅନେକ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୦୦୦ ମସିହାରୁ ବିଜେଡି ଏଠାରେ ବାଜିମାତ କରି ଦଳକୁ ସୁଦୃଢ କରିବାରେ ଲାଗିଛି । ସେଥିପାଇଁ ବିଜୁ ଜନତା ଦଳରେ ଅନେକ ଆଶାୟୀଙ୍କ ସଂଖ୍ୟା ଏଠାରେ ବଢ଼ିବାରେ ଲାଗିଛି । ସେଥିମଧ୍ୟରୁ ବିଜେଡି ଦଳର ଯତି ନାଏକ ଏଥିମଧ୍ୟରୁ ମଧ୍ୟ ବାଦ ପଡ଼ିନାହାନ୍ତି । ୨୦୦୫ ମସିହାରେ ସେତେବେଳର ବିଜୁ ଜନତା ଦଳର ସାଂସଦ ମାନ୍ୟବର ଶ୍ରୀଯୁକ୍ତ ତଥାଗତ ଶତପଥୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିଲେ ଯତି ନାଏକ । ସେହି ସମୟରୁ ଆଜି ପର୍ଯ୍ୟନ୍ତ ଆଉ ପଛଘୁଂଚା ନଦେଇ ବିଜେଡି ଦଳରେ ରହିଆସୁଛନ୍ତି ଯତି ।
୨୦୦୫ ମସିହାରେ ହଳଦିଆବାହାଳ ୟୁଥ କ୍ଲବର ସଭାପତି, ୨୦୦୯ ରୁ ୨୦୧୨ ପର୍ଯ୍ୟନ୍ତ ଢେଙ୍କାନାଳ ଦଳିତ ଅଧିକାର ମଂଚ କୋଷାଧକ୍ଷ, ୨୦୧୪ ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଓଡାପଡା ପ୍ରେସକ୍ଲବର ସମ୍ପାଦକ ସହିତ ୨୦୧୭ ମସିହାରୁ ବର୍ତମାନ ପର୍ଯ୍ୟନ୍ତ ଓଡାପଡା ପ୍ରେସକ୍ଲବର କୋଷାଧକ୍ଷ, ୨୦୧୭ ମସିହାରେ ଏମ.ଜି.ଏମ ମିନେରାଲସ ଲିମିଟେଡ଼(ଷ୍ଟିଲ ଡିଭିଜନ କାରଖାନା ନିମିଧା, ଢେଙ୍କାନାଳ)ର ଉପସଭାପତି ଏବଂ ତା ସହିତ ହଳଦିଆବାହାଳ ଶିଳ୍ପାଂଚଳ କ୍ଷତିଗ୍ରସ୍ତ ପ୍ରଜାସଂଘର ଉପଦେଷ୍ଟା ଭାବରେ ୨୦୧୮ ମସିହା ଠାରୁ କାର୍ଯ୍ୟ କରିଆସୁଛନ୍ତି ।୨୦୧୭ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ନୟାଭାଗିରଥିପୁର ସେବା ସମବାୟ ସମିତିର ଡାଇରେକ୍ଟର ଭାବରେ ନିର୍ବାଚିତ ହୋଇଥିଲେ । ୨୦୧୭ ମସିହାରେ ଆଂଚଳିକ ହରିଜନ ସେବା ସଂଘ (ହଳଦିଆବାହାଳ)ର ଉପ ସଭାପତି ଏବଂ ୨୦୨୨ମସିହାରେ ହୋଇଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଓଡାପଡା ବ୍ଲକ ନୟାଭାଗିରଥିପୁର ପଂଚାୟତରୁ ସରପଂଚ ଭାବେ ନିର୍ବାଚିତ ହୋଇ ଅଦ୍ୟାବଧି ଭାବେ କାର୍ଯ୍ୟ ତୁଲାଇ ଆସୁଛନ୍ତି । ପୂର୍ବରୁ ୨୦୦୯ ମସିହା ସାଧାରଣ ନିର୍ବାଚନରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାଥୀ ଭାବେ ନିର୍ବାଚନ ଲଢ଼ିବା ପାଇଁ ମଧ୍ୟ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଦରଖାସ୍ତ ଆବେଦନ କରିଥିଲେ । କିନ୍ତୁ କୌଣସି କାରଣ ବଶତଃ ସେବେବେଳେ ଦଳ ତାଙ୍କୁ ସୁଯୋଗ ଦେଇନଥିଲା ।
