ମଦ ବେପାରୀଙ୍କ ସହ ଅବକାରୀ ବିଭାଗର ଭିତିରି ସମ୍ପର୍କ ଅଭିଯୋଗ…

ଢେଙ୍କାନାଳ, ୧୧/୧୨ (ସୁଜିତ୍ କୁମାର ବେହେରା) : ହିନ୍ଦୋଳ ଉପଖଣ୍ଡ ବାଉଁଶ ପୋଖରୀ ପଂଚାୟତର ବିଭିନ୍ନ ଗ୍ରାମରେ ଦିନକୁ ଦିନ ବଢିବାରେ ଲାଗିଛି ବେଆଇନ ମଦ କାରବାର । ଏହାର ପ୍ରଭାବରେ ବିଶେଷଭାବେ କ୍ଷତିଗ୍ରସ୍ତ ହେଉଛନ୍ତି ଯୁବଗୋଷ୍ଠୀ । ଏନେଇ ପଂଚାୟତ ଅନ୍ତର୍ଗତ ବନ୍ଧଭୂଇଁ ଗ୍ରାମବାସୀ ପଂଚାୟତକୁ ସମ୍ପୂର୍ଣ୍ଣ ମଦ ମୁକ୍ତ କରିବା ପାଇଁ ଏକାଠି ହୋଇଛନ୍ତି । ନିକଟରେ ଗ୍ରାମ୍ୟ କମିଟି ସଭାପତି ଗିରିଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଏକ ବୈଠକରେ ମିଳିତ ହୋଇ ଗ୍ରାମବାସୀମାନେ ସଚେତନ ନାଗରିକ, ଶିକ୍ଷିତ ଯୁବକ, ନିଶା ନିବାରଣ ପାଇଁ ପଂଚାୟତ ସରପଂଚଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଫେରାଦ ହେବେ ବୋଲି ସର୍ବ ସମ୍ମତି ପ୍ରକାଶ ପାଇଥିଲା । ଗ୍ରାମ ବାସୀଙ୍କ ସୂଚନା ମୁତାବକ ବାଉଁଶପୋଖରୀ, କନ୍ତାମିଲା ଛକ, ନୂଆକୋଟ, ଡିହସାହି, ବନ୍ଧଭୂଇଁ, ବରଡାପାଳ, କର୍ଣ୍ଣପୁର ଓ ସୁନ୍ଦରାପାଳ ଆଦି ଗ୍ରାମମାନଙ୍କର ରାସ୍ତା ପାର୍ଶ୍ୱରେ ସର୍ବ ସାଧାରଣ ସ୍ଥାନରେ ଦେଶୀ ଓ ବିଦେଶୀ ମଦ କାରବାର ବହୁଳ ଭାବରେ ଚାଲୁ ରହିଛି । ସେହିପରି ବାଉଁଶପୋଖରୀର ଲାଇସେନ୍ସ ପ୍ରାପ୍ତ ଦେଶୀ ମଦ ଦୋକାନ ଏବଂ ହିନ୍ଦୋଳ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରୁ ବିଦେଶୀ ମଦ, ଦେଶୀ ମଦ ପାଉଚ୍, ଲିକର ଗାଁ ଗାଁରେ ଛକ ଛକରେ ବେଆଇନ ଭାବରେ ବହୁଳ ମାତ୍ରାରେ ସପ୍ଲାଇ ହେଉଛି । ଯଦ୍ୱାରା ମଦ୍ୟପଙ୍କ ପାଦ୍ରୁଭାବ ବଢ଼ିବାରେ ଲାଗିଛି । ଫଳରେ ସ୍କୁଲ ଓ କଲେଜକୁ ଯାଉଥିବା ଛାତ୍ରଛାତ୍ରୀ, ଗାଁରେ ରହୁଥବା ମହିଳା, ଯୁବତୀମାନଙ୍କ ଉପରେ ଏହାର କୁପ୍ରଭାବ ପଡୁଛି ।
