ସିପିଆଇଏମ୍ ପକ୍ଷରୁ ନୀଳଗିରି ଉପ-ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ…

ନୀଳଗିରି, ୧୧/୧୨ (ସଚିଦାନଁଦ ପାତ୍ର) : ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡରେ ସ୍ୱଳ୍ପବୃଷ୍ଟି, ଚକଡ଼ା ପୋକ ଓ ଅଦିନିଆ ବର୍ଷାରେ ଚାଷୀମାନଙ୍କର ଶହ ଶହ ଏକର ଜମିରେ ଧାନ ଫସଲ କ୍ଷତି ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ଅନାବୃଷ୍ଟି ଯୋଗୁଁ ଅନେକ ଧାନ ଜମିରେ ଧାନ ଗଛରୁ ପୂର୍ଣ୍ଣାଙ୍ଗ ଭାବେ ଥୋଡ ବାହାରି ପାରି ନ ଥିବା ବେଳେ, କେତେକ ଠିକ୍ ଭାବେ ଫୁଲ ଉଡାଇ ପାରି ନ ଥିବାରୁ, ଧାନ ଗୁଡ଼ିକ ପରିପୃଷ୍ଟ ହୋଇ ନଥିବା ବେଳେ ଏକର ଏକର ଜମିରେ ଚକଡ଼ା ପୋକ ଲାଗିବାରୁ ଧାନକ୍ଷତର ପ୍ରାୟ ୭୦ ପ୍ରତିଶତ ଧାନ ନଷ୍ଟ ହୋଇଯାଇଥିବା ବେଳେ, ଏବେ ଅଦିନିଆ ବର୍ଷାରେ ପ୍ରାୟତଃ ନଷ୍ଟ ହୋଇ ଯାଇଛି । ତରବରିଆ ଭାବେ ଧାନ ବିଡ଼ା ଗଦା କରିରଖି ଥିବା ଗଦାରେ ଦୀର୍ଘ ପନ୍ଦର ଘଂଟା ଝିପିଝିପି ବର୍ଷା ପାଣି ଭିତରେ ପଶି ଗଜା ହୋଇଗଲାଣି । ପୁଣି କେତେକ ବିଲରେ ପାଣି ଜମି ଧାନ କୁଢ ଗଜା ହୋଇଗଲାଣି । ଚାଷୀ ମାନଙ୍କର ଏଭଳି ଗୁରୁତର ସମସ୍ୟାକୁ ଆଖି ଆଗରେ ରଖି, ନୀଳଗିରି ସିପିଆଇ(ଏମ) ଆଂଚଳିକ କମିଟିର ନିଷ୍ପତିକ୍ରମେ, ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବିଜୟ କୁମାର ପାତ୍ରଙ୍କ ନେତୃତ୍ୱରେ ନୀଳଗିରି ଉପ-ଜିଲ୍ଲାପାଳଙ୍କ ତିନି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି ।
ଉକ୍ତ ଦାବିପତ୍ରରେ ଧାନକ୍ଷେତରେ ହୋଇଥିବା କ୍ଷତି ଯୋଗୁଁ ମରୁଡି ରିପୋର୍ଟ ପ୍ରକାଶ କରାଯାଉ, ଦ୍ୱିତୀୟରେ ଅସମୟ ବର୍ଷାରେ ଚାଷର ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ତୁରନ୍ତ ଆକଳନ କରାଯାଉ, ତୃତୀୟରେ ହୋଇଥିବା କ୍ଷୟକ୍ଷତିର ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ବୋଲି ଉଲ୍ଲେଖିତ ରହିଛି । ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା କମିଟି ସମ୍ପାଦକ ଶିଶିର ହୁଇ, ରାଜ୍ୟ କମିଟି ସଭ୍ୟ ନିର୍ମଳ ନାୟକ, ଶିତାଂଶୁ ସେନାପତି, ଯୋଗାନନ୍ଦ ଦାସ, ଜ୍ୟେତ୍ରିମୟ ରାଉତ, ହେମେନ୍ଦ୍ର ସେଠୀ, ଗଙ୍ଗାଧର ମହାନ୍ତି, ସତ୍ୟଜିତ୍ ଦାସ ଓ ମୃତ୍ୟୁଞୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।