ପ୍ରତିମୂର୍ତ୍ତି ଉଚ୍ଛେଦକୁ ନେଇ ଜନଶୁଣାଣିରେ ଲିଖିତ ଅଭିଯୋଗ କଲେ ଗ୍ରାମବାସୀ…

ଢେଙ୍କାନାଳ, ୧୩/୧୨ (ସୁଜିତ୍ କୁମାର ବେହେରା) : ବାଉଁଶ ପୋଖରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଥାପିତ ଜନୈକ ବ୍ୟକ୍ତି ବିଶେଷଙ୍କ ପ୍ରତିମୂର୍ତ୍ତି ଉଚ୍ଛେଦ ପାଇଁ ଲିଖିତ ଅଭିଯୋଗ କଲେ ବାଉଁଶପୋଖରୀ ଓ କନ୍ତାମିଲା ପଞ୍ଚାୟତର ଶତାଧିକ ଗ୍ରାମବାସୀ । ହିନ୍ଦୋଳ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିରରେ ଏ ନେଇ ଏକ ଲିଖିତ ଅଭିଯୋଗ ଉପସ୍ଥାପିତ ହୋଇଛି । ପ୍ରଶାସନ ପକ୍ଷରୁ ଯଦି ଜିଲ୍ଲାପାଳ ଅଭିଯୋଗ ସମ୍ପର୍କରେ ଉପଯୁକ୍ତ ତଦନ୍ତ ନକରି ପ୍ରତିମୂର୍ତ୍ତି ନହଟାନ୍ତି ତେବେ ସ୍ଥାୟୀ ସମାଧାନ ହେବା ପର୍ଯ୍ୟନ୍ତ ଅଞ୍ଚଳବାସୀ ବାଧ୍ୟ ହୋଇ ରାଜରାସ୍ତାଙ୍କୁ ଓହ୍ଲାଇବା ସହ ସ୍କୁଲ ବନ୍ଦ କରି ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ।
ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ୧୯୮୧-୮୨ ମସିହାରେ ସୁନ୍ଦରାପାଳ ଗ୍ରାମରେ ବିଦ୍ୟାଳୟଟି ସ୍ଥାପିତ ହୋଇଥିଲା । ଉଭୟ ପଞ୍ଚାୟତର ବାଉଁଶପୋଖରୀ, କର୍ଣ୍ଣପୁର, ବରଡାପାଳ, ସୁନ୍ଦରାପାଳ, ଧୋବଣୀନନ୍ଦର, ଗୁହିରାପଶି, ଡିହସାହି, ନୂଆକୋଟ, ବନ୍ଧାଭୂଇଁ, କରାବିରା ଆଦି ଗ୍ରାମର ଲୋକମାନଙ୍କର ପରିଶ୍ରମ ଓ ସାହାଯ୍ୟ ସହଯୋଗରେ ବିଦ୍ୟାଳୟଟି ଗଢି ଉଠିଥିଲା । ଉପରୋକ୍ତ ଗ୍ରାମ ମାନଙ୍କର କିଛି ଭଦ୍ର ବ୍ୟକ୍ତିଙ୍କୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରା ଯାଇଥିଲା । ସ୍କୁଲଟି ସରକାରଙ୍କ ହାତକୁ ଯିବା ପର୍ଯ୍ୟନ୍ତ କମିଟିର ସମସ୍ତ ସଦସ୍ୟ ପ୍ରତି ଗ୍ରାମରୁ ଭିକ୍ଷା ମାଗି ଓ ନିଜେ ନିଜେ କିଛି ସାହାଯ୍ୟ କରି ବିଦ୍ୟାଳୟଟିକୁ ଚଳାଇ ଆସିଥିଲେ । ସେ ସମୟରେ ଲେଖା ପଢା ଜାଣିଥିବା ଧୋବଣୀନନ୍ଦର୍ ଗ୍ରାମର ଗଣେଶ୍ୱର ସାହୁଙ୍କୁ ପରିଚାଳନା କମିଟିର ସଂପାଦକ ଭାବରେ ମନୋନୀତ କରାଯାଇ କାର୍ଯ୍ୟଭାର ପ୍ରଦାନ କରାଯାଇଥିଲା । ଏବେ ସ୍କୁଲର ସମସ୍ୟା ହେଲା ସ୍କୁଲ ପରିସରରେ ସ୍ଥାପିତ ସ୍ୱର୍ଗତ ଗଣେଶ୍ୱର ସାହୁଙ୍କ ପ୍ରତିମୂର୍ତ୍ତି ।
