ନିର୍ବାଚନ ପୂର୍ବରୁ କୋଦଳାରେ ଶକ୍ତି ପ୍ରଦର୍ଶନ…

ଗଞ୍ଜାମ, ୨୫/୧୨ (ବାପୁନି କୁମାର ମାଲୁ) : ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ଗଞ୍ଜାମ ଜିଲ୍ଲା କୋଦଳାଠାରେ ଏକ ବିଶାଳ ମହିଳା ସମାବେଶ ଦେଖିବାକୁ ମିଳିଛି । ପୂର୍ବତନ ଏନଏସି ଅଧ୍ୟକ୍ଷା ସୁନୀତା ପ୍ରଭା ସାହୁଙ୍କ ନେତୃତ୍ୱରେ ହଜାର ହଜାର ମହିଳା ଏକାଠି ହୋଇ ଏକ ବିରାଟ ଶୋଭାଯାତ୍ରାରେ କୋଦଳା ପରିକ୍ରମା କରିବା ପରେ ଏକ ସମାବେଶ ଆୟୋଜିତ ହୋଇଥିଲା । ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ କୋଦଳା ପୂର୍ବତନ ଅଧ୍ୟକ୍ଷ ତଥା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁ, କବିସୂର୍ଯ୍ୟନଗର ଯୁବ ସଂଗଠନର ଅଧ୍ୟକ୍ଷା ରଞ୍ଜିତା ସାହୁ, ପ୍ରବାସୀ ଓଡିଆ ସଂଗଠକ ବିଜୟ କଅଁର ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।
ଇଂରାଜୀ ନବବର୍ଷକୁ ଅଭିନନ୍ଦନ ଜଣାଇ ମହିଳା ଭେଟଘାଟ୍ ନାମରେ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସାଂଗଠନିକ ସୁଦୃଢ଼ କରିବାରେ ଲାଗିଛନ୍ତି କୋଦଳାର ସାହୁ ପରିବାର । ଆଗାମୀ ସାଧାରଣ ନିର୍ବାଚନରେ ହରପ୍ରସାଦଙ୍କ ପରିବାରରୁ ଜଣଙ୍କୁ ବିଜୁ ଜନତା ଦଳରୁ ଟିକେଟ୍ ଦିଆଯିବାକୁ ଦାବି କରିଛନ୍ତି ସମର୍ଥକ । ଗରିବ ଖଟିଖିଆଙ୍କ ପ୍ରତି ଅବହେଳା, ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ଜନତା ନିଶ୍ଚୟ ଜବାବ ଦେବେ ବୋଲି କହିଛନ୍ତି କବିସୂର୍ଯ୍ୟନଗର ଯୁବ ସଂଗଠନର ଅଧ୍ୟକ୍ଷା ରଞ୍ଜିତା ସାହୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା ହାତକୁ ନେଇଛନ୍ତି କିନ୍ତୁ ଉପଯୁକ୍ତ ନେତୃତ୍ୱ ଅଭାବରୁ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ । ଏହି ଅଞ୍ଚଳ ଏକ କୃଷି ପ୍ରଧାନ ଅଞ୍ଚଳ ହୋଇଥିବା ବେଳେ ଏଯାବତ୍ ମାରୁଡି ଘାଇରେ ପାଣି ନାହିଁ । ସର୍ବାଧିକ ଲୋକେ ଏହି ଘାଇ ଉପରେ ନିର୍ଭର କରୁଥିବା ବେଳେ ଏଠାକାର ଜନପ୍ରତିନିଧି କଣ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ରଞ୍ଜିତା ସାହୁ । ସମାବେଶରେ ହଜାର ହଜାର ମହିଳା ନିଜ ଅଞ୍ଚଳର ବରିଷ୍ଠ ନେତା ହରପ୍ରସାଦ ସାହୁଙ୍କୁ ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳରୁ ଟିକେଟ୍ ଦେବାକୁ ଦାବି କରିଥିବା ଦେଖିବାକୁ ମିଳିଛି ।