ଗତ ପଂଚାୟତ ନିର୍ବାଚନରେ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ନୟା ଭାଗିରଥିପୁର ପଂଚାୟତରୁ ସରପଂଚ ଭାବେ ନିର୍ବାଚନରେ ବିଜୟ ହୋଇ ବର୍ତମାନ ନୟାଭାଗିରଥିପୁର ସରପଂଚ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ବିଭିନ୍ନ ଶିକ୍ଷା ଅନୁଷ୍ଠାନ ହେଉ ଅବା ମେଡିକାଲ ପ୍ରତିଟି ଜାଗାରେ ସେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରନ୍ତି । ସବୁଠାରୁ ବଡ଼କଥା ହେଲା ୨୦୨୨ ମସିହାରେ ଓଡାପଡା ବ୍ଲକର ନୟାଭାଗିରଥିପୁର ସରପଂଚ ଭାବେ ନିର୍ବାଚିତ ହେବାର ୩ମାସ ନ ପୂରୁଣୁ ଓଡାପଡା ମେଡିକାଲର ଉର୍ନତିକରଣ ନିମନ୍ତେ ପୂର୍ବରୁ ଦାବୀ ହୋଇଥିବା ସରକାରଙ୍କ ତରଫରୁ ୧୦୦ ଶଯ୍ୟା ବିଶିଷ୍ଟ ବେଡ଼ର ଅନୁମୋଦନକୁ ନୟାଭାଗିରଥିପୁର ପଂଚାୟତ ଅଧିନସ୍ଥରେ ନିର୍ମାଣ କରିବା ସହିତ ଶବ ବ୍ୟବଛେଦ ଗୃହର ନିର୍ମାଣ କାର୍ଯ୍ୟ ମଧ୍ୟ ଅନୁମୋଦନ ହୋଇଯାଇଛି । ତେବେ ଚଳିତ ବର୍ଷ ହେବାକୁ ଥିବା ୨୦୨୪ ସାଧାରଣ ନିର୍ବାଚନରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଆସନଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବାବେଳେ ଓଡାପଡା ନିର୍ବାଚନ ମଣ୍ଡଳୀରୁ ଏକମାତ୍ର ଆଶାୟୀ ଯତି ନାଏକ ପୁଣି ଥରେ ବିଧାୟକ ଦୌଡରେ ଆଶାବାଦୀ ଅଛନ୍ତି । ଅନେକ ରାଜନୈତିକ ବ୍ୟକ୍ତିଙ୍କ ସହିତ ତାଙ୍କର ସୁସମ୍ପର୍କ ଥିବାସହିତ ଓଡାପଡା ବ୍ଲକର ଏକମାତ୍ର ଆଶାୟୀ ଯତି ନାଏକଙ୍କୁ ଦଳ ଟିକେଟ ଦେଲେ ବିପୁଳ ମାତ୍ରାରେ ବିଜୟୀ ହେବେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ସେପଟେ ଆଇନଜୀବୀ ମମତାଞ୍ଜଳୀ ବେହେରା ମଧ୍ୟ ଏହି ରେସରେ ସାମିଲ ହୋଇଛନ୍ତି । ସେ ପେଶାରେ ଜଣେ ସୁଦକ୍ଷା ଆଇନଜୀବୀ ଭାବେ ମଧ୍ୟ ବେଶ୍ ପରିଚିତ । ୧୯୯୭ ମସିହାରେ ମମତାଞ୍ଜଳୀ ବେହେରା ସମିତି ସଭ୍ୟା ଭାବେ ହିନ୍ଦୋଳ ବ୍ଲକ ବାବନ୍ଧ ପଂଚାୟତରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ପରେ ୨୦୦୭ ମସିହାରୁ ୨୦୧୨ ମସିହା ପର୍ଯ୍ୟନ୍ତ କାମାକ୍ଷାନଗରରୁ କଂଗ୍ରେସ୍ ଦଳରେ ଜିଲ୍ଲାପରିଷଦ ଭାବେ ନିର୍ବାଚନ ଜିତିଥିଲେ ଏବଂ ସେତେବେଳର ସମୟରେ ସେ ଓଡିଶାରେ ବେଷ୍ଟ୍ ଜିଲ୍ଲାପରିଷଦ ସଭ୍ୟା ଭାବେ ରାଜୀବଗାନ୍ଧୀ ସଦଭାବନା ଆୱାର୍ଡ ମଧ୍ୟ ପାଇଥିଲେ ।
