ଚିନ୍ତା ବଢାଉଛି କରୋନା ପରେ ଆଉ ଏକ ମହାମାରୀ

କୋରୋନା ପରେ ଚୀନରେ ଆଉ ଏକ ମହାମାରୀ ପରିସ୍ଥିତି ଆଶଙ୍କା । ଚୀନର ସ୍କୁଲମାନଙ୍କରେ ରହସ୍ୟଜନକ ମହାମାରୀ ଏବେ ମୁଣ୍ଡ ଟେକୁଛି । ଅଜବ ଧରଣର ନିମୋନିଆ ବ୍ୟାପିଥିବାରୁ ଏଥିରେ ଅଧିକ ସଂଖ୍ୟାରେ ପିଲାମାନେ ସଂକ୍ରମଣ ହେଉଥିବା ଜଣାପଡିଛି । ରିପୋର୍ଟ ଅନୁସାରେ, ଚୀନରେ ମିଷ୍ଟେରିଅସ୍ ନିମୋନିଆ ଆକ୍ରାନ୍ତ ବୃଦ୍ଧି ପାଉଛି ।
ଚୀନର ଉତର-ପୂର୍ବ ଅଂଚଳ ବେଜିଂ ଏବଂ ଲିଆଓନିଂର ଡାକ୍ତରଖାନାରେ ବହୁ ସଂଖ୍ୟକ ଅସୁସ୍ଥ ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ଡାକ୍ତରଖାନାର ସମ୍ବଳ ଉପରେ ଚାପ ବଢ଼ୁଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି । ରିପୋର୍ଟ ଅନୁସାରେ, ଅକ୍ଟୋବର ମଧ୍ୟ ଭାଗରୁ ସଂକ୍ରମଣ ବୃଦ୍ଧି ପାଇବାକୁ ଲାଗିଛି । ଜଣଙ୍କ ପରେ ଜଣେ ଶିଶୁ ଡାକ୍ତରଖାନାରେ ଭର୍ତି ହେଉଛନ୍ତି । ଫଳରେ ଡାକ୍ତରଖାନାରେ ବେଡ୍ ମଧ୍ୟ ଅଭାବ ପଡୁଥିବା ରୋର୍ଟରୁ ଜଣାପଡିଛି ।
ଏହି ଅଜଣା ନିମୋନିଆ ଦ୍ୱାରା ଆକ୍ରାନ୍ତ ପିଲାମାନଙ୍କଠାରେ ଶ୍ୱାସପ୍ରଶ୍ୱାସଜନିତ ସମସ୍ୟା ଦେଖାଯାଉଛି । ସଂକ୍ରାମକ ରୋଗ ସଂକ୍ରମଣ ସଂକ୍ରାନ୍ତରେ ସମଗ୍ର ବିଶ୍ୱରେ ଦୃଷ୍ଟି ରଖୁଥିବା ‘ପ୍ରୋମେଡ୍’ ନାମକ ସଙ୍ଗଠନ ଏଥିପାଇଁ ସତର୍କ ସୂଚନା ଜାରି କରିଛି । ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୦୧୯ରେ ‘ସାର୍ସ-କୋଭ୍-୨’ ବିଷୟରେ ମଧ୍ୟ ‘ପ୍ରୋମେଡ୍’ ସତର୍କ କରାଇଥିଲା । ଇନଫ୍ଲୁଏଞ୍ଜା ଭଳି ଲକ୍ଷଣ ଦେଖାଯାଉଥିବା ଏହି ରୋଗ ସଂକ୍ରମଣ, ବିଶେଷକରି ପିଲାମାନଙ୍କଠାରେ ଅଧିକ ଦେଖାଯାଉଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚୀନକୁ ଏ ବିଷୟରେ ଅଧିକ ତଥ୍ୟ ମାଗିଛି ।