ହିନ୍ଦୋଳରେ ବଳି ପଡିଯିବ କି ବିଜେଡି ?

ଢେଙ୍କାନାଳ, ୨୧/୧୨ (ସୁଜିତ୍ କୁମାର ବେହେରା) : ହିନ୍ଦୋଳରେ ବିଜେଡିରେ ଗୋଷ୍ଠୀ କନ୍ଦଳ ଦିନକୁ ଦିନ ବଢିବାରେ ଲାଗିଛି । ବିଧାୟିକା ଓ ବ୍ଲକ ଅଧକ୍ଷାଙ୍କ ଶୀତଳ ଯୁଦ୍ଧ ଏବେ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ ସେତିକି ବିବାଦ ମଧ୍ୟକୁ ଟାଣି ହୋଇ ଯାଉଥିବା ଦେଖିବାକୁ ମିଳୁଛି । ବିଧାୟିକାଙ୍କ ସମ୍ପର୍କୀୟ ଝିଆରୀ ତଥା ହିନ୍ଦୋଳର ବର୍ତମାନ ବ୍ଲକ ଅଧ୍ୟକ୍ଷା ସସ୍ମିତାରାଣୀ ନାଏକଙ୍କ ମଧ୍ୟରେ ତିକ୍ତତା କିଛି ନୂଆ ଘଟଣା ହୋଇ ନଥିବାବେଳେ ସେଥିରେ ଯୋଡି ହୋଇଯାଉଛି ଅନେକ ନୂଆ ନୂଆ ବିବାଦ । ଅଭିଯୋଗ ଅନୁସାରେ ପାଟଲା ପଂଚାୟତରେ ଏକ ଉନ୍ନୟନ ମୂଳକ ସମିତି କାର୍ଯ୍ୟକୁ ନେଇ ବିଧାୟିକା ଓ ବ୍ଲକ ଅଧ୍ୟକ୍ଷାଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଛି । ବ୍ଲକ ଯନ୍ତ୍ରୀ ସେହି ପଂଚାୟତର ଲଙ୍କେଶ୍ ନାଏକଙ୍କୁ ଅଧ୍ୟକ୍ଷାଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟର ଲେଆଉଟ୍ ଦେଇଥିବା ବେଳେ ସେପଟେ କଂକ୍ରିଟ ରାସ୍ତା ନିର୍ମାଣ କରିବାକୁ ଲଙ୍କେଶ ଆବଶ୍ୟକୀୟ ବାଲି ଗୋଡି ମଧ୍ୟ ଗଦାଇ ସାରିଥିଲେ । ହେଲେ ସେହି ପଂଚାୟତର ବିଧାୟିକାଙ୍କ ସମର୍ଥିତ ସମିତିସଭ୍ୟ ପ୍ରଭାସ ଖୁଂଟିଆ ଜୋର ଜବରଦସ୍ତ ଭାବେ ଅନ୍ୟ ଏକ ଜାଗାରେ ଭଲ ଥିବା କଂକ୍ରିଟ ରାସ୍ତା ଉପରେ ଅନାବଶ୍ୟକ ଭାବେ ପୁଣି କଂକ୍ରିଟ କାମ କରୁଥିବା ଅଭିଯୋଗ ହୋଇଛି । ସେ ସମିତିସଭ୍ୟ ଥିବା ସହ ଗାଁର ଖାଉଟି ଡିଲର ହୋଇଥିବାରୁ ଗ୍ରାମବାସୀ ବିରୋଧ କଲେ କେତେବେଳେ ରାସନ କାଟି ଦେବାର ଧମକ ତ ଆଉ କେତେବେଳେ ଚାଉଳ ବନ୍ଦ କରିଦେବାର ଧମକ ଦେଉଥିବା ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।
ନିଜ ନିଜର ରାଜନୈତିକ ସ୍ୱାର୍ଥ ଓ ନିଜସ୍ୱ ଫାଇଦା ପାଇବା ଉଦେ୍ଦଶ୍ୟରେ ବିଧାୟିକା ଓ ଅଧ୍ୟକ୍ଷା ଗୋଷ୍ଠୀ ମଧ୍ୟରେ ହେଉଥିବା ବିବାଦ ଲାଗି ବିଭିନ୍ନ ପଂଚାୟତର ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ପଂଚାୟତ ମଧ୍ୟରୁ ଜରଡା, ବାଉଁଶ ପୋଖରୀ, ହାତୁରା ସମେତ ଅନେକ ପଂଚାୟତରେ ଏହିଭଳି ଦଳୀୟ ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ସେପଟେ ଅନେକ ପଂଚାୟତରେ ପଂଚାୟତ ସ୍ତରରୁ ବ୍ଲକସ୍ତର ପର୍ଯ୍ୟନ୍ତ ଗୋଷ୍ଠୀ କନ୍ଦଳ ପାଇଁ ଅନେକ ଉନ୍ନୟନ୍ କାର୍ଯ୍ୟ ହେଇ ପାରି ନଥିବା ବେଳେ ଆଉ କିଛି ଉନ୍ନୟନ କାର୍ଯ୍ୟ ବର୍ଷ ବର୍ଷ ଧରି ଅଧାରେ ପଡ଼ି ରହିଛି । ଏହି ରାଜନୈତିକ ଗୋଷ୍ଠୀ କନ୍ଦଳ ଭିତରେ ଓ ଚାପରେ ପେଶି ହେଇ ଯାଉଛନ୍ତି ପ୍ରଶାସନିକ ଅଧିକାରୀ କର୍ମଚାରୀ ବୋଲି ମୌଖିକ ପ୍ରକାଶ କରିଛନ୍ତି । ଏଭଳି ଘଟଣା ଯଦି ବାରମ୍ବାର ଲାଗି ରହିଲେ ତେବେ ଆଗାମୀ ନିର୍ବାଚନରେ ଶାସକ ଦଳ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ସାଜିପାରେ ବୋଲି ରାଜନୈତିକ ତଥା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।