ଅସୁରେଶ୍ୱର ଗୋରକ୍ଷଣିର ୮୧ ତମ ବାର୍ଷିକ ଉତ୍ସବ ଓ ଗୋ ପୂଜନ ସମାରୋହ ଅନୁଷ୍ଠିତ…

ସାଲେପୁର, ୨୧/୧୧ (ଅଭୟ ଜେନା) : ପବିତ୍ର ଗୋଷ୍ଠାଷ୍ଟମୀ ତିଥିରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଅସୁରେଶ୍ୱରଠାରେ ରାଜ୍ୟର ସର୍ବ ବୃହତ ଗୋରକ୍ଷଣି ପ୍ରାଙ୍ଗଣରେ ଅନୁଷ୍ଠାନର ୮୧ ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ମୁଷ୍ଟିଭିକ୍ଷା ଦ୍ୱାରା ପରିଚାଳିତ ଏହି ଗୋରକ୍ଷଣିରେ ଶହଶହ ଅବହେଳିତ, ପଙ୍ଗୁ, ଅସହାୟ ଗୋରୁ ଗାଈମାନଙ୍କ ସେବା ଯନô ନିଆଯାଇ ଆସୁଥିବାବେଳେ, ଏହି ଅନୁଷ୍ଠାନ ହିନ୍ଦୁ-ମୁସଲମାନ୍ ଭାଇଚାରାର ପ୍ରତୀକ ଭାବେ ନିଆରା ପରିଚୟ ସୃଷ୍ଟି କରିଆସିଛି । ଗୋ’ମଙ୍ଗଳ ସମିତି ଆନୁକୂଲ୍ୟରେ ଆୟୋଜିତ ଉତ୍ସବରେ ଗୋ ପୂଜନ, ଗୋ’ସମ୍ବର୍ଦ୍ଧନା, ଗୀତା ଓ ଗୋ’ ମାହାତ୍ମ୍ୟ ପଠନ, ଗୋ’ସ୍ୱାସ୍ଥ୍ୟ ସେବା ଶିବିର ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଉତ୍ସବକୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସାଧୁ-ସନ୍ଥ, ଗୋ’ପ୍ରେମୀ ସାଧାରଣ ନାଗରିକ, ବୁଦ୍ଧିଜୀବୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା ।
ଗୋରକ୍ଷଣି ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା, ବିଶିଷ୍ଟ ଗାନ୍ଧିବାଦୀ ନେତା ରାଜକିଶୋର ନାୟକ ଏହି ଗୋରକ୍ଷଣିକୁ ଏକ ମହତ ଗୋ’ମାତା ମନ୍ଦିର ଭାବେ ଗଢି ତୋଳିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ, ଦିବଂଗତ ଗାନ୍ଧିବାଦୀ ପୁରୁଷ ଶ୍ରୀ ନାୟକଙ୍କ ଗୋ’ସେବା ଓ ଜୀବନାଦର୍ଶ ଅନ୍ୟ ମାନଙ୍କୁ ଏଭଳି ମହତ କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଉଛି ବୋଲି ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନା ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ବରିଷ୍ଠ ମନ୍ତ୍ରୀ ତଥା ଗୋରକ୍ଷଣିର ଆଜୀବନ ସେବକ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉତ୍ସବରେ ଯୋଗ ଦେଇଥିଲେ । ଗୋ’ସେବାକୁ ମାନବ ଜୀବନର ସର୍ବଶ୍ରେଷ୍ଠ ପୂଣ୍ୟ କାର୍ଯ୍ୟ ବୋଲି ସେ କହିବା ସହିତ, ଏହି ଜନ ମଙ୍ଗଳ କାର୍ଯ୍ୟରେ ସ୍ଥାନୀୟ ଅଂଚଳବାସୀଙ୍କ ଅତୁଳନୀୟ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ । ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନୁଷ୍ଠାନ ପାଇଁ ଅକୁଣ୍ଠ ସହଯୋଗ ପ୍ରଦାନ କରିଥିବାରୁ ମନ୍ତ୍ରୀ ଶ୍ରୀ ନାୟକ କୃତଜ୍ଞତା ଅର୍ପଣ କରିଥିଲେ ।