ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ବେସାହାର ପରିବାର ଲୋକ…

କଳାହାଣ୍ଡି (ରଜତ ପଟ୍ଟନାୟକ) : ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି । ଏବେ ନିଜର ଲୋକଙ୍କୁ ହରାଇ ବେସାହାର ପରିବାର ଲୋକ । ସୂଚନା ଅନୁସାରେ, ଗତ ୧୫ ତାରିଖରେ ରିଷଗାଁର ନାଗେଶ୍ୱର ମଙ୍ଗରାଜ ସକାଳୁ ବାନ୍ଦୋପଲାରେ ମର୍ଣ୍ଣିଂୱାର୍କ କରୁଥିବା ସମୟରେ କାଳିମନ୍ଦିର ପଡ଼ାର ଶେଖ ଇସ୍ରାଏଲ ନାମକ ଜଣେ ଯୁବକ ଗାଡି ନମ୍ବର OR 14 T 3976 ଯୋଗେ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ନାଗେଶ୍ବର ଗୁରୁତର ଆହତ ହୋଇଥିଲେ । ଏହି ଘଟଣାରେ ଶେଖ ଇସ୍ରାଏଲ ସେଠାରୁ ଫେରାର ହେଇ ଯାଇଥିଲା । ସ୍ଥାନୀୟ ଲୋକେ ନାଗେଶ୍ୱରଙ୍କୁ ଘଟଣା ସ୍ଥଳରୁ ଉଦ୍ଧର କରି ତୁରନ୍ତ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରିବାର ଲୋକେ ବିଶାଖାପାଟଣାକୁ ନେଇଯାଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଇଥିଲା । ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ତାଙ୍କ ପରିବାର ଅସହାୟ ହୋଇପଡିଥିବାବେଳେ କ୍ଷତିପୂରଣ ଦାବିରେ ଘୋଡ଼ାଘାଟ ଛକରେ ଶବ ରଖି ଆନ୍ଦୋଳନ କରିଥିଲେ ପରିବାର ଲୋକ । ଖବରପାଇ ଟାଉନଥାନା ଆଇଆଇସି ଏ.କେ. ହିଆଲ୍ ଉତ୍ତ୍ୟକ୍ତ ଲୋକଙ୍କ ସହ ବୁଝାବଣା କଲାପରେ ରାସ୍ତାରୋକ ହଟିଥିଲା ।