ବେଳ ଗଡିଲେ ଗାଁ ମୁହାଁ ହେଉଛନ୍ତି ଭାଲୁ…

ଘସିପୁରା, ୪/୧ (ସ୍ମୃତି ରଞ୍ଜନ ବିହାରୀ) : ଶୀତ ସରି ସରି ଆସିଲାଣି, ଆଉ ଏବେ ଖାଦ୍ୟ ଅନ୍ୱେଷଣରେ ବେଳ ବୁଡିଲେ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲି ଭାଲୁ । ଆନନ୍ଦପୁର ବନଖଣ୍ଡ ଅଧିନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ଗଁପୁର ଏବଂ ଅଙ୍ଗାରୁଆ ଗାଁରେ ସନ୍ଧ୍ୟା ୫ ଟା ସମୟରେ ଗଁପୁର ପଂଚାୟତ କାର୍ଯ୍ୟାଳୟ ନିକଟରେ ଏକ ଜଙ୍ଗଲି ଭାଲୁ ବୁଲୁଥିବା ସ୍ଥାନୀୟ ଲୋକେ ଦେଖି ହୋ ହାଲ୍ଲା କରିବାରୁ ଭାଲୁ ଅଙ୍ଗାରୁଆ ଗାଁ ଆଡକୁ ମୁହାଁଇଥିଲା । ଫଳରେ ଗାଁ ଲୋକେ ସଂଧ୍ୟା ପରେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଗତ ବର୍ଷ ମଧ୍ୟ ସନ୍ଧ୍ୟା ପରେ ତିନୋଟି ଭାଲୁ ଅଙ୍ଗାରୁଆ ଗାଁ ଲୋକଙ୍କ ବାଡି ବଗିଚାରେ ଅବାଧରେ ପଶି ବରକୋଳି ସହ ବେଲ ଖାଇ ଉତ୍ପାତ ମଚାଇଥିଲେ । ଭାଲୁ ଏକ ଜଙ୍ଗଲି ହିଂସ୍ର ପ୍ରାଣୀ ହୋଇଥିବାରୁ ସଂଜ ପୂର୍ବରୁ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେବା ଘଟଣା ଧନ ଜୀବନ ପ୍ରତି ବିପଦ ଆଶଙ୍କା ବଢିଯାଇଛି । କୌଣସି ଅଘଟଣ ଘଟିବା ପୂର୍ବରୁ ସ୍ଥାନୀୟ ବନବିଭାଗ ପକ୍ଷରୁ ଗ୍ରାମରେ କଡା ପହରା ଦେବା ସହ ବାଣ ଫୁଟାଇ ଭାଲୁକୁ ଘଉଡାଇବା ପାଇଁ ଗାଁ ଲୋକ ବନବିଭାଗ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।