ବିଶେଷ ସୂତ୍ରରୁ ଜଣାପଡିଛି ଯେ ସେତେବେଳେ ପରିଚାଳନା କମିଟି ପକ୍ଷରୁ ନିଯୁକ୍ତ ହିନ୍ଦୀ ଶିକ୍ଷକ ଅଭୟ କୁମାର ସାହୁଙ୍କ ସହାୟତା ଓ ସ୍ୱର୍ଗତ ଗଣେଶ୍ୱର ସାହୁଙ୍କ ପୁଅ ଗୟାଧର ସାହୁ କୌଣସି ନିୟମକୁ ନମାନି ସ୍କୁଲ ପରିସରରେ ଗଣେଶ୍ୱର ସାହୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ପରେ ପଚରା ଯିବାରୁ କେଉଁ ନିୟମ ଅନୁସାରେ ବା କେଉଁ ପ୍ରକାର ବଦାନ୍ୟତା ଦେଖାଇ ସ୍କୁଲ ପରିସରରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଗଲା ? ଉତ୍ତରରେ ସେମାନେ ଆମ ଇଚ୍ଛା ଆମେ ଯାହା କରିବୁ ବୋଲି ପ୍ରକାଶ କରିଥିଲେ । ଏନେଇ ସେମାନେ ବର୍ତ୍ତମାନର କାର୍ଯ୍ୟରତ ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ଦାଶଙ୍କୁ ପଚାରିବାରୁ ସେ “ଏହା ଠିକ୍ ନୁହେଁ ବୋଲି କହିଥିଲେ ଓ ମୁଁ ଏ ବିଷୟରେ କିଛି ଜାଣି ନାହିଁ” ବୋଲି ପ୍ରକାଶ କରିଥିଲେ । ଏହାକୁ ନେଇ ବୟୋଜ୍ୟେଷ୍ଠ ବ୍ୟକ୍ତି, ସଚେତନ ନାଗରିକ କ୍ଷୋଭର ସହ ପ୍ରକାଶ କରିଛନ୍ତି ଯେ, ବିଦ୍ୟାଳୟ ପରିସର ଏବେ ସମାଧିସ୍ଥଳରେ ପରିଣତ ହେବାକୁ ଯାଉଛି ।
ଉକ୍ତ ବିଦ୍ୟାଳୟର ଗଠନ ପାଇଁ ସେ ସମୟର ସରପଞ୍ଚ ବିଚିତ୍ରାନନ୍ଦ ପ୍ରଧାନ ସମସ୍ତଙ୍କୁ ଏକଜୁଟ କରି ସ୍କୁଲ ତିଆରି ପାଇଁ କାର୍ଯ୍ୟ କରିଥିଲେ ମାତ୍ର ତାଙ୍କର ପ୍ରତିମୂର୍ତ୍ତି କାହିଁକି ରହିପାରିବ ନାହିଁ ବୋଲି ସେମାନେ ଯୁକ୍ତି ବାଢିଛନ୍ତି । ସେହିଭଳି ଆଇନଜୀବୀ ସ୍ୱର୍ଗତ ବିଦ୍ୟାଧର ସାହୁ ଯିଏ ପ୍ରାକ୍ତନ ମନ୍ତ୍ରୀ ଭଜମନ ବେହେରାଙ୍କୁ ଡକାଇ ସ୍କୁଲର ଉଦ୍ଘାଟନ କରିଥିଲେ ତାଙ୍କର ପ୍ରତିମୂର୍ତ୍ତି ମଧ୍ୟ କାହିଁକି ରହିପାରିବ ନାହିଁ ବୋଲି ଯୁକ୍ତି କରିିଛନ୍ତି । ତେବେ ପୂର୍ବତନ ପ୍ରଧାନ ଶିକ୍ଷକ ବା ବରିଷ୍ଠ ନାଗରିକଙ୍କ ମତାମତ ନନେଇ କିମ୍ବା ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟିର ମତାମତ ନ ନେଇ ପ୍ରତିମୂର୍ତ୍ତି ନିର୍ମାଣକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଏହିଭଳି ବେଆଇନ ପ୍ରତିମୂର୍ତ୍ତିକୁ ତୁରନ୍ତ ଉଚ୍ଛେଦ କରାଇବାକୁ ଗ୍ରାମବାସୀ ଓ ବୁଦ୍ଧିଜୀବୀ ପୂର୍ଣ୍ଣଚନ୍ଦ୍ର ଧର, ମାନସ ରଞ୍ଜନ ପ୍ରଧାନ, ଅଭିରାମ ସାମଲ, ପ୍ରମୋଦ ସାହୁ, ପ୍ରଦୀପ୍ତ ସାହୁ, ତ୍ରିପୁର ଜେନା, ଜଗବନ୍ଧୁ ସାହୁ ପ୍ରମୁଖ ଶତାଧିକ ବ୍ୟକ୍ତି ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି । ଏନେଇ ସେମାନେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ଓ ହିନ୍ଦୋଳ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିବା ପ୍ରକାଶ କରିଛନ୍ତି ।