ଉତ୍କଳୀୟ ପରମ୍ପରାକୁ ନେଇ ସାଉଦିରେ କ୍ଷୁଦ୍ର ଓଡ଼ିଶାର ଭ୍ରମ ସୃଷ୍ଟି

ଭୁବନେଶ୍ୱର, ୨୧/୧୧ : ସାଉଦି ଆରବର ରିୟାଦରେ ରହୁଥିବା ଓଡ଼ିଆମାନଙ୍କୁ ନେଇ ଗଢ଼ିଉଠିଥିବା ସଂଘ ରିୟାଦ ଓଡ଼ିଶା ସାମାଜିକ ଓ ସାଂସ୍କୃତିକ ସଂଗଠନ (ରୋଜା) ର ୧୫ତମ ବାର୍ଷିକଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଉତ୍ସବ ମୁଖର ପରିବେଶ ମଧ୍ୟରେ ଓଡ଼ିଶା ବାହାରେ ଏକ କ୍ଷୁଦ୍ର ଓଡ଼ିଶାର ଭ୍ରମ ସୃଷ୍ଟି ହୋଇଥିଲା । ଦୀର୍ଘ ୧୫ ବର୍ଷ ଧରି ରୋଜା, ଉକôଳୀୟ ସଂସ୍କୃତି ଓ ସାମାଜିକ ଦାୟିତ୍ୱ ନିରନ୍ତର ଭାବେ ପାଳନ କରିଆସିଛି ।
ଉତ୍ସବର ମୁଖ୍ୟ ଅତିଥି ଭାବେ ଭାରତୀୟ ଦୂତାବାସର ମିଶନ୍ ଉପମୁଖ୍ୟ ଶ୍ରୀ ଆବୁ ମାଥେନ ଜର୍ଜ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଥମ ସଚିବ ଶ୍ରୀମତୀ ମନୁସ୍ମୃତି, ଦ୍ୱିତୀୟ ସଚିବ ମୋଇନ ଅଖତର ଓ ଶରତ କୁମାର ନାୟକ ତଥା ଆସମାକ୍ ଗ୍ରୁପର ଚେୟାରମ୍ୟାନ ଡଃ ଦେବ ମହାନ୍ତି, ସିକ୍ୟୁଅରଆଇଜ ଗ୍ରୁପର ପ୍ରତିଷ୍ଠାତା ସୀମନ୍ତ ପଟ୍ଟନାୟକ ଏବଂ ସୁନାମଧନ୍ୟ ଗାୟିକା କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ପ୍ରମୁଖ ଯୋଗ ଦେଇଥିଲେ ।
ରୋଜାର ସଭାପତି, ସରୋଜ କୁମାର ପାଣିଗ୍ରାହୀ ଓ ପରାମର୍ଶଦାତା ଦେବାଶିଷ ରାଉତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ସଙ୍ଗଠନର ମାର୍ଗଦର୍ଶକ ଡଃ ଦେବ ମହାନ୍ତି ଓଡ଼ିଆ ଅସ୍ମିତା ଓ ଗୌରବ ଗାଥାର ବାର୍ତା ଦେଇଥିଲେ । କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଫଜଲ୍ ହକ୍ ରୋଜାର ୧୫ ବର୍ଷର ନିରନ୍ତନ ଯାତ୍ରା ଉପରେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଅତିଥିଙ୍କ ହସ୍ତରେ ସ୍ମରଣିକା ଉନ୍ମୋଚନ ମଧ୍ୟ ହୋଇଥିଲା ।
ଉତ୍ସବରେ ଓଡିଶାର କଳା ତଥା ପାରମ୍ପରିକ ନୃତ୍ୟ ଓଡ଼ିଶୀ, ସମ୍ବଲପୁରୀ, ଆଧୁନିକ ନୃତ୍ୟ ଓ ଅନ୍ୟାନ୍ୟ ପ୍ରଦର୍ଶନରେ ଶିଶୁ, ଯୁବା, ପ୍ରୌଢ଼ ସଭିଏଁ ଭାଗ ନେଇଥିଲେ । ଏଥିରେ ନୃତ୍ୟ ନିଦେ୍ର୍ଦଶନାର ଭାର ସୁଚାରୁ ରୂପେ ତୁଲାଇଥିଲେ ଡଃ ଚନ୍ଦନା ପଟ୍ଟନାୟକ, ଦୀପିକା ପାଣିଗ୍ରାହୀ, ଦୀପିକା ପାତ୍ର ଓ ମେହେବିସ ଗିଲାନି । କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଥିବା ସାଉଦି ଆରବର ଅନ୍ୟ ଦୁଇ ପ୍ରମୁଖ ସହର ଜୁବେଲ ଓଡ଼ିଆ ସଂଗଠନ ଉକôଳିକା ଓ ଦମାମର ଓଡ଼ିଆ ସଂଗଠନ କଲିଙ୍ଗନ୍ ମଧ୍ୟ ବନ୍ଧୁତ୍ୱ ସ୍ୱରୂପ ମନ ମୁଗ୍ଧକର ନୃତ୍ୟ ପରିବେଷଣ କରିଥିଲେ । ଅତିଥି ଗାୟିକା ସୁନାମଧନ୍ୟ ଶ୍ରୀମତୀ ଅନିନ୍ଦିତା ଦାସଙ୍କ ସୁଲଳିତ ସଙ୍ଗୀତ ଉପସ୍ଥିତ ଶ୍ରୋତାଙ୍କୁ ଅଭିଭୂତ କରିଥିଲା ।