ପଂଚୁକ ପାଇଁ ଚଳଚଂଚଳ ଶ୍ରୀମନ୍ଦିର; ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା…

ପୁରୀ, ୨୩/୧୧ : ଗୁରୁବାରଠାରୁ ଆରମ୍ଭ ହୋଇଛି କାର୍ତିକ ମାସର ପୁଣ୍ୟ ପର୍ବ ପଂଚୁକ । ଯେଉଁମାନେ ମାସକ ଯାକ କାର୍ତିକ ବ୍ରତ କରି ନଥାନ୍ତି ସେହିମାନେ ଏହି ପଂଚୁକ ପାଂଚଦିନ ନିଷ୍ଠାର ସହ ବ୍ରତ ପାଳନ କଲେ ସମପରିମାଣର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ପଂଚୁକ ପାଂଚ ଦିନରେ ଦାରୁ ଦେବତାଙ୍କର ୫ଟି ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି ।
ପଂଚୁକର ପ୍ରଥମ ଦିନ ଅର୍ଥାତ୍ ଗୁରୁବାର ବଡ଼ଏକାଦଶୀ ତିଥିରେ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଛି । ଅବକାଶ ନୀତି ପରେ ପାଟବସ୍ତ୍ର, ସ୍ୱର୍ଣ୍ଣ ଅଳଙ୍କାର ଓ ପୁଷ୍ପମାଲ୍ୟ ପରିଧାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀଜିଉ । ଦ୍ୱାଦଶୀରେ ବାଙ୍କଚୁଡ ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ଓ ପୂର୍ଣ୍ଣିମୀରେ ରାଜରାଜେଶ୍ୱରୀ ବେଶ ବା ସୁନାବେଶ ଅନୁଷ୍ଠିତ ହେବ ।
୫ ଦିନିଆ ପର୍ବ ପାଇଁ ଚଳଚଂଚଳ ପୁରୀ ଶ୍ରୀକ୍ଷେତ୍ର । ପଂଚୁକ ସମୟରେ ଦର୍ଶନରେ ଯେମିତି କୌଣସି ବିଶୃଙ୍ଖଳା ନହୁଏ, ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ ହୋଇଛି । ଦର୍ଶନ ପାଇଁ ଚାରିଧାଡିଆ ବ୍ୟବସ୍ଥା କରାଯାଇଛି । ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ଲାଇନର ବ୍ୟବସ୍ଥା ମଧ୍ୟ ରହିଛି । ପଂଚୁକରେ ଅଧିକ ଭକ୍ତଙ୍କ ଭିଡ ହେବା ପୂର୍ବରୁ, ସିଂହଦ୍ୱାରରୁ ଶ୍ରୀନଅର ପର୍ଯ୍ୟନ୍ତ ଥିବା ବ୍ୟାରିକେଡକୁ, ଟାଉନ ଥାନା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି ।
ତେବେ ଚାରି ଥାକିଆ ବ୍ୟାରିକେଡରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏଥିସହ ପଂଚୁକ ଓ ପୂର୍ଣ୍ଣିମାରେ ନୀତି ସଅଳ ପାଇଁ ସେବାୟତଙ୍କୁ କହିଛି ପ୍ରଶାସନ ।