ଲଣ୍ଡନ ଛାଡି ରାଜନୀତିରେ ପାଦ ଦେବେ ଯୁବ ସମାଜସେବୀ…

ହିନ୍ଦୋଳ, ୧୯/୧୧ (ସୁଜିତ୍ କୁମାର ବେହେରା) : ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳରେ ଆଶାୟୀମାନଙ୍କ ମଧ୍ୟରେ ଛକପଞ୍ଝା ସେତିକି ବଢିବାରେ ଲାଗିଛି । ଆଶାୟୀମାନେ ବିଭିନ୍ନ ଅଞ୍ଚଳରେ ନିଜର ଅଭିନବ ପ୍ରୟାସ ମାଧ୍ୟମରେ ଜନ ସମର୍ଥନ ଯୋଗାଡ କରିବା ସହ ଦଳୀୟ ହାଇକମାଣ୍ଡଙ୍କ ପାଖରେ ନିଜର ପତିଆରା ପ୍ରଦର୍ଶନ କରିବାକୁ ନେଇ ଲାଗିଛି ଜୋରଦାର ପ୍ରସ୍ତୁତି । ସେହିପରି ହିନ୍ଦୋଳ ରାଜନୀତିରେ ଆଉ ଏକ ନୂଆ ମୁଁହ ଦେଖିବାକୁ ମିଳିଛି । ନିଜର ଲକ୍ଷାଧିକ ଟଙ୍କାର ଚାକିରୀ ଛାଡି ରାଜନୀତିରେ ପ୍ରବେଶ କରିଛନ୍ତି ସଞ୍ଜୟ ନାଏକ । ହିନ୍ଦୋଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ନାଏକଙ୍କ ଭାଇ ଏବଂ ବର୍ତ୍ତମାନର ହିନ୍ଦୋଳ ବିଧାୟିକାଙ୍କ ପୁତୁରା ସଞ୍ଜୟ ପେଶାରେ ଜଣେ ଆଇ ଟି କର୍ମଚାରୀ । ସେ ସୁଦୁର ଲଣ୍ଡନରେ କାର୍ଯ୍ୟରତ ଏବଂ ଜଣେ ସମାଜସେବୀ ଭାବରେ ପରିଚିତ ।
ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ୟାର ସମାଧାନ କରିବା ଆଶାରେ ଆସନ୍ତା ସାଧାରଣ ନିର୍ବାଚନରେ ଅବତୀର୍ଣ୍ଣ ହେବାକୁ ମନ ବଳାଇ ହିଦୋଳ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହିତ ଯୋଡି ହେଉଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ହିଦୋଳ ରୋଡରୁ ଶତାଧିକ ଲୋକମାନଙ୍କୁ ହିନ୍ଦୋଳ NAC ପର୍ଯ୍ୟନ୍ତ ଏକ ବାଇକ ରାଲି କରିବା ସହ ଏକ ପ୍ରସ୍ତୁତି ବୈଠକ କରିଥିବା ଜଣାପଡିଛି । ହିନ୍ଦୋଳର ବିଧାୟିକା ତଥା ତାଙ୍କ ମାଉସୀ ସୀମାରାଣୀ ନାଏକଙ୍କୁ ଚେକ୍ ଦେବାକୁ ଏହା ତାଙ୍କର ଏକ ସୁପରିକଳ୍ପିତ ଚାଲ୍ ବୋଲି ସାଧାରଣରେ ଆଲୋଚନା ଜୋର୍ ଧରିଛି । ତେବେ ସେ ଉଭୟ ବିଜେପି ଓ ବିଜେଡି ଦଳର ଉଚ୍ଚସ୍ତରୀୟ ନେତାମାନଙ୍କ ସହ ଭିତିରି ଆଲୋଚନା କରୁଥିବାର ଖବର ଆସୁଥିବାବେଳେ ଦଳୀୟ ଟିକେଟ ନ ମିଳିଲେ ସ୍ଵାଧୀନ ପ୍ରାର୍ଥୀ ଭାବେ ଲଢ଼ି ଉଭୟ ଦଳକୁ ଚେକ୍ ଦେବାର ଯୋଜନା କରିଛନ୍ତି । ହିନ୍ଦୋଳ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ଭଳି ଦୀର୍ଘସ୍ଥାୟୀ ସମସ୍ୟା ଗୁଡିକୁ ଟାର୍ଗେଟ କରି ନିଜର କାର୍ଯ୍ୟକ୍ରମ ଜାରି ରଖିଛନ୍ତି ସଞ୍ଜୟ । ତେବେ ଦେଖିବାକୁ ବାକି ରହିଲା ସଞ୍ଜୟଙ୍କ ଏହି ପ୍ରୟାସ ଆଗାମୀ ଦିନରେ ତାଙ୍କୁ କେତେଦୂର ସଫଳତା ପ୍ରଦାନ କରୁଛି ।