ଏପରିକି ସମୟେ ସମୟେ ଗାଁ ଦାଣ୍ଡରେ ନିଶା ସେବନ କରି ଯୁବ ଗୋଷ୍ଠୀ ଆସଭ୍ୟ ଭାଷା ପ୍ରୟୋଗ କରୁଥିବା ନେଇ ଗୁରୁତର ଅଭିଯୋଗ ହେଉଛି । ଲୋକ ଦେଖାଣୀଆ ଭାବେ ସ୍ଥାନୀୟ ଅବକାରୀ ବିଭାଗ ଚଢ଼ାଉ କରି ଆସାମୀଙ୍କୁ ଖସାଇବା ପାଈଁ ମାମଲା ରୁଜୁ କରି ଜବତ୍ ମଦର ପରିମାଣକୁ କମାଇ ଦିଆ ଯାଉଥିବାରୁ ସହଜରେ ଆସାମୀ ମୁକୁଳି ଯାଉଥିବା ଅଭିଯୋଗ ହେଉଛି । ବାଉଁଶ ପୋଖରୀ ପଂଚାୟତ ସମେତ ଆଖପାଖ କନ୍ତାମିଲା ଓ କଂସରା ଆଦି ପଂଚାୟତରେ ବହୁଳ ଭାବେ ବେଆଇନ ମଦ କାରବାର ବଢ଼ି ଚାଲିଥିବା ବେଳେ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ ସେତେଟା ଆଖିଦୃଶିିଆ ହୋଇ ପାରୁ ନଥିବାରୁ ଅଂଚଳର ବୟସ୍କ, ସଚେତନ ନାଗରିକଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି ।
ମଦ ବେପାରୀଙ୍କ ସହ ହିନ୍ଦୋଳ ଅବକାରୀ ବିଭାଗର ମଧୁଚନ୍ଦ୍ରିକା ପାଇଁ ହଇରାଣ ହେଉଛନ୍ତି ସାଧାରଣ ଜନତା । ଏପରିକି ଅବକାରୀ ବିଭାଗର ଭିତିରି ବୁଝାମଣାରେ ବେଆଇନ ମଦ କାରବାର ଚାଲିଥିବା ଅଭିଯୋଗ କରିଛନ୍ତି ସାଧାରଣ ଜନତା । ସେପଟେ ବାଉଁଶପୋଖରୀ କନ୍ତାମିଲା ଛକ ପାର୍ଶ୍ୱରେ ଦେଶୀ ମଦ ପାଉଚ ଦୋକାନ ଅନ୍ୟତ୍ର ସ୍ଥାନାନ୍ତରିତ ପାଇଁ ଦାବି ହେଉ ଥିଲେ ମଧ୍ୟ ଅବକାରୀ ବିଭାଗ ଏହାକୁ ସ୍ଥାନାନ୍ତରିତ ନକରି ଚୁପ୍ ବସିବା ସାଧାରଣରେ ପ୍ରଶ୍ନ ଉଠିଛି । ଏ ଖବର ଗଣମାଧ୍ୟମ ପ୍ରତିନିଧି ମାନେ ବାରମ୍ବାର ପ୍ରସାରଣ ପରେ ମଧ୍ୟ ବାଉଁଶପୋଖରୀ କନ୍ତାମିଲା ଛକରେ ଥିବା ଦେଶୀ ପାଉଚ ମଦ ଦୋକାନ ଚଳାଉଥିବା ବ୍ୟକ୍ତି ଜଣଙ୍କ ଖବର ବନ୍ଦ ନ କଲେ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି । ତେବେ ଦେଖିବାକୁ ବାକି ରହିଲା ଅବକାରୀ ବିଭାଗର ଏଭଳି ସଲାସୁତୁରା କାର୍ଯ୍ୟ ବିରୋଧରେ ଜିଲ୍ଲା ପ୍ରଶାସନ କିଭଳି ପଦକ୍ଷେପ ଗ୍ରହଣ କରୁଛି ।