କେବଳ ସେତିକି ନୁହଁ ୨୦୧୭ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ରାଜ୍ୟ ଅନୁସୂଚିତ ଜାତି ବିଭାଗର ଉପସଭାପତି ଏବଂ ତା ସହିତ ବିଭିନ୍ନ ଉଚ୍ଚ ପଦବୀରେ ମନୋନୀତ ବିଭିନ୍ନ ସାମାଜିକ ସୁରକ୍ଷା ଉପରେ କାର୍ଯ୍ୟକଳାପ ପାଇଁ ତାଙ୍କୁ ରାଜ୍ୟ ତଥା ଜାତୀୟ ସ୍ତରରେ ଅନେକ ସଂମ୍ମାନ ଜନକ ଆୱାର୍ଡ ମଧ୍ୟ ମିଳିଛି । ଗତ ପଂଚାୟତ ନିର୍ବାଚନରେ ବିଜୁ ଜନତା ଦଳରୁ ଜିଲ୍ଲା ପରିଷଦ ସଭ୍ୟା ଭାବେ ବିଜୟ ହାସଲ କରିବା ସହିତ ବର୍ତମାନ ସେ ହିନେ୍ଦାଳ ବ୍ଲକ ୩ ନମ୍ବର ଜୋନର ଜିଲ୍ଲାପରିଷଦ ଭାବେ କାର୍ଯ୍ୟ ତୁଲାଇ ଆସୁଛନ୍ତି । ତାଙ୍କ ବାପା ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ବେହେରା ମଧ୍ୟ ପୁର୍ବରୁ ଜନତା ଦଳର ଜଣେ ବରିଷ୍ଠ କର୍ମୀ ଭାବେ ବେଶ୍ ଜଣାଶୁଣା । ଆଇନଜୀବୀ ମମତାଞ୍ଜଳି ବେହେରା ବର୍ତମାନ ବିଜୁ ଜନତା ଦଳର ଜିଲ୍ଲା ଉପ ସଭାନେତ୍ରୀ ସହିତ ଜଣେ ସୁଦକ୍ଷା ଆଇନଜୀବୀ ଭାବେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ।
ତେବେ ବିଜେଡ଼ି ଦଳରେ ବର୍ତମାନର ନେତୃତ୍ୱ ପ୍ରତି ବଢୁଥିବା ଅସନ୍ତୋଷ କାରଣରୁ ବିଜେଡ଼ି ପ୍ରାର୍ଥୀ ବଦଳାଇବ ବୋଲି ଚର୍ଚ୍ଚା ଜୋର୍ ଧରିଛି । ବିଭିନ୍ନ ପୁରୁଖା ନେତାଙ୍କ ସହ ମମତାଞ୍ଜଳୀଙ୍କର ସୁସମ୍ପର୍କ ଏବଂ ସାଂଗଠନିକ ଦକ୍ଷତା କାରଣରୁ ତାଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ବିଜେଡ଼ି ଦଳ ରଣାଙ୍ଗନକୁ ଉତାରିବ ବୋଲି ଚର୍ଚ୍ଚା ହେଉଛି । ସବୁଥର ଭଳି ବିଜେଡ଼ି ଦଳ ମହିଳା ପ୍ରାର୍ଥୀ ଦେଇ ମହିଳା କାର୍ଡ ଖେଳିବ ବୋଲି ଆକଳନ କରାଯାଉଛି । ଦଳରେ ବଢୁଥିବା ପୁରୁଷ ଆଶାୟୀଙ୍କୁ ଚେକ୍ ଦେବାକୁ ବିଜେଡ଼ି ଦଳ ଏଭଳି ଯୋଜନା କରୁଛି ବୋଲି ଆଲୋଚନା ହେଉଛି । ସାଧାରଣ ନିର୍ବାଚନ ଆଉ ବେଶୀ ଦୂର ନଥିବା ବେଳେ ଏହି କଳ୍ପନା ଜଳ୍ପନାର ରାଜନୀତି କେଉଁ ମୋଡ ନେବ ତାହା ସମୟତ କହିବ ନିଶ୍ଚୟ କିନ୍ତୁ ମମତାଞ୍ଜଳିଙ୍କ ଲୋକପ୍ରିୟତା ବିଜେଡି ଦଳ ପାଇଁ ବିଜୟ ମକୂଟ ପିନ୍ଧାଇ ଚଳିତ ସାଧାରଣ ନିର୍ବାଚନରେ ବିପୁଳ ମାତ୍ରାରେ ବିଜୟ ହାସଲ କରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ପାଲଟିଛି ।