ରାତିସାରା ବିଜୁଳି କାଟ, କୁକୁଡ଼ା ଚାଷୀଙ୍କୁ ଛାଟ…

ଢେଙ୍କାନାଳ, ୧୦/୧ (ସୁଜିତ୍ କୁମାର ବେହରା) : ରାତିସାରା ବିଜୁଳି କାଟ, କୁକୁଡ଼ା ଚାଷୀଙ୍କୁ ଛାଟ । ଅସହ୍ୟ ଥଣ୍ଡାରେ ମରିଛନ୍ତି ଶହ ଶହ କୁକୁଡ଼ା । କୁକୁଡ଼ା ମୃତ୍ୟୁକୁ ନେଇ ଏବେ ଚିନ୍ତାରେ କୁକୁଡ଼ା ଚାଷୀ । ଥଣ୍ଡା ଦିନେ ବି ଥମିବାର ନାଁ ନେଉନି ବିଜୁଳି କାଟ ସମସ୍ୟା । ଏନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ସାଧାରଣ ଜନତା । ପ୍ରତିଟି ଗାଁ ହେଉ ଅବା ସହର ଉତ୍ତମ ବିଦ୍ୟୁତ ସେବା ଯୋଗାଇଦେବା ନିମନ୍ତେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରକଳ୍ପର ନିର୍ମାଣ କରିଛନ୍ତି । ଯାହାଦ୍ୱାରା ଲୋକମାନେ ଉତ୍ତମ ବିଦ୍ୟୁତ ସେବା ପାଇପାରିବେ । କିନ୍ତୁ ହିନେ୍ଦାଳରେ ଏହି ସେବା ସମ୍ପୂର୍ଣ ରୂପେ ଫେଲ ମାରିଥିବା ଦେଖିବାକୁ ମିଳୁଛି । ବିଦ୍ୟୁତ ବିଭାଗର ଏଭଳି ମନମୁଖୀ କାର୍ଯ୍ୟ ପାଇଁ ବଳି ପଡୁଛନ୍ତି ନିରୀହ ଜନତା । ସେପଟେ ବର୍ତମାନ ଶୀତଋତୁ ଚାଲିଥିବା ବେଳେ ବାରମ୍ବାର ବିଜୁଳି କାଟ ଯୋଗୁଁ ହଜାର ହଜାର କୁକୁଡ଼ାଙ୍କ ପ୍ରାଣହାନି ଘଟୁଥିବାର ଅଭିଯୋଗ କରିଛନ୍ତି ହିନେ୍ଦାଳ ଅଂଚଳର ଅନେକ କୁକୁଡ଼ା ଚାଷୀ । ଧାର କରଜ କରି ଦୁଇପଇସା ରୋଜଗାର ଆଶାରେ କୁକୁଡ଼ା ଚାଷକୁ ଆପଣାଇଥିଲେ ହେଲେ ବିଦ୍ୟୁତ ବିଭାଗର ବିଜୁଳି କାଟ ଏବେ କୁକୁଡ଼ା ଚାଷୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏନେଇ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ହାତୀ ଯୋଗୁଁ ବିଜୁଳି କାଟ କରାଯାଉଛି ବୋଲି ଯନ୍ତ୍ରୀ କହୁଥିବା ବେଳେ ହିନ୍ଦୋଳ ବନଖଣ୍ଡ ଅଧିକାରୀ ଏହାକୁ ଖଣ୍ଡନ କରିଥିଲେ । ତେବେ ବିଦ୍ୟୁତ ବିଭାଗ ଏବଂ ବନ ବିଭାଗର କାଦୁଆପିଙ୍ଗାରେ ହତାଶ ହୋଇଛନ୍ତି ହିନ୍ଦୋଳର କିଛି କୁକୁଡ଼ା ଚାଷୀ । ଏ ନେଇ ଚାଷୀମାନେ ଅଭିଯୋଗ ନେଇ ହିନେ୍ଦାଳ ଉପଜିଲ୍ଲାପାଳଙ୍କ ନିକଟରେ ପହଁଚିଛନ୍ତି ।