କାମରେ ଆସୁନି ସରକାରଙ୍କ ପ୍ରାଣୀ ଚିକିତ୍ସାଳୟ ଆମ୍ବୁଲାନ୍ସ…

ଢେଙ୍କାନାଳ, ୨୭/୧୧ (ସୁଜିତ୍ କୁମାର ବେହେରା) : ବିଷ ନେଇଗଲା ଛେଳିଙ୍କ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ବାଉଁଶ ପୋଖରୀ ପଂଚାୟତ ଖଇରା ସାହି ଗ୍ରାମରେ । ଗ୍ରାମର ବାଉରୀ ଭୋଇ ନାମକ ଛେଳି ଚାଷୀ ନିତିଦିନ ଭଳି ଗ୍ରାମ ନିକଟସ୍ଥ ପିଢ଼ ଠାକୁରାଣୀଙ୍କ ପାର୍ଶ୍ୱବର୍ତି ଅଂଚଳକୁ ଛେଳି ଚରାଇବାକୁ ଯାଇଥିବା ବେଳେ ୨/୩ ଟି ଛେଳି ପାଟିରୁ ନାଳ ଛାପ ଗଡ଼ାଇ ପେଟ ଫୁଲାଇ ହଠାତ୍ ଥରିବା ସହ ସେହି ସ୍ଥାନରେ ମୃତ୍ୟୁ ବରଣ କରିଥିଲେ । ଏହା ଦେଖି ଚାଷୀ ଜଣକ ତରବରିଆ ଭାବେ ଅନ୍ୟ ସମସ୍ତ ଛେଳିଗୁଡ଼ିକୁ ଘଉଡାଇ ଘରକୁ ଫେରାଇ ଆଣିଥିଲେ । ମାତ୍ର ଘରେ ମଧ୍ୟ ଅନୁରୂପ ଭାବେ ଆଉ ୫/୬ ଗୋଟି ଛେଳି ଏକପ୍ରକାରରେ ମୃତ୍ୟୁ ବରଣ କରିଥିଲେ । ଏହାକୁ ଦେଖି ଚାଷୀ ଜଣକ ହତବାକ୍ ହୋଇଯାଇଥିବାବେଳେ ଏବେ ତାଙ୍କର ପରିବାର ପ୍ରତିପୋଷଣ କିପରି ହେବ ସେ ନେଇ ଚିନ୍ତାରେ ପରିବାର ଲୋକ । ତେବେ ବିଷ ପ୍ରୟୋଗ ଯୋଗୁଁ ତାଙ୍କର ଛେଳି ପଲ ଅକ୍ଲେଶରେ ମୃତ୍ୟୁ ବରଣ କରିଥିବା ସେ ଅଭିଯୋଗ ଉଠାଇଛନ୍ତି ।
ଅପରପକ୍ଷେ ଏହି ଘଟଣା ନେଇ ଛେଳିଙ୍କ ତୁରନ୍ତ ଚିକିତ୍ସା ପାଇଁ ଗ୍ରାମର କିଛି ବ୍ୟକ୍ତି ହିନେ୍ଦାଳ ଉପଖଣ୍ଡ ପ୍ରାଣୀଧନ ଚିକିତ୍ସାଳୟର ଜନୈକ କର୍ମଚାରୀଙ୍କୁ ଫୋନ୍ ଯୋଗେ ଜଣାଇଥିଲେ । ତେବେ ସରକାରଙ୍କ ପକ୍ଷରୁ ପ୍ରଦତ ପ୍ରାଣୀ ଚିକିତ୍ସାଳୟର ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଂଚିନଥିଲା । ଏପରିକି ପରବର୍ତୀ ସମୟରେ ସେହି ନମ୍ବରକୁ ଫୋନ କରିବାରୁ ଉକ୍ତ କର୍ମଚାରୀ ଆଉ ଫୋନ୍ ଉଠାଇ ନଥିଲେ । ଏ ସଂପର୍କରେ ହିନେ୍ଦାଳ ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ଜଣାପଡ଼ିଛି । ତେବେ ତୁରନ୍ତ କ୍ଷତିଗ୍ରସ୍ତ ଛେଳି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ସେ ବିଭାଗକୁ ନିବେଦନ କରିଥିବା କହିଛନ୍ତି ।