ଡିସେମ୍ବର ୧୦ରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ…

ଭୁବନେଶ୍ୱର, ୨୩/୧୧ (ଅଭିଜିତ୍ ସିଂ) : ଭାରତ ସରକାରଙ୍କ ନିତି ଆୟୋଗର ଅଟଳ ଇନୋଭେସନ ମିସନ ସମର୍ଥôତ ଏଆଇସି-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ ପକ୍ଷରୁ ସେବିରେ ପଞ୍ଜୀକୃତ ଭେଂଚର କ୍ୟାପିଟାଲ୍ ଫଣ୍ଡ୍ ଫ୍ଲୁଇଡ୍ ଭେଂଚର୍ସର ମିଳିତ ସହଯୋଗରେ ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ ୨୦୨୩ ଆୟୋଜନ କରାଯିବ । ଏହି କାର୍ନିଭାଲ ଆସନ୍ତା ଡିସେମ୍ବର ୧୦ରୁ ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଓଡ଼ିଶାରେ ଷ୍ଟାର୍ଟଅପ୍ ବ୍ୟବସ୍ଥା ବେଶ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବାରୁ କାର୍ନିଭାଲର ଚଳିତ ସଂସ୍କରଣରେ ଉଲ୍ଲେଖନୀୟ ସଂଖ୍ୟାର ଅଂଶଗ୍ରହଣ ଆଶା କରାଯାଉଛି ।
ଷ୍ଟାର୍ଟଅପ୍ କାର୍ନିଭାଲ୍ ୨୦୨୩ ହେଉଛି ଓଡ଼ିଶାର ସର୍ବବୃହତ ମେଂଟର-ନିବେଶକ କନେକ୍ଟ ଉତ୍ସବ ଯାହାର ଦ୍ୱିତୀୟ ସଂସ୍କରଣକୁ ଚଳିତ ବର୍ଷ ଆୟୋଜନ କରାଯାଉଛି । ଏହି ୧୪ ଦିନିଆ କାର୍ଯ୍ୟକ୍ରମରେ ମେଂଟରିଂ, ବୈଠକ ଓ ସମ୍ମିଳନୀ ଆଦି ଆୟୋଜନ କରାଯିବ, ଯାହା ଓଡ଼ିଶାର ଷ୍ଟାର୍ଟଅପ୍ ବ୍ୟବସ୍ଥାରେ ଥିବା ପ୍ରତିଟି ଅଂଶୀଦାରଙ୍କୁ ସ୍ୱତନ୍ତ୍ର ମଂଚ ପ୍ରଦାନ କରି ସେମାନଙ୍କୁ ସଂସ୍ଥା ଆଗକୁ ବଢ଼ାଇବା ଲାଗି ଆବଶ୍ୟକ ଜ୍ଞାନ ପ୍ରଦାନ କରି ସକ୍ଷମ କରିବ ।
ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲର ପଞ୍ଜୀକରଣ ଆରମ୍ଭ ବିଷୟରେ ଫ୍ଲୁଇଡ୍ ଭେଂଚର୍ସର ପ୍ରତିଷ୍ଠାତା ଶ୍ରୀ ଅମିତ ସିଂଘଲ ଘୋଷଣା କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ଏଆଇସି-ନାଳନ୍ଦା ସହ ହାତ ମିଳାଇବା ଲାଗି ସେ ଶିଳ୍ପସଂସ୍ଥା, ସରକାରୀ ସଂସ୍ଥା, ଶିକ୍ଷାନୁଷ୍ଠାନ, କର୍ପୋରେଟ, ଭିସି ସଂସ୍ଥା ଓ ଏନାବଲରମାନଙ୍କୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ ଏଭଳି ଷ୍ଟାର୍ଟଅପ-ନିବେଶକ ସଂମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରି ଅନ୍ୟ ରାଜ୍ୟଗୁଡ଼ିକ ଲାଗି ଉଦାହରଣ ସୃଷ୍ଟି କରୁଥିବାରୁ ମୁଁ ଓଡ଼ିଶାକୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ଓ ଏହାର ଅଂଶ ହେବାକୁ ଅପେକ୍ଷା କରିଛି ।
ଏଆଇସି-ନାଳନ୍ଦାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦୁର୍ଗା ପ୍ରସାଦ ଗୌଡ଼ କହିଛନ୍ତି ଯେ, “ଚଳିତ ବର୍ଷ କାନିର୍ଭାଲରେ ଭୁବନେଶ୍ୱର ସାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ଯାହା ଅଂଶଗ୍ରହଣକାରୀ ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ବ୍ୟାପକ ସୁଯୋଗ ଆଣିଦେବ । ସେମାନେ ବ୍ୟବସାୟ ବିକାଶ, ପରିଚାଳନା, ବ୍ୟାପକତା ଓ ପାଣ୍ଠି ଉଠାଣ ଆଦି ଉପରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ । ଏଭଳି କାର୍ଯ୍ୟକ୍ରମ ଜରିଆରେ ଏଆଇସି-ନାଳନ୍ଦା ସାରା ରାଜ୍ୟରେ ଏହାର ଉପସ୍ଥିତି ବଢ଼ାଇବାକୁ ଲକ୍ଷ୍ୟ ରଖିଛି ।’’
କାର୍ନିଭାଲର ପୂର୍ବ ସଂସ୍କରଣକୁ ୨୦୨୨ ଜୁଲାଇରେ ଆୟୋଜନ କରାଯାଇଥିଲା ଯେଉଁଥିରେ ସାରା ଦେଶର ବିଭିନ୍ନ କ୍ଷେତ୍ରର ୪୦ ବିଶେଷଜ୍ଞ, ମେଂଟର, ନିବେଶକ ଭୁବନେଶ୍ୱରରେ ଏହି ୧୨ ଦିନିଆ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ନିବେଶକ ଓ ଷ୍ଟାର୍ଟଅପ୍ ମାନଙ୍କ ଭିତରେ ୧୦୦ ପ୍ରତ୍ୟକ୍ଷ ସାକ୍ଷାତକାର ଆୟୋଜନ କରାଯାଇଥିଲା ଯାହାକୁ ସବୁ ଅଂଶୀଦାର ପ୍ରଶଂସା କରିଥିଲେ ।