ଜ୍ଞାନ, ଭକ୍ତି, ବୈରାଗ୍ୟ ଓ ଯୋଗ ମାର୍ଗର ସମନ୍ୱୟର ପ୍ରତୀକ ଥିଲେ ସଦଗୁରୁ କବିର ସାହେବ

ପୁରୀ, ୨୬/୧୧ : ପଂଚାଦଶ ଶତାବ୍ଦୀ ଭକ୍ତି ଆନେ୍ଦାଳନର ପ୍ରମୁଖ କର୍ଣ୍ଣଧାର ସନ୍ଥକବିର ଭାରତୀୟ ଆଧ୍ୟାତ୍ମିକ ଜଗତର ଏକ ଉଜ୍ଜ୍ୱଳତମ ତାରକା ଥିଲେ । ସିଏ କହୁଥିଲେ ପରମାତ୍ମାଙ୍କୁ ଲାଭ କରିବା ପାଇଁ ଥିବା ବିଭିନ୍ନ ପଥ ତାଙ୍କ ଦ୍ୱାରା ହିଁ ନିର୍ଦ୍ଧାରିତ । କବିର ସାହେବ ଥିଲେ ଜ୍ଞାନ, ଭକ୍ତି, ବୈରାଗ୍ୟ ଓ ଯୋଗ ମାର୍ଗର ସମନ୍ୱୟର ପ୍ରତୀକ । ପ୍ରତ୍ୟେକ ଜୀବ ତାର ପ୍ରାରବ୍ଧ ଅନୁସାରେ ଏକ ଏକ ପଥ ଅନୁସରଣ କରି ସେହି ପରମାତ୍ମା ଙ୍କୁ ଲାଭ କରିଥାଏ । ସରଳ ଓ ସ୍ୱଚ୍ଛ ମନରେ ତାଙ୍କ ଶରଣାପନ୍ନ ହେଲେ ସିଏ ସହଜରେ ବ୍ୟକ୍ତି ହୃଦୟ ରେ ପ୍ରକଟ ହୋଇଥାନ୍ତି ବୋଲି ପୂଜ୍ୟ ପ୍ରକାଶମୁନି ସାହେବ କହିଥିଲେ । ଦୀର୍ଘ ୬୨୫ ବର୍ଷ ପରେ ଏହି ପବିତ୍ର ଧାମରେ ଏପରି ଏକ ଆଧ୍ୟାତ୍ମିକ ସମାବେଶ, କବିର ପନ୍ଥ ଦ୍ୱାରା ଆୟୋଜିତ ହେବା ସମସ୍ତଙ୍କ ପାଇଁ ଏକ ଗୌରବର ବିଷୟ । ସନ୍ଥ ସମାଗମ ହରିକଥା ଜୀବନରେ ଦୁର୍ଲ୍ଲଭ ଅଟେ । ଭଗବାନ ଶ୍ରୀ ଜଗନ୍ନାଥଙ୍କ ଅଶେଷ କୃପାରୁ ଏବଂ ଆମମାନଙ୍କ ଅନେକ ଜନ୍ମର ପୁଣ୍ୟ ଫଳରୁ ଏହା ଆମକୁ ପ୍ରାପ୍ତ ହୋଇଅଛି ।ସଦଗୁରୁ କବିରଙ୍କ ଅଶେଷ କୃପାରୁ ଆମେ ଗୁରୁମୁଖୀ ହୋଇଛୁ ଆମେ ମନମୁଖୀ ହୋଇ ନାହୁଁ । ଏହାହିଁ ଜୀବନର ସାର୍ଥକତା । କହତ କବିର ସୁନୋ ଭାଇ ସାଧୁ ର ମାର୍ମିକ ଅର୍ଥ ଆମେ ପ୍ରତ୍ୟେକ ଭାଇ ଭାଇ ଅଟୁ । ଗୁରୁଙ୍କ ବାକ୍ୟକୁ କେବଳ ଶ୍ରବଣ ନକରି ତାକୁ କାମରେ ଲଗାଇବାକୁ ଉଚିତ ବୋଲି କବିର ସାହେବ ନିର୍ଦେଶ ଦେଇଥିଲେ ବୋଲି ପୂଜ୍ୟ ପ୍ରକାଶମୁନି ସାହେବ ମତ ରଖିଥିଲେ । ଅନନ୍ତ କାଳରୁ ଶୋଇଥିବା ମାୟାବଦ୍ଧ ଜୀବକୁ ଜାଗ୍ରତ କରି ପରମାତ୍ମା ଙ୍କ ଶରଣାପନ୍ନ କରେଇବା କବିରଜୀ ଙ୍କ ପରି ସଦଗୁରୁଙ୍କ ଦ୍ୱାରା ହିଁ ସମ୍ଭବ । ତେଣୁ ପ୍ରତ୍ୟେକ କବିର ପନ୍ଥୀ ଆଜିର ସମାଜକୁ ଏହି ପଥରେ ପରିଚାଳିତ କରେଇବାକୁ ସଂକଳ୍ପବଦ୍ଧ ବୋଲି ସିଏ କହିଥିଲେ ।
ସଦଗୁରୁ କବିର ଧନୀ ଧର୍ମଦାସ ସାହେବ ବଂଶାବଳୀ ପ୍ରତିନିଧି ସଭା ଦ୍ୱାରା ଆୟୋଜିତ ଏହି ଦିବ୍ୟ ସମାଗମକୁ ସଭାପତି ପ୍ରକାଶ ପଟେଲ, ସମ୍ପାଦକ ବିଜୟ ମହନ୍ତ ଓ ବରିଷ୍ଠ ସଦସ୍ୟ ସତ୍ୟ ପ୍ରକାଶ ସୋନି ଉତ୍ସବ ପରିଚାଳନା କରିଥିଲେ । ଏହି ସମାଗମରେ ଦେଶ ଦେଶର ଅନେକ କବିର ପନ୍ଥୀ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି ।