ନୃତ୍ୟନିପୁଣା ଅନୁଷ୍ଠାନ ପକ୍ଷରୁ ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବ

ଭୁବନେଶ୍ୱର, ୨୬/୧୧ (ନି.ପ୍ର.) : ଜୟଦେବ ବିହାରସ୍ଥିତ ‘ଉତ୍କଳ ରଙ୍ଗମଂଚ’ (ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ) ‘ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ତରଫରୁ ‘ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବ ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶା ତଥା ରାଜ୍ୟ ବାହାରୁ ବିଭିନ୍ନ କ୍ଲାସିକାଲ ଏବଂ ସମ୍ବଲପୁରୀ ଫୋକ୍ ନୃତ୍ୟଶିଳ୍ପୀ ମାନେ ଯୋଗଦେଇଥିଲେ ଏବଂ ଓଡ଼ିଶୀ ନୃତ୍ୟ, ଭଜନ ନୃତ୍ୟ , ଭାରତନାଟ୍ୟମ୍, ବିହୁ ଏବଂ ସମ୍ବଲପୁରୀ ନୃତ୍ୟ ଇତ୍ୟାଦି ପରିବେଷଣ କରିଥିଲେ । ଏହି ଜାତୀୟ ସ୍ତରର ନୃତ୍ୟ ମହୋତ୍ସବରେ ସୁନାମଧନ୍ୟ ତଥା ଖ୍ୟାତିସଂପନ୍ନ ନୃତ୍ୟଗୁରୁ, କଣ୍ଠଶିଳ୍ପୀ, ସମାଜସେବୀ, ଟେଲିଭିଜନ ତଥା ଫିଲ୍ମ ଅଭିନେତା, ରେଡ଼ିଓ ଆର୍ଟିଷ୍ଟ ଏବଂ ବହୁ ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷମାନେ ଅତିଥି ଭାବରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।
ଏହି ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ୬୦ଜଣ ନୃତ୍ୟ ଶିଳ୍ପୀମାନେ ଏକକ ନୃତ୍ୟ, ଦ୍ୱେତ ନୃତ୍ୟ ଏବଂ ଦଳଗତ ନୃତ୍ୟ ପରିବେଷଣ କରିଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜଣେ ଦକ୍ଷ ନୃତ୍ୟଶିଳ୍ପୀ- ଗୁରୁ ଡ଼ି ପ୍ରିୟଙ୍କାଙ୍କୁ ନୃତ୍ୟନିପୁଣା ନୃତ୍ୟ ଶିରୋମଣୀ ସମ୍ମାନରେ ସମ୍ମାନୀତ କରାଯାଇଛି ।
ଅନୁଷ୍ଠାନର ଡ଼ାଇରେକ୍ଟର ତଥା ଓଡ଼ିଶୀ ନୃତ୍ୟଗୁରୁ ଡ଼କ୍ଟର ପ୍ରିୟଙ୍କା ମିଶ୍ରଙ୍କ ଦ୍ୱାରା ପ୍ରସ୍ତୁତ ଅଭିନୟ ‘କେଡ଼େ ଛନ୍ଦ ଜାଣେ ଲୋ ସହି’ ନୃତ୍ୟ ଖୁବ୍ ମନ୍ତ୍ରମୁଗ୍ଧକର ହୋଇପାରିଥିଲା । ସାନ୍ଧ୍ୟ ଅଧିବେଶନରେ ଆମନ୍ତ୍ରିତ ତଥା ବରିଷ୍ଠ ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ , ଆସାମୀ ଫୋକ୍ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଖୁବ୍ ମନ୍ତ୍ରମୁଗ୍ଧକର ହୋଇପାରିଥିଲା । ଶେଷରେ ନୃତ୍ୟନିପୁଣା ଅନୁଷ୍ଠାନର ମା ଏବଂ ଛାତ୍ରୀମାନଙ୍କ ଦ୍ୱାରା ଦଳଗତ ସମ୍ବଲପୁରୀ ନୃତ୍ୟ ‘ଆମେ ସମଲପୁରିଆ ଫୁଲରେ’ ଖୁବ୍ ଚମତ୍କାର ହୋଇଥିବାରୁ, ଦର୍ଶକମାନଙ୍କ କରତାଳିରେ ପ୍ରେକ୍ଷାଳୟ ଗୁଞ୍ଜରିତ ହୋଇଥିଲା ।