ଓଡିଶା କଳା ସଂସ୍କୃତି

କାର୍ତ୍ତିକ ପୂର୍ଣ୍ଣିମା ମହତ୍ବ କ’ଣ ? କାହିଁକି ପାଳନ କରାଯାଏ ଏହି ପରମ୍ପରା ?

ଓଡ଼ିଆ ଧର୍ମ ଧାରା ଓ ସଂସ୍କୃତିରେ କାର୍ତ୍ତିକ ପୂର୍ଣ୍ଣିମା ବେଶ ଗୁରୁତ୍ବ ବହନ କରେ । ଧର୍ମର ମାସ କାର୍ତ୍ତିକର ଶେଷ ଦିନ ହେଉଛି କାର୍ତ୍ତିକ ପୂର୍ଣ୍ଣିମା l କାର୍ତ୍ତିକ ପୂର୍ଣ୍ଣିମାକୁ ରାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ l କାର୍ତ୍ତିକ ମାସ ସାରା ଦେବା ଦେବୀଙ୍କ ନିକଟରେ ପୂଜା ଉପାସନା କରାଯାଇଥାଏ l ଏହା ଦ୍ବାରା ଅକାଳ ମୃତ୍ୟୁ ହୋଇ ନ ଥାଏ ବୋଲି ବିଶ୍ୱାସ ରହିଛି । ଶୁକ୍ଳ ଏକାଦଶୀ ତିଥିଠାରୁ ଶ୍ରୀକୃଷ୍ଣଙ୍କ ଶରତ ରାସ ଯାତ୍ରା ଆରମ୍ଭ ହୋଇଥାଏ l କାର୍ତ୍ତିକ ପୂର୍ଣ୍ଣିମା ଦିନ ରାସ ଉତ୍ସବ ଉଦଯାପନ ହୋଇଥାଏ l ବଡ଼ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚ ଦିନ ଭୀଷ୍ମ ପଞ୍ଚକ ପଡ଼େ l ଏହାର ଅନ୍ୟ ନାମ ବକ ପଞ୍ଚକ । କୁହାଯାଏ ଯେ ଏହି ପାଞ୍ଚ ଦିନ ପର୍ଯ୍ୟନ୍ତ ବଗ ମଧ୍ୟ ମାଛ ଖାଇ ନ ଥାଏ ବୋଲି ବିଶ୍ୱାସ କରାଯାଏ l ଚର୍ତୁମାସ ବ୍ରତ ସମାପ୍ତ ହେଉଥିବା ଯୋଗୁଁ ଏହାକୁ ଚର୍ତୁମାସ୍ୟ ପଞ୍ଚକ ବୋଲି ମଧ୍ୟ କୁହାଯାଏ । ଚତୁର୍ଦ୍ଦଶୀ ଦିନ ଶିବ ଉତଥାନ ଯାତ୍ରା ଓ ବଡଓଷା ଅନୁଷ୍ଠିତ ହୋଇଥାଏ l

ବିଷ୍ଣୁ ପୁରାଣ ଅନୁସାରେ, କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ ଭଗଵାନ ବିଷ୍ଣୁ ତାଙ୍କ ଦଶ ଅବତାରର ପ୍ରଥମ ଅବତାର ଧାରଣ କରିଥିଲେ l ଜଳ ପ୍ରଳୟ ସମୟରେ ସାରା ପୃଥିବୀ ଜଳ ମଗ୍ନ ହୋଇ ଯାଇଥିଲା । ସେତେବେଳ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାରରେ ସମସ୍ତଙ୍କୁ ରକ୍ଷା କରିଥିଲେ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ଧାରଣ କରିବା ଯୋଗୁଁ ବୈଷ୍ଣବ ମତରେ ଏହି ପୂର୍ଣ୍ଣିମାର ବିଶେଷ ମହତ୍ବ ରହିଛି l ସେହିପରି ଶିବ ମତ ଅନୁସାରେ, କାର୍ତ୍ତିକ ପୂର୍ଣ୍ଣିମା ଦିନ ତ୍ରିପୁରାସୁରକୁ ସଂହାର କରିଥିଲେ ଭଗବାନ ଶିବ । ଯେଉଁଥିପାଇଁ ତାଙ୍କ ନାମ ତ୍ରିପୁରାରି ରହିଛି । ମାସ ସାର ହବିଷ ବ୍ରତ କରିଥିବା ଶ୍ରଦ୍ଧାଳୁମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସାଇ ବ୍ରତ ଉଦଯାପନ କରନ୍ତି । ଏହି ଦିନ କଦଳୀ ପାଟୁକା ନିର୍ମିତ ଡଙ୍ଗା ଭସାଇବାର ବିଧି ପ୍ରଚଳିତ ରହିଛି । ଏହି ଦିନ ପ୍ରତ୍ୟୁସରୁ ଅବାଳବୃଦ୍ଧାବନିତ ନଦୀ ବା ପୁଷ୍କରିଣୀରେ ବୁଡ଼ ପକାଇ କଦଳୀ ବସୁଙ୍ଗା ବା ସୋଲ ତିଆରି ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ସେ ସବୁ ଭସାଇ ଦିଅନ୍ତି ।

