ଉଜୁଡିଗଲା ସୁନାର ସଂସାର । ସ୍ବାମୀ ପରେ ପରେ ଦୁଇ ଛୁଆ ବି ପରପାରିରେ । ସଭିଙ୍କୁ ହରାଇ ବାହୁନି କାନ୍ଦୁଛି ମା’…

ବ୍ୟୁରୋ ରିପୋର୍ଟ, ୨/୧୨ : ଉଜୁଡିଗଲା ସଂସାର । କିଛି ବର୍ଷ ତଳେ ମଥାରୁ ସିନ୍ଦୁର ଲିଭିଯାଇଥିଲା । ଆଉ ଏବେ ମା’ର କୋଳ ବି ଶୂନ୍ୟ ହୋଇଗଲା । ପୋଖରୀରେ ବୁଡ଼ି ଚାଲିଗଲା ଭାଇଭଉଣୀଙ୍କ ଜୀବନ । ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ମାଝିସାହିରେ ଦେଖିବାକୁ ମିଳିଛି ଏଭଳି ଏକ ଦୁଃଖଦ ଘଟଣା । ମୃତକ ଦ୍ୱୟ ହେଲେ ଗ୍ରାମର ସ୍ୱର୍ଗତ ଲବ ମାଝୀଙ୍କ ୬ବର୍ଷର ଝିଅ ମାଲ୍ଲ ମାଝୀ ଓ ୨ବର୍ଷର ପୁଅ କାର୍ତ୍ତିକ ମାଝୀ ।
୨ ଛୁଆଙ୍କୁ ନେଇ ବେଶ୍ ହସ ଖୁସିରେ ଚାଲିଥିଲା ଲବ ମାଝୀ ଓ ତାଙ୍କ ସ୍ତ୍ରୀଙ୍କ ସୁନାର ସଂସାର । ହେଲେ କିଛି ବର୍ଷ ତଳେ ଲବ ମାଝୀଙ୍କର ମୃତ୍ୟୁ ଘଟିଥିଲା । ସ୍ବାମୀଙ୍କୁ ହରାଇ ସ୍ତ୍ରୀ ଦୁଃଖରେ ଭାଙ୍ଗି ପଡିଥିବାବେଳେ ଦୁଇ ଛୁଆଙ୍କ ମୁହଁକୁ ଚାହିଁ ସଂସାର ଚଳାଉଥିଲେ । ହେଲେ ଏବେ ଦୁଇ ଛୁଆଙ୍କ ମୃତ୍ୟୁ ପରେ କାହା ପାଇଁ ବଞ୍ଚିବ ବୋଲି କହି ବାହୁନି ବାହୁନି କାନ୍ଦୁଛି ମା’ ।
ସୂଚନା ଅନୁସାରେ, ମୃତକମାନେ ଘରପାଖ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ବୁଡ଼ିଯାଇଥିଲେ । ଏ ନେଇ ଗ୍ରାମବାସୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ, ହେଲେ ଭାଇଭଉଣୀକୁ ପାଇ ନଥିଲେ । ସନ୍ଧ୍ୟା ହୋଇଯାଇଥିବାରୁ ଅଗ୍ନିଶମ ବାହିନୀ ସେଠାରୁ ପଳାଇ ଯାଇଥିଲେ । ଆଜି ସକାଳେ ଅଗ୍ନିଶମ ବାହିନୀ ପୁଣି ସେଠାରେ ପହଞ୍ଚି ଖୋଜାଖୋଜି କରିଥିଲେ । ଆଉ ଶେଷରେ ଭାଇଭଉଣୀଙ୍କ ମୃତଦେହ ପୋଖରୀ ଭିତରୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି ।