ଜଗତସିଂହପୁର ଜିଲ୍ଲାରେ ଜୟ ଜଗନ୍ନାଥ ଅର୍ପଣ ରଥ ଉଦଘାଟନ…

ଜଗତସିଂହପୁର, ୬/୧ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ସଦର ବ୍ଲକ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସରକାରୀ ଦଳର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ବ୍ଲକ ଅଧ୍ୟକ୍ଷା କନକପ୍ରଭା ଲେଙ୍କା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ବ୍ଲକ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜୟ ଜଗନ୍ନାଥ ଅର୍ପଣ ରଥକୁ ଉଦଘାଟନ କରିଥିଲେ । ଜିଲ୍ଲାର ୮ଟି ବ୍ଲକକୁ ଏହି ୮ଟି ରଥ ଯିବା ସହିତ ପ୍ରତ୍ୟେକ ପଂଚାୟତର ଘର ଘର ବୁଲି ଅରୁଆ ଚାଉଳ, ଗୁଆ ଓ ନଡ଼ିଆ ସଂଗ୍ରହ କରାଯିବ ବୋଲି ସୂଚନା ଦିଆଯାଇଛି । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ପୌଷ ଶୁକ୍ଳ ସପ୍ତମୀ ୧୭ ଜାନୁଆରୀରେ ଲୋକାର୍ପିତ ହେବାକୁ ଯାଉଛି । ଏଥିପାଇଁ ଏକ ଭକ୍ତିମୟ ପରିବେଶ ସହ ସଂକୀର୍ତ୍ତନ ମଣ୍ଡଳୀମାନେ ଯିବା ସହିତ ଏହି ରଥ ଜିଲ୍ଲାର ପ୍ରତି ଘର ଘର ବୁଲି ଲୋକାର୍ପଣ ଉତ୍ସବରେ ଯୋଗ ଦେବାକୁ ସାଧାରଣ ଲୋକମାନଙ୍କୁ ନିମନ୍ତ୍ରଣ କରିବ ବୋଲି କହିଛନ୍ତି ଅତିଥିମାନେ ।