ବାଟ ହୁଡିଲା ମନରେଗା, ମଜୁରୀ ନପାଇ ବିଡିଓଙ୍କ ଦ୍ୱାରସ୍ଥ ହେଲେ ତିରିଡାର ଶତାଧିକ ଶ୍ରମିକ…

ବେଗୁନିଆପଡା, ୧/୧୨ (ବାପୁନି କୁମାର ମାଲୁ) : ଗ୍ରାମାଂଚଳ ଗୁଡ଼ିକରେ ଶ୍ରମିକମାନଙ୍କୁ ରୋଜଗାର ଦେବା ଉଦେଶ୍ୟରେ କେନ୍ଦ୍ର ସରକାରଙ୍କ ପ୍ରଚଳିତ ମନରେଗା ଯୋଜନା ଏବେ ପଥଭ୍ରଷ୍ଟ ହେଉଥିବା ଦେଖିବାକୁ ମିଳିଛି । ଏଥିପାଇଁ ପ୍ରଶାସନିକ କ୍ଷେତ୍ରରେ ଲଗାମ ରହୁନଥିବା ଅଭିଯୋଗ କରିଛନ୍ତି ଶ୍ରମିକ । ଗ୍ରାମାଂଚଳରେ ରାସ୍ତା ଘାଟର ଉନ୍ନତିକରଣ, ନୂତନ ପୋଖରୀ ଖନନ, ପୋଖରୀରୁ ପଙ୍କ ଉଦ୍ଧାର ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ କେନ୍ଦ୍ର ସରକାର ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କୋଟି କୋଟି ଟଙ୍କାର ଅନୁଦାନ ଅର୍ଥ ଯୋଗାଇ ଦେଉଛନ୍ତି । ମାତ୍ର ବ୍ଲକ ପ୍ରଶାସନ ଉଦାସୀନତା ଯୋଗୁଁ ଏବେ ମନରେଗା ଯୋଜନାରେ କାର୍ଯ୍ୟ କରି ଶତାଧିକ ମହିଳା ଓ ପୁରୁଷ ଶ୍ରମିକ ନିଜର ମଜୁରୀ ପାଇବାରୁ ବଂଚିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଖଣ୍ଡିଆନଈ ପଂଚାୟତର ତିରିଡା ଗ୍ରାମରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ସୂଚନା ଅନୁସାରେ ଉକ୍ତ ଗ୍ରାମରେ ୨ ଟି ମାଟି ରାସ୍ତା କାର୍ଯ୍ୟ କରି ୨ ଲକ୍ଷ ୫୦ ହଜାର ଟଙ୍କା ମଜୁରୀ ବାବଦରେ ପାଇବାକୁ ବାକି ଅଛନ୍ତି ଶ୍ରମିକମାନେ । କିନ୍ତୁ ହଠାତ୍ ସେମାନଙ୍କ କାର୍ଯ୍ୟକୁ ବନ୍ଦ କରି ଦିଆଯାଇଥିବା ବେଳେ ମଜୁରୀ ବି ପ୍ରଦାନ କରାଯାଉ ନାହିଁ । ଶ୍ରମିକମାନେ କାର୍ଯ୍ୟ କରୁଥିବା ସମୟରେ ବ୍ଲକର ବିଏଫଟି ନିଜେ ଉପସ୍ଥିତ ରହି ସମସ୍ତ ଫଟୋ ମଧ୍ୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟକୁ ପଠାଇଛନ୍ତି । ଏପରିକି କାର୍ଯ୍ୟ କରାଯିବାର ସମସ୍ତ ତଥ୍ୟ ପ୍ରମାଣ ମଧ୍ୟ ରହିଛି । ଆଉ ଏହାକୁ ନେଇ ଶତାଧିକ ଶ୍ରମିକ ବିଡିଓ ପ୍ରଜ୍ଞା ପ୍ରିୟଦର୍ଶିନୀକୁଂ କୈଫୟତ ମାଗିଛନ୍ତି । ଏ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀଙ୍କୁ ଶତାଧିକ ଶ୍ରମିକ ଭେଟି ଅଭିଯୋଗ କରିଥିବା ବେଳେ ବିଡିଓ ଘଟଣାର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହିଛନ୍ତି । ଏହାକୁ ନେଇ ଗରିବ ମଜୁରୀଆମାନେ କ୍ଷୋଭ ପ୍ରକାଶ କରିଥିବା ବେଳେ ତୁରନ୍ତ ମଜୁରୀ ପ୍ରଦାନ କରା ନଗଲେ ବ୍ଲକ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଗାମୀ ଦିନରେ ଧାରଣା ଦେବେ ବୋଲି କହିଛନ୍ତି ତିରିଡା ଗ୍ରାମର ଶତାଧିକ ଶ୍ରମିକ ।