କାର୍ତ୍ତିକ ପୂର୍ଣ୍ଣମୀ ଉପଲକ୍ଷେ ମା ବରାଳ ଦେବୀଙ୍କ ପୀଠରେ ଭିଡ…

କନ୍ଧମାଳ, ୨୭/୧୧ : ସାରାରାଜ୍ୟରେ କାର୍ତ୍ତିକ ପୂର୍ଣ୍ଣମୀ ବୋଇତ ବନ୍ଦାଣ ଉତ୍ସବ ପାଳନ ହେଉଥିବା ବେଳେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକରେ ଥିବା ମା ବରାଳ ଦେବୀଙ୍କ ପୀଠରେ ଭିଡ ପରିଳକ୍ଷିତ ହୋଇଛି । କାର୍ତ୍ତିକ ମାସର ଶେଷ ସୋମବାର ଉପଲକ୍ଷେ ଜିଲ୍ଲାର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ଜମି ରହିଥିଲା । ଏଥି ମଧ୍ୟରୁ ଖଜୁରୀପଡ଼ା ବ୍ଲକ ମଧ୍ୟରେ ଥିବା ପ୍ରସିଦ୍ଧ ଶିବ ଶକ୍ତି ପୀଠ ବଲସକୁମ୍ପା ମାଁ ବରାଳ ଦେବୀ ପୀଠରେ ଭକ୍ତ ସମାଗମ ଦେଖିବାକୁ ମିଳିଛି । ସେହିପରି ଦୂତିପଡା, ସମ୍ବେପଦର୍, ନବଗୁବା, ଖଜୁରୀପଡ଼ା, ଫୁଲବାଣୀ, ତୁମ୍ବୁଡ଼ିବନ୍ଧ, ରାଇକିଆ, ଜି ଉଦୟଗିରି, ଟିକାବାଲି, ବାଲିଗୁଡ଼ା, କୋଟଗଡ଼, ଫିରିଙ୍ଗିଆ, ଚକାପାଦ ସମେତ ଅନେକ ସ୍ଥାନରେ ରହିଥିବା ଶିବ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଜିଲ୍ଲା ତଥା ଜିଲ୍ଲା ବାହାରୁ ମାନସିକଧାରୀ ହଜାର ହଜାର ଶ୍ରଦ୍ଧାଳୁ ବାବା ଗୁପ୍ତେଶ୍ୱର ଏବଂ ମାଁ ବରାଳ ଦେବୀଙ୍କ ଦର୍ଶନ ପାଇଁ ଆତୁର ହୋଇ ରହିଥିଲେ । ପଞ୍ଚୁକ ଉପଲକ୍ଷେ ବାବା ବାଲୁଙ୍କେଶ୍ୱର ଯୁବକ ସଂଘ ପକ୍ଷରୁ ବାବା ବାଲୁଙ୍କେଶ୍ୱର ଶିବ ମନ୍ଦିର ନବଗୁବାଠାରେ ପନ୍ଦର ହଜାର ଏକ ଦୀପ ଦାନ କରାଯାଇଥିଲା । ସନ୍ଧ୍ୟା ସମୟରେ ଶ୍ରଦ୍ଧାଳୁମାନେ ନିଜ ନିଜର ମନସ୍କାମନା ପୂରଣ ପାଇଁ ମନ୍ଦିରରେ ଦୀପ ପ୍ରଜ୍ବଳନ କରିଥିଲେ ।