ସରକାରଙ୍କୁ ଅନୁରୋଧ; ମୋରାଙ୍କ ଦୁଃଖ ଟିକେ ବୁଝନ୍ତୁ…

ଢେଙ୍କାନାଳ, ୨୬/୧୧ (ସୁଜିତ୍ କୁମାର ବେହେରା) : କଥାରେ ଅଛି ଅରକ୍ଷିତକୁ ଦଇବ ସାହା । ଦିନଥିଲା ପୁଅ, ବୋହୂ, ନାତିମାନଙ୍କୁ ଧରି ବେଶ୍ ଖୁସିରେ ଦିନ ବିତିଯାଉଥିଲା । ହେଲେ ହସଖୁସିର ସଂସାର ଭିତରେ ସତେ ଯେମିତି କାହାର ନଜର ଲାଗିଗଲା । ବୋଝ ଉପରେ ଲଳିତା ବିଡା ପରି ମୁଣ୍ଡ ଉପରେ ଦୁଃଖର ପାହାଡ଼ କିଏ ଲଦି ଦେଇଗଲା । ଏଭଳି ଏକ ହୃଦୟ ବିଦାରକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା ହିନେ୍ଦାଳ ବ୍ଲକ୍ ପକ୍ଷଟଲା ପଂଚାୟତ ଖାଲପାଳ ଗ୍ରାମରେ । ସେହି ଗ୍ରାମର ଜୈନିକା ବୃଦ୍ଧା ମୋରା ଗଡ଼ନାଏକ ନିଜର ୩୦ ବୟସ୍କ ଅର୍ଦ୍ଧ ପାଗଳ ନାତି ରାଜେଶକୁ ଧରି ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି । ସରକାରଙ୍କ ତରଫରୁ କେବଳ ମିଳୁଥିବା ୩୦୦ ଟଙ୍କାର ଭତା ହିଁ ସେମାନଙ୍କର ପେଟକୁ ଦାନା ଯୋଗାଏ । କହିବାକୁ ଗଲେ ମହରଗ ଯୁଗରେ ୩୦୦ ଟଙ୍କାରେ ଚଳୁଛନ୍ତି ଦୁଇ ପ୍ରାଣୀ କୁଟୁମ୍ବ, ଯାହା ସମୁଦ୍ରକୁ ସଂକ୍ଷେ ପରି । ସାଇ ପଡ଼ିଶାର ଲୋକ କେତେବେଳେ ମୁଠାଏ ଭାତ ଦେଲେ ତାକୁ ଜେଜେମା ମୋରା ଏବଂ ନାତି ରାଜେଶ୍ ପେଟକୁ ନିଅଂଟ ହେଉ କି ନହେଉ ଭଗବାନଙ୍କୁ ଭରଷା କରି ଭୋକ ଉପାସରେ ରହିଯାଆନ୍ତି । ନାତି ରାଜେଶ୍ ଯେତେବଳେ ୧ବର୍ଷର ହୋଇଥିଲା ସେତେବେଳେ ତାର ମା ତାକୁ ଛାଡି ଆରପାରିକୁ ଚାଲିଗଲେ । ନିଜର ବୋହୂ ଚାଲିଯିବା ଦୁଃଖରେ ଭାଙ୍ଗିପଡି ନିଜର ପୁଅକୁ ଦ୍ୱିତୀୟ ବିବାହ କରାଇଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା ବିବାହର କେଇଟା ବର୍ଷପରେ ନିଜର ବଡପୁଅକୁ ହରାଇଥିଲେ ମୋରା । ବାସ୍ ଏତିକିରେ ସରି ଯାଇନଥିଲା ମୋରାଙ୍କ ଦୁଃଖ । ପୁଅ ମରିବାର କେଇଟା ଦିନ ଯାଇନି ବୋହୂ ମଧ୍ୟ ତାର ବାପା ଘରକୁ ଚାଲିଯାଇଥିଲା । ସାନପୁଅ ମଧ୍ୟ ନିଜର ସ୍ତ୍ରୀ ପିଲାଛୁଆଙ୍କୁ ଧରି ଅନୁଗୁଳ ଗିରାଙ୍ଗ ନିକଟରେ ବେଶ୍ ଖୁସିରେ ରହୁଛି । ନାତି ରାଜେଶ୍ ଯାହା କାମ କରୁଥିଲା ସେଥିରେ ଦୁଇଓଳି ଦୁଇମୁଠା ଖାଇ ଭାଗ୍ୟକୁ ଆଦରି ରହିଆସୁଥିଲେ ମୋରା । କିନ୍ତୁ ବିଧିର ବିଧାନ ଥିଲା ଅଲଗା ।
ଆଜକୁ ପ୍ରାୟ ୩ବର୍ଷ ପୂର୍ବରୁ ନାତି ରାଜେଶ୍ ଏକ ଦୁର୍ଘଟଣାରେ ଶିକାର ହୋଇ ନିଜର ସ୍ମରଣ ଶକ୍ତି ହରାଇ ବସିଛନ୍ତି । ସେହିଦିନ ପରଠାରୁ ମୋରାଙ୍କ ୩୦୦ଟଙ୍କା ଭତା ହିଁ ସେମାନଙ୍କର ପେଟକୁ ଦାନା ଯୋଗାଏ । ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ମାଗଣା ଚାଉଳ ସେମାନଙ୍କ ପାଇଁ ସାତସପନ । ସରକାର ଯଦି ଏ ଦିଗରେ ଧ୍ୟାନ ଦେଇ ମୋରାଙ୍କ ଦୁଃଖ ବୁଝନ୍ତେ ଏବଂ ତାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାନ୍ତେ, ତେବେ ହୁଏତ ଏହି ଦୁଇପ୍ରାଣୀ ଦିନକୁ ଦୁଇ ମୁଠା ଖାଇପାରନ୍ତେ ।