ଆରମ୍ଭ ହେଲା ଚିତ୍ରକଳା ଉତ୍ସବ ‘କାନ୍ଭାସ୍ରେ ଭିତରକନିକା’…

କେନ୍ଦ୍ରାପଡ଼ା, ୧୯/୧୧ : ଭିତରକନିକା ଅପରୂପ ସୌନ୍ଦର୍ଯ୍ୟକୁ ନେଇ ଏକ ଚିତ୍ରକଳା ଉତ୍ସବ ‘କାନ୍ଭାସ୍ରେ ଭିତରକନିକା’ ଆରମ୍ଭ ହୋଇଯାଇଛି । ଏହା ଦୁଇ ଦିନ ଧରି ଚାଲିବ । କେନ୍ଦ୍ରପଡ଼ା ଡେଭଲପ୍ମେଣ୍ଟ ଫାଉଣ୍ଡେସନ ପକ୍ଷରୁ ଭିତରକନିକା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜନଗର ବିଧାୟକ ଧ୍ରୁବ ସାହୁ ଉଦ୍ଘାଟନ କରିଥିଲେ । ଭିତରକନିକାର ପର୍ଯ୍ୟଟନ ସମ୍ଭାର, ପ୍ରାକୃତିକ ସୌନ୍ଦର୍ଯ୍ୟ, ପ୍ରକୃତି-ମଣିଷ ସହାବସ୍ଥାନ ଓ ପ୍ରକୃତି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ନିଶ୍ଚିତ ସହାୟକ ହେବ ବୋଲି ଶ୍ରୀ ସାହୁ ଆଶା ପ୍ରକାଶ କରିଛନ୍ତି । ସମ୍ମାନିତ ଅତିଥି ଭାବେ ଶ୍ରୀଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଅଧ୍ୟକ୍ଷ ଅତୁଲ ବଳ ଯୋଗଦେଇ ପର୍ଯ୍ୟଟନର ପ୍ରଚାର ପାଇଁ ଚିତ୍ରକଳା ଶିବିର ଏକ ଅଭିନବ ମାଧ୍ୟମ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଫରେଷ୍ଟ ରେଞ୍ଜର ମାନସ ଦାସ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । କେନ୍ଦ୍ରାପଡ଼ା ଡେଭ୍ଲପ୍ମେଣ୍ଟ ଫାଉଣ୍ଡେସନ ଆବାହକ ଚୌଧୁରୀ ଅମିତାଭ ଦାସ କହିଥିଲେ ଯେ, ଭିତରକନିକା ପର୍ଯ୍ୟଟନର ବ୍ୟାପକ ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି । ଏହି ଚିତ୍ରକଳା ଉତ୍ସବ ସେ ଦିଗରେ ଏକ ଛୋଟିଆ ପ୍ରୟାସ । ଏଠାରେ ପ୍ରସ୍ତୁତ ହୋଇଥିବା ଚିତ୍ରକଳାଗୁଡ଼ିକ ଆସନ୍ତା ୨୭ ଓ ୨୮ ତାରିଖରେ ଭୁବନେଶ୍ବର ଜୟଦେବ ଭବନରେ ପ୍ରଦର୍ଶିତ ହେବ । ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୭ ଜଣ ଯୁବ ଚିତ୍ରଶିଳ୍ପୀ ଯୋଗ ଦେଇଛନ୍ତି । ଫାଉଣ୍ଡେସନର ଟ୍ରଷ୍ଟି ସାଲୁଟ୍ ସାହୁ ସଭା ସଂଯୋଜନା କରିଥିଲେ । ଫାଉଣ୍ଡେସନର ସଦସ୍ୟ ବିଶ୍ବରଞ୍ଜନ ଦାଶ ଓ ଅଂଶୁମାନ ପଟ୍ଟନାୟକ ଏହାକୁ ପରିଚାଳନା କରିଥିଲେ ।