କଳାନୁରାଗୀ ଧର୍ମପ୍ରାଣା ଗୋଲାପ ଦେବୀଙ୍କ ସ୍ମୃତି ଦିବସ ପାଳିତ…

ମାହାଙ୍ଗା, ୨୭/୧୧ (ଅଭୟ ଜେନା) : ମାହାଙ୍ଗା ବ୍ଲକ ବିରୂପା ଗେଙ୍ଗୁଟି ଦ୍ୱିପାଂଚଳ ଅନ୍ତର୍ଗତ କଲ୍ୟାଣପୁରରେ କଳାନୁରାଗୀ ଯଶସ୍ୱୀ ଧର୍ମପ୍ରାଣା ମହିଳା ଗୋଲାପ ମହାନ୍ତିଙ୍କ ସ୍ମୃତି ଦିବସ ପାଳିତ ହୋଇଯାଇଛି । ପିଲାଟି ଦିନରୁ ଗୋଲାପ ଦେବୀ ଜଣେ ଭଲ ଅଭିନେତ୍ରୀ ଭାବେ ନିଜ କଳା ନୈପୁଣ୍ୟତାର ପରିଚୟ ସୃଷ୍ଟି କରିପାରିଥିଲେ । ଅନେକ ନାଟକ ଓ ସୁଆଙ୍ଗରେ ସେ ଅଭିନୟ କରି ପ୍ରଶଂସିତ ହୋଇପାରିଥିଲେ । ଓଡ଼ିଆ ଯାତ୍ରା ନାଟକ ପାଇଁ ଜୀବନବ୍ୟାପୀ ନିଜକୁ ସମର୍ପିତ କରିଥିବା ବିଭୂପଦ ମହାନ୍ତିଙ୍କୁ ସେ ବିବାହ କରିଥିଲେ । ଉଭୟେ ପତି-ପତ୍ନୀ କଳାର ପୂଜାରୀ ଥିଲେ । ସେ ରାଜ୍ୟ ସରକାରଙ୍କ ଦ୍ୱାରା କୃତୀ କଳାକାର ସମ୍ମାନ ମଧ୍ୟ ହାସଲ କରିଥିଲେ । କୁହୁଣ୍ଡା ପଂଚାୟତ କଲ୍ୟାଣପୁରରେ ସ୍ୱର୍ଗତଃ ଶ୍ରୀମତୀ ମହାନ୍ତିଙ୍କ ତିରୋଧାନ ତିଥିରେ ତାଙ୍କ ସ୍ମୃତି ଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ୱର୍ଗୀୟା ଗୋଲାପ ଦେବୀଙ୍କ ଅମର ଅମୃତ ଆତ୍ମାର ସଦଗତି ପାଇଁ ବ୍ରହ୍ମଣ ପୁରୋହିତଙ୍କ ଦ୍ୱାରା ତିଳତର୍ପଣ ଓ ପିଣ୍ଡଦାନ, ସୂର୍ଯ୍ୟପୂଜା ଆଦି ବିଭିନ୍ନ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି ।
ମହିୟସୀ ଧର୍ମପ୍ରାଣା ମହିଳା ଗୋଲାପ ଦେବୀଙ୍କ ସୁପୁତ୍ର ବରିଷ୍ଠ ସାମ୍ବାଦିକ ତଥା ସାହିତି୍ୟକ ଅଖିଳେଶ ମହାନ୍ତି ମାତୃଶ୍ରାଦ୍ଧ କାର୍ଯ୍ୟରେ କର୍ତା ଭାବେ ସମସ୍ତ କାର୍ଯ୍ୟକୁ ସମ୍ପାଦନ କରିଥିଲେ । ପୁତ୍ରବଧୂ ତଥା କୁହୁଣ୍ଡା ପଂଚାୟତର ସମିତିସଭ୍ୟା, ସୁଲେଖିକା ସୁପ୍ରଭା ସାମଲ, ନାତି ଅଙ୍କିତ ଅନୁରାଗ, ନାତୁଣୀ ସ୍ୱୟଂସ୍ୱରୂପା, ପୁତୁରା ଶିଖିଳେଶ, ତୁଷାରକାନ୍ତ ଏବଂ ଆତ୍ମୀୟ ସ୍ୱଜନମାନେ ଗୋଲାପ ଦେବୀଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ଉତ୍ସବରେ ଉପସ୍ଥିତ ହୋଇ ତା’ଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ ।