ପ୍ରଥମାଷ୍ଟମୀରେ ପାହାଡ ଚଢା, ଏକ ନିଆରା ପରମ୍ପରା…

ଘସିପୁରା, ୦୬/୧୨ (ସ୍ମୃତି ରଞ୍ଜନ ବିହାରୀ) : ପ୍ରଥମାଷ୍ଟମୀ ପର୍ବକୁ ନିଆରା ଢଙ୍ଗରେ ପାଳନ କରିଆସୁଛନ୍ତି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ପୁରୁଣାବାନ୍ଧଗୋଡା ଗ୍ରାମର ଯୁବପିଢୀ । ଗାଁ ପୂର୍ବ ଦିଗରେ ଥିବା ୫୦୦ ଫୁଟ ଉଚ୍ଚ ଧନେଇ ପାହାଡ ଉପରକୁ ଚଢି ପ୍ରକୃତିର ଶୋଭା ଉପଭୋଗ କରିବା ଏକ ନିଆରା ଅନୁଭୁତି । ପାହାଡ ଚଢିବାର ମଜା ଏଠି ନିଆରା ,ସୁଉଚ୍ଚ ପାହାଡ ସହ ଅନେକ ଗଛ ଲତା ପଥର ଚଟାଣ ଦେଇ ଶହ ଶହ ଯୁବପିଢୀ ପାହାଡ ଉପରେ ଚଢି ପ୍ରକୃତିର ମନଲୋଭା ଶୋଭା ଉପଭୋଗ କରିବା ସହିତ ସେଲ୍ଫିର ମଜା ନିଅନ୍ତି । କେନ୍ଦୁଝର- ଯାଜପୁର ସୀମାରେ କେଉଁ ଆବାହନ କାଳରୁ ଜାଗ୍ରତ ପ୍ରହରୀ ଭାବେ ଦଣ୍ଡାୟମାନ ହୋଇ ରହିଛି ଧନେଇ ପାହାଡ । ପାହାଡ ପଛ ପଟେ ଯାଜପୁର ଜିଲ୍ଲା କଳିଙ୍ଗନଗର ରହିଥିବା ବେଳେ ଅଧୁନା ସୁକିନ୍ଦା ରାଜାଙ୍କ ପରିସୀମା ରହି ଆସିଛି । କାହିଁ କେଉଁ କାଳରୁ ଏହି ପାହାଡ ଚଢା ପର୍ବ ରହିଆସିଛି ବୋଲି ଗ୍ରାମର ବୈଜ୍ୟେଷ୍ଠ ମୂରବୀ ମାନେ କୁହନ୍ତି ।
ଲୋକ କଥାନୁସାରେ ରାଜା ରାଜୁଡା ଶାସନ ସମୟରେ ପାହାଡ ଉପର ଗୁମ୍ପା ମଧ୍ୟରେ ପର୍ବତ ରାଣୀ ମା ଧନେଇ ବିରାଜମାନ କରୁଥିଲେ । ପ୍ରଥମାଷ୍ଟମୀ ଅବସରରେ ମା’ଙ୍କ ପୀଠରେ ବିଶେଷ ପୂଜାର୍ଚ୍ଚନା ସହ ମାଙ୍କୁ ନୂଆ ବସ୍ତ୍ର ଦାନ କଲେ ବିଶେଷ ପୂଣ୍ୟ ମିଳିଥାଏ ବୋଲି ସେହି ଦିନରୁ ବିଶ୍ୱାସ ରହି ଆସିଛି । ସେହି ବିଶ୍ୱାସକୁ ଉଜ୍ଜିବିତ କରି ପ୍ରତ୍ୟେକ ବର୍ଷ ଏହି ନିଆରା ପାହାଡ ଚଢା ଅଭିଯାନ ଅନୁଷ୍ଠିତ ହୋଇ ଆସୁଛି । ଅବଶ୍ୟ ଏବେ ମା’ଧନେଇ ଠାକୁରାଣୀ ପାହାଡ ପାଦଦେଶରେ ଥିବା ଶିଆଡି ଲତାକୁଞ୍ଜରେ ପୂଜା ପାଇ ଆସୁଛନ୍ତି । ପ୍ରଥମାଷ୍ଟମୀ ଅବସରରେ ପାହାଡ ତଳେ ଅସ୍ଥାୟୀ ଭାବେ ଅନେକ ଗୁପଚୁପ୍ ,ଆଇସ୍କ୍ରିମ୍, ଚଟପଟି ଷ୍ଟଲ ଭିଡ ଜମାଇଛନ୍ତି । ଏହି ପର୍ବ ପୁରୁଣାବାନ୍ଧଗୋଡା ଗ୍ରାମ ପାଇଁ ସ୍ୱତନ୍ତ୍ର ଏବଂ ନିଆରା । ପ୍ରଥମାଷ୍ଟମୀରେ ଗ୍ରାମରେ ଝିଅ ଜ୍ୱାଇଁ, ବନ୍ଧୁ ବାନ୍ଧବ ସବୁ ଗାଁକୁ ଆସିଥାନ୍ତି । ସମସ୍ତେ ଏହି ପାହାଡ ଚଢାରେ ଅଂଶ ଗ୍ରହଣ କରିଥାନ୍ତି । ଏହି ପାହାଢ ଚଢାରେ ସ୍ଥାନୀୟ ଅଂଚଳର ପ୍ରାୟ ୧୫ ଖଣ୍ଡ ଗ୍ରାମରୁ ବିଶେଷ କରି ଯୁବପିଢୀ ସାମିଲ୍ ହୋଇଥାନ୍ତି ।
ପ୍ରଥମାଷ୍ଟମୀର ଗୋଟିଏ ଦିନ ପୂର୍ବରୁ ବନ ବିଭାଗର ସହମତିରେ ସ୍ଥାନୀୟ ପୁରୁଣାବାନ୍ଧଗୋଡା ଯୁବକ ସଂଘ ତରଫରୁ ତାରିଣୀ ପ୍ରସାଦ ପଟ୍ଟନାୟକ, ଅମେରେଶ ପଟ୍ଟନାୟକ, ଶ୍ରୀକାନ୍ତ ଜେନା, ସ୍ମୃତିରଂଜନ ପଟ୍ଟନାୟକ, ରାକେଶ ମାଝୀ, ମଳୟ ଜେନା, ଆର୍ତସାରଥୀ ପଟ୍ଟନାୟକ, ସୁକାନ୍ତ ଜେନା, ମନୋଜ ପଟ୍ଟନାୟକ, ସୌମ୍ୟଶଙ୍କର ପାଣି, ପିକେଶ ମାଝୀ, ପିଂଟୁ ସା, ବବୁଲ ବେହେରା, ପାପୁନ ମାଝୀ, ପଙ୍କଜ ମାଝୀ, ମଳୟ ପଟ୍ଟନାୟକଙ୍କ ସମେତ ବହୁ ଯୁବକ ପାହାଡ ଚଢା ବାଟ ସଫା କରିବା ସହ ପର୍ବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।