ବିଜେପି ସରକାର ଗଢିଲେ ଲୋକଙ୍କ ଦୁଃଖ ବୁଝିବ; ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପ୍ରତାପ ନାୟକ…

ଗଞ୍ଜାମ, ୨୬/୧୧ (ବାପୁନି କୁମାର ମାଲୁ) : ଦାଦନ ଶ୍ରମିକ ମୃତୁ୍ୟ ଘଟଣା ସାରା ରାଜ୍ୟରେ ବଢ଼ି ବଢ଼ି ଚାଲିଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାରଙ୍କ ସ୍ଥାଣୁତା ରାଜ୍ୟବାସୀଙ୍କୁ ଗଭୀର ଚିନ୍ତାରେ ପକାଇଛି । ରାଜ୍ୟରେ ଏକ ନମ୍ବର ସରକାର ବୋଲାଉଥିବା ବିଜେଡି ସରକାର ଦାଦନ ଶ୍ରମିକରେ କେଉଁଭଳି ଭାବେ ଏକ ନମ୍ବର ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦୀର୍ଘ ୨୩ ବର୍ଷ ହେଲା ବିଜେଡି ସରକାର ଓଡ଼ିଶାରେ ଶାସନ କରୁଥିବା ବେଳେ ଯୁବକମାନଙ୍କୁ ଥଇଥାନ କରିବାରେ ବିଫଳ ହୋଇଛି । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଦାଦନ ଶ୍ରମିକ ମତୁ୍ୟ ଘଟଣାରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ସୂଚନା ଦେଇଛନ୍ତି ବରିଷ୍ଠ ବିଜେପି ନେତା ପ୍ରତାପ ନାୟକ । ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଳସର ଗ୍ରାମର ଟୁନା ନାହାକ କେରଳରେ କାମ କରୁଥିବା ସମୟରେ ତାଙ୍କର ମୃତୁ୍ୟ ଘଟିଛି ।
ସେହିପରି ଚଢିଆପଡା ଲୋକନାଥ ଦୋରା ଏବଂ ଜଗନ୍ନାଥ ଦୋରା ଚେନାଇରେ କାମ କରୁଥିବା ବେଳେ ମୃତୁ୍ୟ ବରଣ କରିଥିଲେ । ମର୍ଦକୋଟ ଗ୍ରାମର କୃଷ୍ଣ ପଲେଇ ନାମକ ଜଣେ ଦାଦନ ଶ୍ରମିକ ମାଙ୍ଗାଲୋରରେ କାମ କରୁଥିବା ସମୟରେ ମୃତୁ୍ୟ ବରଣ କରିଥିଲେ । ଏମାନଙ୍କ ମର ଶରୀର ଆସିବା ଘଟଣା ହେଉ ଅବା ଏମାନଙ୍କୁ କୌଣସି ସହାୟତା ହେଉ ତାହା ବି କରିଲେ ନାହିଁ ରାଜ୍ୟ ସରକାର । ଆତ୍ମ ନିଯୁକ୍ତି କ୍ଷେତ୍ରରେ ତଥା ଆର୍ଥôକ ସ୍ଥିତିରେ ଅଗ୍ରଗତି ଏବଂ ଜନସାଧାରଣଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ଦାବିରେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛି ।
ଗଞ୍ଜାମ ଜିଲାରୁ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଥିବା ବେଳେ ଏହି ଜିଲ୍ଲାରୁ ସର୍ବାଧିକ ଶ୍ରମିକ ଦାଦନ ଖଟିବାକୁ ସୁଦୁର ଗୁଜୁରାଟର ସୁରାଟ, ଚେନାଇ ଓ କେରଳ ଯାଉଛନ୍ତି । ଏହାଠାରୁ ଆଉ କଣ ଦୁର୍ଭାଗ୍ୟ ରହିଛି ବୋଲି ପ୍ରଶ୍ନ କରିଛି ବିଜେପି । ନିର୍ବାଚନ ପୂର୍ବରୁ ଓଡିଶା ସରକାରଙ୍କ ଅନେକ ଯୋଜନା ଆସେ କିନ୍ତୁ ନିର୍ବାଚନ ପରେ ଏହା ପାଣି ଫୋଟକା ପରି ମିଳେଇ ଯାଏ । ଏହା କେବଳ ଲୋକଙ୍କୁ ଭୁଆଁ ବୁଲାଇ ଶାସନ କ୍ଷମତାକୁ ଆସିବା ପାଇଁ ଏକ ମନ୍ଦ ଉଦେ୍ଦଶ୍ୟ ବୋଲି ଅଭିଯୋଗ କରିଛି ବିଜେପି ।
ଆଗାମୀ ଦିନରେ ବିଜେପି ସରକାର ଶାସନ କ୍ଷମତାକୁ ଆସିଲେ ରାଜ୍ୟରେ କଳ କାରଖାନା ସୃଷ୍ଟି କରି ବେକାରୀ ଦୂରୀକରଣ କରିବା ସହ ମୋଦି ସରକାରଙ୍କ ଜନ ହିତକର ଯୋଜନା ଲୋକଙ୍କ ପାଖରେ ପହଂଚାଇବା ପାଇଁ ଦୃଢ଼ ପଦକ୍ଷେପ ନେବ ବୋଲି ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି ବିଜେପି ନେତା ପ୍ରତାପ ନାୟକ । ଏହି ସୂଚନା ପ୍ରଦାନ ସମୟରେ ଜିଲ୍ଲା ସମ୍ପାଦକ ସଞ୍ଜୟ ଘୋଷ, ବରିଷ୍ଠ ବିଜେପି ନେତା ନାରାୟଣ ସୁମନ୍ତରାୟ, ଯୁବ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଆଲୋକ କୁମାର ଶତପଥି, ପାଣ୍ଡିଆ ମଣ୍ଡଳ ସଭାପତି ଶ୍ରୀକାନ୍ତ ପଣ୍ଡା, ଯୁବ ନେତା ରବୀନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।