ସରକାରୀ ସମ୍ପତ୍ତି ନଷ୍ଟ କରି ନିଜେ ମାଲେମାଲ୍ ହେବେ ଲିଜଧାରୀ…

କଳାହାଣ୍ଡି, ୨୭/୧୧ (ରଜତ ପଟ୍ଟନାୟକ) : ଲିଜଧାରୀ ବାଲି ଉଠାଇ ନିଜର କାରବାର କରିବେ । ହେଲେ ଏଥପାଇଁ ନଷ୍ଟ କରିବେ ସରକାରୀ ସମ୍ପତ୍ତି । ଏ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ନୁନମାଠ ପଂଚାୟତ ଅମାଠ ନଦୀ ବାଲି ଘାଟରେ । ସୂଚନା ଅନୁସାରେ, ବାଲି ଲିଜ ନେଇଥିବା ଲିଜଧାରୀ ବାଲି ଚାଲାଣ କରିବା ପାଇଁ ନଦୀ ହୁଡ଼ାକୁ କାଟି ହାଇୱା ଯିବା ପାଇଁ ରାସ୍ତା ନିର୍ମାଣ କରି ଏବେ ବାଲି ଚାଲାଣ କରୁଛନ୍ତି । ଗୋଟିଏ ପଟେ ସରକାର ନଦୀ ହୁଡ଼ାର ସୁରକ୍ଷା ପାଇଁ ପଥର ପ୍ୟାଚିଂ କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସଂପୃକ୍ତ ଲିଜଧାରୀ କିଭଳି ନଦୀ ହୁଡ଼ାକୁ କାଟି ରାସ୍ତା ନିର୍ମାଣ କଲେ ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅପରପକ୍ଷେ ଏ ବାବଦରେ ଜଳସମ୍ପଦ ବିଭାଗ ଅବା ସ୍ଥାନୀୟ ପ୍ରଶାସନ କିଭଳି ଜାଣିପାରିଲେନି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ବର୍ଷା ଦିନେ ନଦୀରେ ବନ୍ୟା ଆସିବା ଫଳରେ ବଢ଼ି ପାଣି ବିଲରେ ମାଡି ଯାଇ ବିଲରେ ବାଲି ଚରିବା ଆଶଙ୍କା ରହିଛି । ଯାହାକୁ ନେଇ ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ନୁନମାଠ ଗ୍ରାମକୁ ଜଳଯୋଗାଣ ପାଇଁ ନଦୀ କୂଳରେ ପାଣି ଟାଙ୍କି ନିର୍ମାଣ ଚାଲିଛି । ନିୟମ ରହିଛି କି ନିର୍ମାଣଧିନ ସ୍ଥାନରୁ ୫୦ ମିଟର ମଧ୍ୟରେ ବାଲି ଉଠାଣ ହୋଇପାରିବ ନାହିଁ । ହେଲେ ନିର୍ମାଣ ସ୍ଥାନରୁ ମାତ୍ର ୧୫ ମିଟର ମଧ୍ୟରେ ବାଲି ଉଠାଣ ଚାଲିଛି । ତେଣୁ ଏଥିପାଇଁ ଅନୁମତି କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତ ସାଧାରଣ ଜନତା । ଆଉ ଏବେ ନିର୍ମାଣଧୀନ ପାଣି ପମ୍ପ ହାଉସର ଭବିଷ୍ୟତକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଜନତା । ଅପରପକ୍ଷେ ସ୍ଥାନୀୟ ସରପଞ୍ଚ ଏ ଦିଗରେ ପଦେକ୍ଷପ ନିଆଯିବ ବୋଲି କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ସରପଞ୍ଚ ମହୋଦୟ ଏ ଦିଗରେ କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ।