ବିପର୍ଯ୍ୟସ୍ତ ଅବସ୍ଥାରେ କୋଦଳା ଏବଂ ବେଗୁନିଆପଡା ଚିକିତ୍ସା ସେବା, ଆବଶ୍ୟକ ୨୩ଡାକ୍ତର ଅଛନ୍ତି ମାତ୍ର ଦୁଇ ଡାକ୍ତର…

ଗଞ୍ଜାମ, ୧୬/୧ (ବାପୁନି କୁମାର ମାଲୁ) : ରାଜ୍ୟ ସରକାର ୫ଟି ଜରିଆରେ ବିଭିନ୍ନ ଚିକିତ୍ସାକେନ୍ଦ୍ରକୁ କୋଟି କୋଟି ଟଙ୍କା ଦେଇ ବହୁ ଉନ୍ନୟନ କାର୍ଯ୍ୟ କରୁଥିବା ବେଳେ ଜନସାଧାରଣଙ୍କ ରୋଗର ଚିକିତ୍ସା ପାଇଁ ଡାକ୍ତର ମରୁଡି ଦେଖା ଦେଇଛି । ଏହିପରି ଅବସ୍ଥାରେ ଡାକ୍ତର ନଥିବା ବେଳେ ସାମାନ୍ୟ ରୋଗରେ ପୀଡିତ ଦୁରଦୂରନ୍ତ ଚିକିତ୍ସାଳୟ କିମ୍ବା ବେସରକାରୀ ଚିକିତ୍ସା ଉପରେ ନିର୍ଭର କରି ଖର୍ଚ୍ଚାନ୍ତ ହେଉଥିବା ଦେଖିବାକୁ ମିଳୁଛି । ଯାହାର ଜ୍ୱଳନ୍ତ ଉଦାହରଣ ପାଲଟିଛି କୋଦଳା ଏନ୍ଏସିରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବେଗୁନିଆପଡା ବ୍ଲକରେ ଥିବା ସୁମଣ୍ଡଳ ଚିକିତ୍ସାକେନ୍ଦ୍ର ଏବଂ ବେଗୁନିଆପଡା ଚିକିତ୍ସାକେନ୍ଦ୍ରରେ । ଏହି ସବୁ ଚିକିତ୍ସା କେନ୍ଦ୍ରରେ ମୋଟ ୨୩ଜଣ ଡାକ୍ତର ଆବଶ୍ୟକ ଥିବା ବେଳେ ଚିକିତ୍ସା କରୁଛନ୍ତି ମାତ୍ର ଦୁଇଜଣ ଡାକ୍ତର । ଭାରତୀୟ ଜନସ୍ୱାସ୍ଥ୍ୟ ମାନକ (ଆଇପିଏଚଏସ୍) ଅନୁସାରେ କୋଦଳା ଚିକିତ୍ସାକେନ୍ଦ୍ରରେ ପାଂଚ ଜଣ ଏମବିବିଏସ୍, ଜଣେ ଶିଶୁ ରୋଗ ବିଶେଷଜ୍ଞ, ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ଔଷଧ ବିଶେଷଜ୍ଞ, ଅସ୍ତ୍ରୋପ୍ରଚାର ବିଶେଷଜ୍ଞ ଏବଂ ଅନ୍ୟ ଜଣେ ବିଶେଷଜ୍ଞ ସହ ମୁଖ୍ୟ ଚିକିତ୍ସା ଅଧିକାରୀ ରହିବା କଥା । ତେବେ ୧୧ଜଣ ଚିକିତ୍ସକ ଆବଶ୍ୟକ ଥିବା ବେଳେ ସେଠାରେ କେହିବି ସ୍ଥାୟୀ ଚିକିତ୍ସକ ନାହାନ୍ତି । ଯାହା ଫଳରେ ୩ଜଣଙ୍କୁ ୧୬ତାରିଖ ପର୍ଯ୍ୟନ୍ତ ଡେପୁଟେସନ ହୋଇଛି ।
ସେହିପରି ମୁଖ୍ୟ ଚିକିତ୍ସାଅଧିକାରୀ ନଥିବାରୁ ବେଗୁନିଆପଡା ଡ଼ାକ୍ତରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଏବଂ ବେଗୁନିଆପଡାରେ ଜଣେ ଆୟୁଷ ଡ଼କ୍ଟରଙ୍କ ଭରସାରେ ଛାଡି ଦିଆଯାଇଛି । କୋଦଳା ଚିକିତ୍ସା କେନ୍ଦ୍ରରେ ଫାର୍ମାସିଷ୍ଟ ୩ଜଣ ସ୍ଥାନରେ ଜଣେ, ଆଟେଣ୍ଡାଣ୍ଟ ୪ ଜଣଙ୍କ ସ୍ଥାନରେ ଦୁଇଜଣ, ନର୍ସ ୧୨ଜଣଙ୍କ ସ୍ଥାନରେ ମାତ୍ର ଛଅଜଣ ରହିଛନ୍ତି । ସେହିପରି କୋଦଳା ପରି ସୁମଣ୍ଡଳ ଚିକିତ୍ସାକେନ୍ଦ୍ରରେ ସମାନ ସଂଖ୍ୟକ ଡାକ୍ତର ଆବଶ୍ୟକ ଥିବା ବେଳେ ଜଣେ ମାତ୍ର ସର୍ଜରୀ ଡାକ୍ତରଙ୍କ ଭରସାରେ ଚାଲିଛି ଚିକିତ୍ସା ସେବା । ଏଠାରେ ନର୍ସ ୮ଜଣ ଆବଶ୍ୟକ ଥିବା ବେଳେ ମାତ୍ର ଦୁଇଜଣ ରହିଛନ୍ତି । ସେପଟେ ବେଗୁନିଆପଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଅନ୍ୟ କେହି ଷ୍ଟାଫ ନଥିବା ବେଳେ ଜଣେ ମାତ୍ର ଆୟୁଷ ଡାକ୍ତର ଚିକିତ୍ସାକେନ୍ଦ୍ର ଚଳାଉଛନ୍ତି । ଯାହାକି ରୋଗୀଙ୍କ ଜୀବନ ଉପରେ ଖେଳ ଖେଳା ଯାଉଛି । କୋଦଳା ଏବଂ ବେଗୁନିଆପଡା ଅଂଚଳର ଲକ୍ଷାଧିକ ଲୋକ ଉକ୍ତ ଡାକ୍ତରଖାନା ଉପରେ ନିର୍ଭର କରୁଥିବା ବେଳେ ରାଜ୍ୟସରକାର, ସ୍ଥାନୀୟ ନିର୍ବାଚନ ପ୍ରତିନିଧି ଏହାକୁ ଗୁରୁତର ସହ ନେଇ ତୁରନ୍ତ ଡାକ୍ତର ପଦବୀ ପୂରଣ ପାଇଁ ଜନସାଧାରଣରେ ଦାବି ହେଉଛି ।