ଜାତୀୟ ଶିକ୍ଷାନୀତି ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ…

ଗଜପତି, ୧୯/୧୧ (ବିବେକାନନ୍ଦ ବେହେରା): ଗଜପତି ଜିଲ୍ଲା ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜାତୀୟ ଶିକ୍ଷାନୀତି (NEP- 2020)ରେ ପ୍ରସ୍ତାବିତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ (FOUNDATIONAL LITERACY AND NUMERACY) ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଚିକିତ୍ସାଳୟର ଚକ୍ଷୁ ସହଯୋଗୀ ଜନ୍ମେଜୟ ସାହୁ, ସମ୍ମାନିତ ଅତିଥି ରୂପେ ପାରଳାଖେମୁଣ୍ଡି ସଂକୁଳ ପ୍ରମୁଖ ରାଜେନ୍ଦ୍ର ପଢିଆରୀ, ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟା ସୁଷମା ଦାଶ ପ୍ରମୁଖ ଯୋଗ ଦେଇଥିଲେ । ବରିଷ୍ଠ ଶିକ୍ଷକ, ପ୍ରଶିକ୍ଷକ ମନୋଜ କୁମାର ପଣ୍ଡା, ହରିନାଥ ପାତ୍ର, ରମାକାନ୍ତ ପଟ୍ଟନାୟକ ଓ ଅମୂଲ୍ୟ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିଶୁମାନଙ୍କର ମୌଳିକ ସ୍ତରରେ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କିପରି ବିକଶିତ ହୋଇପାରିବ ସେ ସମ୍ବନ୍ଧରେ ପ୍ରଶିକ୍ଷକମାନେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । ଜିଲ୍ଲାର ବିଭିନ୍ନ ଶିଶୁ ମନ୍ଦିରର ଯଥା- ନାରାୟଣପୁର, ରାମଗିରି, ରାୟଗଡ଼ର ଆଚାର୍ଯ୍ୟ ଆଚାର୍ଯ୍ୟା, ପାରଳାଖେମୁଣ୍ଡିର ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ଓ ସହ-ଶିକ୍ଷକ/ଶିକ୍ଷୟତ୍ରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଗଣ ଓ ବିଦ୍ୟାଳୟର ମାତୃଭାରତୀ, ଅଭିଭାବକ/ଅଭିଭାବିକା ପ୍ରଭୃତି ଯୋଗଦାନ କରି ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ବିଦ୍ୟାଳୟର ଶିଶୁ ବାଟିକା ପ୍ରମୁଖ ମମତା ମହାପାତ୍ରଙ୍କ ସଂଯୋଜନାରେ ତଥା ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ଓ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।