ଡିସେମ୍ବର ୧ରେ ବାତ୍ୟା ସମ୍ଭାବନା; ଓଡିଶାକୁ ନାହିଁ ଭୟ

ବ୍ୟୁରୋ ରିପୋର୍ଟ, ୨୯/୧୧ : ଉତର ଆଣ୍ଡାମାନ ସାଗର ଲଘୁଚାପ କ୍ଷେତ୍ର ୱେଲ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି । ଏହା ଧୀରେ ଧୀରେ ପଶ୍ଚିମ-ଉତର ପଶ୍ଚିମ ଦିଗରେ ଗତି କରିବା ସହ ଆହୁରୀ ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗର ପାଶ୍ୱର୍ବର୍ତୀ ଅଂଚଳରେ ୩୦ ତାରିଖ ଆଡ଼କୁ ଅବପାତରେ ପରିଣତ ହେବ । ଏହାର ୪୮ ଘଂଟା ମଧ୍ୟରେ ତାହା ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ନଥିଲେ ମଧ୍ୟ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ । ତେଣୁ ଡିସେମ୍ବର ୧ ତାରିଖ ଦିନ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳର ଗଭୀର ସମୁଦ୍ର ଅଂଚଳକୁ ମତ୍ସ୍ୟଜୀବୀଙ୍କୁ ପ୍ରବେଶ ପାଇଁ ବାରଣ କରାଯାଇଛି । ଏଥିସହ ସମୁଦ୍ର ମଧ୍ୟରେ ଥିବା ମତ୍ସଜୀବୀମାନଙ୍କୁ ୧ ତାରିଖ ସୁଦ୍ଧା ଉପକୂଳକୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି । ଏବେ ଧାନ ଅମଳ ସମୟ ଚାଲିଥିବା ବେଳେ ଭୟ ବଢାଇଛି ସମ୍ଭାବ୍ୟ ବାତ୍ୟା । ତେବେ ସମ୍ଭାବ୍ୟ ବାତ୍ୟା ନେଇ ଓଡ଼ିଶା ପାଇଁ କୌଣସି ସତର୍କତା ଜାରି ହୋଇନାହିଁ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।