ସଫଳତାରେ ଆଉ ଏକ ଶୀର୍ଷକୁ ଚଢିଲେ ଓଡ଼ିଆ ଝିଅ ଡ. ଚିଦାତ୍ମୀକା ଖଟୁଆ…

ଭୁବନେଶ୍ୱର, ୧୩/୧୨ (ଅଭିଜତ୍ ସିଂ) : ଓଡ଼ିଆ ଝିଅ ଡ.ଚିଦାତ୍ମୀକା ଖଟୁଆଙ୍କୁ ଏବେ ସବୁଠି ମିଳୁଛି ବାହାବା । ବିଶ୍ୱ ଦରବାରରେ ସେ ରଖିଛନ୍ତି ଓଡ଼ିଶାର ଟେକ । ସକରାତ୍ମକ ପରିବର୍ତ୍ତନ ନିମନ୍ତେ ଗିନିଜ ୱାର୍ଲଡ ରେକର୍ଡ ବିଶ୍ୱର ସର୍ବ ବୃହତ ବହିରେ ନିଜକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛନ୍ତି । ୨୦୨୩ରେ ବିଶ୍ୱର ୨୩ ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କୁ ସମାଜର ସକରାତ୍ମକ ପରିବର୍ତ୍ତନ ପାଇଁ ଚୟନ କରାଯାଇ ଗିନିଜ୍ ବୁକର ପୃଷ୍ଠାରେ ସ୍ଥାନ ଦିଆଯାଇଛି । ଆଇକନିକ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଏକ ଐତିହାସିକ କାର୍ଯ୍ୟକ୍ରମରେ ଡ. ଖଟୁଆଙ୍କ ସମେତ ୨୩ଜଣଙ୍କୁ ସମ୍ମାନିତ କରାଯାଇଛି । ବିଭିନ୍ନ କ୍ଷେତ୍ରରେ ସକରାତ୍ମକ ପରିବର୍ତ୍ତନ ଆଣିବାରେ ସେମାନଙ୍କର ଅକ୍ଲାନ୍ତ ପରିଶ୍ରମକୁ ଏହି ଉତ୍ସବ ସ୍ମରଣୀୟ କରିଛି ।
ଏହି କାର୍ଯ୍ୟକ୍ରମରେ ମେୟର ଶ୍ରୀ ରାମଜୀ ଚୌହାନ ଯୋଗଦେଇ ସମସ୍ତଙ୍କୁ ସମାଜ ନିମନ୍ତେ କାମ କରିବାକୁ ଉତ୍ସାହିତ କରିଥିଲେ । ଡ. ଖଟୁଆ ସମାଜସେବା ସହିତ ସାରସ୍ୱତ ସାଧନାରେ ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଆଦିବାସୀ ସମ୍ପ୍ରଦାୟର ସଶକ୍ତିକରଣ ପାଇଁ ଉତ୍ସର୍ଗୀକୃତ ତାଙ୍କର ସର୍ବଶେଷ ଅବଦାନ, ଆଦି ନାରୀ” ଆଦିବାସୀ ମହିଳାମାନଙ୍କର ଶକ୍ତି ଏବଂ ସଂଘର୍ଷର କାହାଣୀର କଥା କୁହେ । ଏହା ସହିତ “ଦିବ୍ୟଦୃଷ୍ଟି ବ୍ରେଲି”ର ସମ୍ପାଦିକା ଭାବରେ ଦୃଷ୍ଟିହୀନଙ୍କ ମନରେ ଏକ ନୂଆ ଆଶା ସୃଷ୍ଟି କରିବାରେ ସେ ବେଶ୍ ସକ୍ଷମ ହୋଇ ପାରିଛନ୍ତି । ଦୃଷ୍ଟିହୀନଙ୍କୁ ନିଜର ଆତ୍ମରକ୍ଷା କରିବା ସହିତ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ନେଇ ମୁଣ୍ଡ ଟେକି ଆତ୍ମସମ୍ମାନର ସହିତ ବଞ୍ଚିବାର ସେ ବାଟ ଦେଖାଇଛନ୍ତି । ଲଣ୍ଡନର ପାର୍ଲାମେଣ୍ଟ ହାଉସରେ ବାଣିଜ୍ୟ ସମ୍ମିଳନିରେ ଓଡିଶାର ବାଣିଜ୍ୟ ଅପରଚ୍ୟୁନିଟି ବିଷୟରେ ମେମ୍ବର ଅଫ୍ ପାର୍ଲାମେଣ୍ଟ ବବ୍ ବ୍ଲାକମ୍ୟାନ ଓ ଅନ୍ୟାନ ବିଶ୍ୱର ଗିନିଜ୍ ରେକର୍ଡ ଆୱାର୍ଡିଙ୍କ ସହ ଉପସ୍ଥାପନା କରିଥିଲେ ଏବଂ ଓଡ଼ିଶାର ଗର୍ବ ଓ ଗୌରବର କଥା କହିଥିଲେ ଡ. ଚିଦାତ୍ମୀକା । ସେଥିନିମନ୍ତେ ସେ ସମ୍ମାନନୀୟ LOSD ଏକ୍ସଲେନ୍ସ ଆୱାର୍ଡ, International Public Figure For The Year ୨୦୨୩ ଆଦି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ସମାଜରେ ଏକ ସକରାତ୍ମକ ପରିବର୍ତ୍ତନ ନିମନ୍ତେ ଡ. ଖଟୁଆଙ୍କର ସମର୍ପଣ ଭାବ ବିଶ୍ୱବାସୀଙ୍କୁ ସକାରାତ୍ମକ ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇବ ।