୧୦୫୦ ଲିଟର ଚୋରା ମଦ ଜବତ କଲା ବେଗୁନିଆପଡା ପୋଲିସ…

ଗଞ୍ଜାମ, ୨୬/୧୧ (ବାପୁନି କୁମାର ମାଲୁ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ବଡ ଖଇରଖମା ପଂଚାୟତର ଶ୍ରଦ୍ଧାପୁର କେନାଲ ରାସ୍ତାରୁ ଚୋରା ମଦ ଜବତ । ଘଟଣାରେ ବେଗୁନିଆପଡା ପୋଲିସ ଗୋଟିଏ ଟାଟା ଏସିଇ ଗାଡି ନମ୍ବର ଓଡି ୧୩ ଏ ୨୧୨୩ କୁ ଜବତ କରିଛି । ସୂଚନା ଅନୁସାରେ, ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନା ଅଧିକାରୀଙ୍କ ନିର୍ଦେଶ କ୍ରମେ ଏସ୍.ଆଇ ଜଗଦିଶ ପଣ୍ଡାଙ୍କ ନେତୃତ୍ୱରେ ପୋଲିସ ଟିମ୍ ଚଢ଼ାଉ କରିଥିଲା । ଏହି ସମୟରେ ପୋଲିସ ଗାଡି ଦେଖି ରାସ୍ତା ଉପରେ ଉକ୍ତ ଗାଡିଟି ରଖିଦେଇ ଚାଳକ ଚମ୍ପଟ ମାରିଥିଲା । ଘଟଣା ସ୍ଥଳରୁ ପୋଲିସ ଗାଡ଼ି ସହ ସେଥିରେ ଥିବା ୧୦୫୦ ଲିଟର ତଥା ୨୧ ବସ୍ତା ଚୋରା ମଦ ପାଉଚ ଜବତ କରିଛି ।
ଏ ନେଇ ପୋଲିସ ପକ୍ଷରୁ ୪୭୩ / ୨୩ ରେ ଏକ ମାମଲା ରୁଜୁ କରି ଉକ୍ତ ମଦ ଓ ଗାଡିକୁ ଜବତ କରିଥିବା ଥାନା ଅଧିକାରୀ ମନୋଜ ମଞ୍ଜରୀ ନାୟକ ସୂଚନା ଦେଇଛନ୍ତି । ଘଟଣାର ଛାନଭିନ୍ ଜାରି ରହିଥିବାବେଳେ ଖୁବଶୀଘ୍ର ଆସାମୀଙ୍କୁ ଧରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ । ପ୍ରକାଶ ଥାଉ କି, ବେଗୁନିଆପଡା ଅଂଚଳରେ ଅନେକ ଥର ପୋଲିସ ଚୋରା ମଦ ଜବତ କରିଥିଲେ ମଧ୍ୟ ଏହା ଥମିବାର ନାଁ ଧରୁନି । ଅନେକ ସ୍ଥାନରେ ଏପରିକି ରାସ୍ତା କଡରେ ବି ଅବାଧରେ ବିକ୍ରି ଚାଲିଛି ଚୋରା ମଦ । ଅଧିକାଂଶ ସମୟରେ ଖଲ୍ଲିକୋଟ ପଟରୁ ମଦ ଆସୁଥିବା ବେଳେ ଏହା କେଉଁ ଠାରେ ପ୍ରସ୍ତୁତ ହେଉଛି ସେଥିପ୍ରତି ଅବକାରୀ ବିଭାଗ କାହିଁକି ପଦକ୍ଷେପ ନେଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରୁଛି ।