ଜମୁଛି ଚେଳିତୋଳ ବାଲିଯାତ୍ରା; ଚତୁର୍ଥ ସନ୍ଧ୍ୟାରେ ଯୋଗଦେଲେ ବିଧାୟକ ଚନ୍ଦ୍ରସାରଥୀ ବେହେରା…

ଜଗତସିଂହପୁର, ୨/୧୨ (ରୀତା ସାହୁ) : ମହାସମାରୋହ ଓ ଆନନ୍ଦ ଉଲ୍ଲାସରେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ଗୋପିଆକୁଦଠାରେ ଚେଳିତୋଳ ବାଲିଯାତ୍ରା ଅନୁଷ୍ଠିତ ହେଉଛି । ଏହି ଉତ୍ସବ କାର୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ସାତଦିନ ଧରି ଚାଲିବ । ବିଭିନ୍ନ ମନୋହରି ଦୋକାନବଜାର, ଖାଦ୍ୟଷ୍ଟଲ ଆଦି ଦୋକାନରେ ଭରି ଯାଇଛି ସମଗ୍ର ବାଲିଯାତ୍ରା ପଡିଆ । ମେଳାରେ ସୁସ୍ୱାଦୁ ଖାଦ୍ୟ , ମନୋହରି ଜିନିଷ କିଣି ଯାତ୍ରା ବୁଲିବା ସହ ସନ୍ଧ୍ୟାରେ ମଂଚରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଆନନ୍ଦଉଲ୍ଲାସର ସହ ଉପଭୋଗ କରୁଛନ୍ତି ସାଧାରଣ ଜନତା । ଏହି ଅବସରରେ ଚେଳିତୋଳ ବାଲିଯାତ୍ରାର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗଦେଇ ତିର୍ତୋଲ ଯୁବ ବିଧାୟକ ବିଜୟଶଙ୍କରଙ୍କ ନିଷ୍ଠା ଓ ଉଦ୍ୟମ ଯୋଗୁଁ ଏହି ଗଣପର୍ବ ସଫଳ ହୋଇଛି ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଓଡ଼ିଶା ଗ୍ରାମ୍ୟଉନ୍ନୟନ ବିଭାଗର ଉପଦେଷ୍ଟା ସବିତା ମହାପାତ୍ର ଯୋଗଦେଇ ଚେଳିତୋଳ ବାଲିଯାତ୍ରାର ଐତିହ ଓ ପରମ୍ପରା ସମ୍ପର୍କରେ ସୂଚନା ଦେବା ସହ ବାଲିଯାତ୍ରା କମିଟିର ସଭାପତି ବିଧାୟକ ବିଜୟ ଶଙ୍କର ଦାସ ଓ ସମସ୍ତ ସଦସ୍ୟଙ୍କର ଏଭଳି ଉଦ୍ୟମକୁ ଉଚ୍ଚପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବିରିଡି ଦୁଇ ନମ୍ବର ଜୋନର ଜିଲ୍ଲା ପରିଷଦ ଚନ୍ଦ୍ର ଶେଖର ଦାସ, ଏକ ନମ୍ବର ଜୋନର ଜିଲ୍ଲା ପରିଷଦ ଦୀପ୍ତିମୟୀ ରାୟ, ବିରିଡି ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଉପାଧ୍ୟକ୍ଷ ପିନାକୀ ମିଶ୍ର ପ୍ରମୁଖ ଯୋଗଦେଇ ଏଭଳି ଉଦ୍ୟମକୁ ପ୍ରଶଂସା କରି ତିର୍ତୋଲ ଚେଳିତୋଳ ବାଲିଯାତ୍ରାର ଐତିହ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପସ୍ଥିତ ଲୋକମାନେ ଉପଭୋଗ କରିଥିଲେ । ସୁଦୂର କଲିକତାରୁ ଆସିଥିବା ଡ୍ୟାନ୍ସଗ୍ରୁପର ନୃତ୍ୟ ପରିବେଷଣ ଅଧିକ ଚିତାକର୍ଷକ ହୋଇଥିଲା ।