ଶାଳଦେଇ ବାଲି ଘାଟରୁ ବେଆଇନ ବାଲି ଚାଲାଣ ଘଟଣା, ବାପ ପୁଅ ଗିରଫ…

ଘସିପୁରା, ୬/୧ (ସ୍ମୃତି ରଞ୍ଜନ ବିହାରୀ) : କେନ୍ଦୁଝର ଜିଲ୍ଲା ଘସିପୁରା ତହସିଲ ଅଧିନ ଶାଳଦେଇ ବୈତରଣୀ ବାଲିଘାଟକୁ ସମ୍ପୁର୍ଣ୍ଣ ବନ୍ଦ କରିବା ନେଇ ଦୀର୍ଘ ଦିନ ହେଲା ଧାରଣା ଏବଂ ପ୍ରତିବାଦ କରି ଆସୁଥିବା ଶାଳଦେଇ ଗ୍ରାମର ହରିହର ବୋଇତେଇଙ୍କ ସମ୍ପର୍କୀୟ ଭାଇ କଳାକର ବୋଇତେଇ ଏବଂ ତାଙ୍କ ପୁଅ ସୁବ୍ରତ ଭୋରରୁ ଏକ ଟ୍ରାକ୍ଟ୍ରର ଯୋଗେ ବେଆଇନ ଭାବେ ଘାଟରୁ ବାଲି ଉତ୍ତୋଳନ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଘଷିପୁରା ତହସିଲଦାର ନୀଳକଣ୍ଠ ବେହେରା ଏବଂ ଖଣି ଅଧିକାରୀ ତରଣୀ ସେନ ସିଂ ରାମଚନ୍ଦ୍ରପୁର ପୋଲିସ ଅଧିକାରୀ ବିଜୟକୁମାର ସିଂହ ମିଳିତ ଭାବେ ଅଚାନକ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ବାଲି ବୋଝେଇ ହୋଇଥିବା ଟ୍ରାକ୍କରକୁ ଜବତ କରିବା ସହ କଳାକର ବୋଇତେଇ (୫୫) ଏବଂ ସୁବ୍ରତ ବୋଇତେଇ (୨୪)କୁ କାବୁ କରି ନେଇଥିଲେ । ଟ୍ରାକ୍ଟ୍ରର ଏବଂ ଦୁଇ ଅଭିଯୁକ୍ତଙ୍କୁ ରାମଚନ୍ଦ୍ରପୁର ପୋଲିସ ଥାନା ହେପାଜତରେ ରଖି ଅଧିକ ପଚାରା ଉଚାରା କରିବା ପରେ ବେଆଇନ ଚୋରା ବାଲି ଚାଲାନ ଅଭିଯୋଗରେ ଦୁହିଁଙ୍କୁ କୋର୍ଟ ଚାଳାଣା କରାଯାଇଥିବା ଜଣାପଡିଛି ।
ସେପଟେ ଏହି ବାଲିଘାଟକୁ ବନ୍ଦ କରିବାକୁ ନେଇ ବିରୋଧି ବିଭିନ୍ନ ଆଳ ଦେଖାଇ ପ୍ରତିବାଦ କରି ଆସୁଥିବା ବେଳେ ନିଜେ ଟ୍ରାକ୍ଟ୍ରର ଯୋଗେ ରାତି ଅଧିଆ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚୋରା ଚାଲାଣ କରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଜିର ଘଟଣା ପରେ ବିରୋଧିଙ୍କ ଅସଲ ଚାଲ ପଦାରେ ପଡିଥିବା ଲିଜଧାରୀ କହିଛନ୍ତି । ପ୍ରକାଶ ଥାଉକି, ଶାଳଦେଇ ବାଲିଘାଟ ଲିଜ୍ ବାବଦକୁ ସରକାର ତହବିଲକୁ ୧ କୋଟି ୭୪ ଲକ୍ଷ ଟଙ୍କା ନିଲାମ ଧାରୀ ପ୍ରଦାନ କରି ସାରିଥିବା ବେଳେ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଏହାକୁ ବିରୋଧି କରି ରାସ୍ତା ଅବରୋଧ କରିବା ସହ ବାଲି ବୋଝେଇ ଗାଡି ଗୁଡିକୁ ଅଟକ ରଖିଥିଲେ ।