ଆ-କା-ମା-ବୈ, ପାନ ଗୁଆ ଥୋଇ । ପାନ, ଗୁଆ ତୋର ମାସକ ଧରମ ମୋର । ଏହି ଆ-କା-ମା-ଵୈର ଅର୍ଥ ହେଉଛି  ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ । ଏହି ଚାରିମାସ ଓଡିଆଙ୍କ ପାଇଁ ସବୁଠୁ ଧର୍ମ ମାସ । ପୌରାଣିକ ଅନୁଧ୍ୟାନରୁ ଏହି ଚାରିମାସ ଧର୍ମ ଦୃଷ୍ଟିରୁ ଶୁଭପ୍ରଦ । ଏବଂ ଦେବଦେବୀଙ୍କ ଉପାସନା ସକାଶେ ଅତ୍ୟନ୍ତ ଅନୁକୂଳ l ପୂର୍ବକାଳରେ ଆମ ଓଡ଼ିଆ ସାଧବ ପୁଅମାନେ କାର୍ତ୍ତିକ ମାସରେ ବେପାର ବଣିଜ କରିବାକୁ ବୋଇତରେ ବିଦେଶ ଯାଇଥିଲେ l କାରଣ ଏହି ସମୟକୁ ସେମାନେ ସମୁଦ୍ରରେ ବୋଇତ ନେଇଯିବାକୁ ପ୍ରକୃଷ୍ଟ ସମୟ ଭାବୁଥିଲେ । ଏହି ସମୟରେ ପବନର ଗତି ଯୋଗୁଁ ସେମାନଙ୍କ ଯାତ୍ରା ଅନୁକୂଳ ଥିଲା । ପୁଣି ଆଷାଢ଼ ମାସରେ ଫେରୁଥିଲେ । ସେଇ ସାଧବ ପୁଅଙ୍କ ବୋଇତ ଯାତ୍ରାକୁ ସ୍ମରଣ କରିବା ପାଇଁ ଆମେ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଥାଉ । ବହୁ ସ୍ଥାନରେ ଏହି ଦିନ ବୋଇତ ବନ୍ଦାଣ ଉତ୍ସବମାନ ଅନୁଷ୍ଠିତ ହୁଏ l ଏହି ଦିନ ଡଙ୍ଗା ଭସାଇବା ପରେ ଲୋକେ ମନ୍ଦିର ଯାଇ ଦେବାଦେବୀଙ୍କୁ ଦର୍ଶନ କରିଥାନ୍ତି l ଚତୁର୍ଦିଗରୁ ନାମ ସଂକୀର୍ତ୍ତନ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ l କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସୁନାବେଶରେ ଦର୍ଶନ ଦେଇଥାନ୍ତି l ତେଣୁ ଏହି କାର୍ତ୍ତିକ ମାସ ଏକ ପୁଣ୍ୟ ଏବଂ ପବିତ୍ର ମାସ ହୋଇଥିବାରୁ ପ୍ରତ୍ୟେକ ଗାଁରେ ଭାଗବତ ଟୁଙ୍ଗି ଧର୍ମ ମଣ୍ଡପ ମାନଙ୍କରେ ଏହି ପାଞ୍ଚ ଦିନ ଗୀତ ବସେଇ ପଞ୍ଚକ ପାଳନ କରାଯାଏ l ପ୍ରତ୍ୟେକ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ଏହି ଦିନରେ ଆମିଷ ଭୋଜନ ଛାଡ଼ି, ମାସ ସାରା ଭକ୍ତିରେ ରହିଥାନ୍ତି l ଦିନ ତମାମ ଉପବାସ ରହି ହବିଷ ଅର୍ଣ୍ଣ ଯଥା- ଅରୁଆ, ଡାଲମା କଦଳୀ ପତ୍ରରେ ସେବନ କରନ୍ତି । ପୂର୍ଣ୍ଣିମା ଦିନ ସମସ୍ତ ସାହି ପଡ଼ିଶାରେ ହବିଷ୍ୟାଳିମାନେ ହବିଷ ଅର୍ଣ୍ଣ ଦାନ କରନ୍ତି l କଥାରେ ଅଛି ଅର୍ଣ୍ଣ ଦାନଠାରୁ ପୁଣ୍ୟ ଆଉ କେଉଁ ଦାନରେ ନାହିଁ l ନିଜେ ଖାଇବାରେ ଯେଉଁ ଶାନ୍ତି ନାହିଁ ଅନ୍ୟକୁ ଖୁଆଇବାରେ ଅନେକ ଶାନ୍ତି ଓ ଖୁସି ଅଛି l ତେଣୁ ଏହି ଦିନରେ ଅର୍ଣ୍ଣ ଦାନ କରାଯାଏ l ପୂର୍ଣ୍ଣିମା ଦିନ ଭୋର୍ ପାହାନ୍ତିଆରୁ ଉଠି ଶୀତ କାକରକୁ ଖାତିର ନ କରି ଗାଧୋଇ ରୀତିନୀତି ନିୟମ ଅନୁସାରେ ଡଙ୍ଗା ଭସାଯାଏ l ଏହି ଦିନକୁ ବେଶ୍ ହସ ଖୁସିରେ ପାଳନ କରାଯାଏ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା