ଓଡାପଡା ତହସିଲରେ ବାଡ ଖାଉଛି ଫସଲ । ଆଖି ଦେଖୁଛି ଗୋଟେ ତଥ୍ୟ, କାଗଜ କଲମରେ ଭିନ୍ନ ତଥ୍ୟ…

ଓଡାପଡା, ୨୯/୧୧ (ଗୋପବନ୍ଧୁ ବାରିକ) : ଓଡାପଡା ତହସିଲିରେ କାଗଜ କଲମରେ ହଡ଼ପ ହେଉଥିଲା ଲକ୍ଷ ଲକ୍ଷ ଟଙ୍କାର ଲଘୁଖଣିଜ । ଏହାର ଦସ୍ତାବିଜ୍ ଏବେ ହସ୍ତଗତ ହୋଇଛି । ଦସ୍ତାବିଜ୍ ପରେ ପଦାରେ ପଡିଛି ଓଡାପଡା ପ୍ରଶାସନିକ ଗୁମର କଥା । କିଛିଦିନ ତଳେ ଓଡାପଡା ପଂଚାୟତ ସମିତି ମହାବିଦ୍ୟାଳୟ ଦକ୍ଷିଣ ପାର୍ଶ୍ୱରେ ଥିବା ପାହାଡ଼ କିପରି ନିଜର ସୁରକ୍ଷା ପାଇଁ ହକ ମାଗୁଛି ସେ ନେଇ ଖବର ପ୍ରସାରଣ ହୋଇଥିଲା । ଅର୍ଥପିପାସୁ ମଣିଷମାନେ ସରକାରୀ ବାବୁ ମାନଙ୍କୁ ହାତବାରିସୀ କରି କିଭଳି ଅନବରତ ଭାବେ ଖଣିଜ ସମ୍ପଦ ଲୁଟୁଥିଲେ ସେ ନେଇ ଖବର ମଧ୍ୟମରେ ଦର୍ଶାଯାଇଥିଲା ।
ଆରଟିଆଇ ଚିଠି ନମ୍ବର ୪୪୯୯/ ୨୦୨୩ ଅନୁଯାଇ, ମାଟି କଟା ଯାଉଥିବା ଜମି ଓଡାପଡା ପଂଚାୟତ ସମିତି ମହାବିଦ୍ୟାଳୟର । କିନ୍ତୁ ସରକାରୀ ବାବୁମାନେ ଏହି ପ୍ଲଟ ନମ୍ବରକୁ ଦେଖାଇ ସବୁଜିମା ଭରା ପାହାଡକୁ କାଟିବା ପାଇଁ ବିକେମ ନାମକ ଏକ କମ୍ପାନୀକୁ ଅନୁମତି ପ୍ରଦାନ କରିଛନ୍ତି । ଫଳରେ ଉକ୍ତ କମ୍ପାନୀ ଗତ ମାର୍ଚ୍ଚ ମାସଠାରୁ ଆଜି ପର୍ଯ୍ୟନ୍ତ ପାହାଡ଼ରୁ ମାଟି ଓ ଗଛ କାଟିବାରେ ଲାଗି ପଡିଛନ୍ତି । ବିକେମ କମ୍ପାନୀକୁ ତିରିଶି ହଜାର କ୍ୟୁବିକ ମିଟର ମାଟି କାଟିବାକୁ ଅନୁମତି ମିଳିଥିବା ବେଳେ ଆର୍ଆଇଙ୍କ ରିପୋର୍ଟ ଅନୁଯାୟୀ ତହସିଲ କାଗଜ ପତ୍ରରେ ଏପର୍ଯ୍ୟନ୍ତ କୁଆଡେ କମ୍ପାନୀ ମାତ୍ର ତିନି ହଜାର କ୍ୟୁବିକ ମିଟର ମାଟି କାଟିଛି ବୋଲି ତହସିଲଦାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଏଠି କଥା ଉଠୁଛି ଯଦି ଏ ପର୍ଯ୍ୟନ୍ତ ୫୩୭୭/୬୩୪୨ ପ୍ଲଟ ନମ୍ବରରୁ ମାତ୍ର ତିନି ହଜାର କ୍ୟୁବିକ ମିଟର ମାଟି କଟିଛ, ତେବେ ବିକେମ କମ୍ପାନୀ ଏତେବଡ ପାହାଡ଼କୁ କାଟିଲା କାହିଁକି ? କେମିତି ଜଙ୍ଗଲରେ ପରିପୂର୍ଣ ଏହି ପାହାଡକୁ ଦିନ ଦ୍ୱିପ୍ରହରେ କଟାଯାଉଥିଲେ ମଧ୍ୟ ଓଡାପଡା ତହସିଲଦାରଙ୍କ ନଜର ପଡିଲା ନାହିଁ ? କାହିଁକି ଜଙ୍ଗଲ ବିଭାଗ ଏହିପରି ମୂଲ୍ୟବାନ ଗଛ ଓ ପରିବେଶ ନଷ୍ଟ ହେଉଥିବାର ଦେଖି ଚୁପ୍ ବସିଛ? ଢେଙ୍କାନାଳ ବନ ବିଭାଗ ଏପରି ଏକ ସବୁଜ ସୁନ୍ଦର ପରିବେଶ ସୃଷ୍ଟି କରିପାରିବ କି? ତେବେ କାହିଁକି ଏତେ ପାହାଡ଼ କଟାଯାଉଥିଲେ ମଧ୍ୟ କମ୍ପାନୀ ପ୍ରୀତି ଦେଖାଇ ଏହାକୁ ଘଂଟ ଘୋଡାଉଛି ବନ ବିଭାଗ ? କାହିଁକି ନେଉନି କିଛି ଆଖି ଦୃଷ୍ଟିଆ ପଦେକ୍ଷପ ? କାହିଁକି ପ୍ରଶାସନିକ ଅଧିକାରୀମାନେ ଘଟଣା ସ୍ଥଳକୁ ନ ଯାଇ କେବଳ କାଗଜ କଲମକୁ ବିଶ୍ୱାସ କରି ଚୁପ ବସିଛନ୍ତି ?
ଏହିପରି ଅନେକ ପ୍ରଶ୍ନ ଭିତରେ ଓଡାପଡା ତହସିଲ ଛନ୍ଦି ହୋଇଥିବାବେଳେ, ଓଡାପଡା ତହସିଲଦାର ନିଜେ ଏକ ମାସ ହେବ କାର୍ଯ୍ୟରେ ଯୋଗ ଦେଇଛନ୍ତି ଯାହା ହୋଇଛି ପୂର୍ବ ତହସିଲଦାରଙ୍କ ଅନୁମତିରେ ହୋଇଛି ବୋଲି ପ୍ରକାଶ କରି ନିଜ ଉପରୁ ଦୋଷ ତ୍ରୁଟି ଛଡାଇ ଦେବାକୁ ବସିଯାଇଛନ୍ତି । ଏ ବାବଦରେ କିଛି ଅଧିକ ସୂଚନା ପାଇଁ ଆମ ପ୍ରତିନିଧି ଓଡାପଡା ତହସିଲଦାରଙ୍କ ପ୍ରତିକ୍ରିୟା ନେବାରୁ ସେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବାର ଅନୁମତି ନାହିଁ ବୋଲି କହିବା ସହିତ ପ୍ରଶ୍ନକୁ ଏଡାଇ ଦେଇଛନ୍ତି ।
ଏଠି ଆମର ପ୍ରଶ୍ନ, ଏତେ ବଡ଼ ସବୁଜ ସୁନ୍ଦର ପାହାଡ଼କୁ କାଟିବାକୁ ତହସିଲଦାର ଅନୁମତି ଦେଉଛନ୍ତି ଅଥଚ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଯେତେବେଳେ ଏ ନେଇ ପ୍ରଶ୍ନ କରୁଛନ୍ତି ତେବେ କାହିଁକି ପାହାଡ଼ କଟା ବାବଦରେ ସୂଚନା ଦେଉନାହାନ୍ତି ତହସିଲଦାର ମହୋଦୟ । ସେପଟେ ରାଜ୍ୟରେ ୫ଟି ବ୍ୟବସ୍ଥା ପ୍ରଚଳନ ହୋଇଥିବାବେଳେ ଏହା କିପ୍ରକାରର ସ୍ୱଚ୍ଛତା ବୋଲି ପ୍ରଶ୍ନ କରିଛନ୍ତି ଅଂଚଳବାସୀ । ତେବେ ଦେଖାଯାଉ ଖବର ପ୍ରସାରଣ ପରେ ସରକାର ଏ ଘଟଣାକୁ କେତେ ଗମ୍ଭୀରତାର ସହ ନେଉଛନ୍ତି ଏବଂ ଏ ଦିଗରେ କିଭଳି ଉଚ୍ଚସ୍ତରୀୟ ତଦନ୍ତ କରୁଛନ୍ତି ।